ରାଘବ ଚଢ଼ାଙ୍କ ସମେତ ୭ ଜଣଙ୍କ ଯିବ ସାଂସଦ ପଦ: ସଞ୍ଜୟ ସିଂହଙ୍କ ଦାବି

ଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ଦୁଇ- ତୃତୀୟାଂଶ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହୋଇଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରିନାହିଁ ଆପ୍। ଏମିତିରେ ଆପ୍ ନେତା ସଞ୍ଜୟ ସିଂହ ଘଟଣାକୁ ନେଇ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଏହି ସବୁ ବିଦ୍ରୋହୀଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ ହେବ । ଏହା ସହ ସଞ୍ଜୟ ସିଂହ ବିଦ୍ରୋହୀ ସାଂସଦଙ୍କ କେଉଁ ଆଧାରରେ ସଦସ୍ୟତା ରଦ୍ଦ ହେବ ? ତାହ ମଧ୍ୟ କହିଛନ୍ତି। ସଞ୍ଜୟ ସିଂହଙ୍କ ଏହି ପ୍ରତିକ୍ରିୟା ଏଭଳି ସମୟରେ ଆସିଛି ଯେତେବେଳେ ଆମ ଆଦମୀ ପାର୍ଟି (AAP) ସ୍ପଷ୍ଟ କରିଛି ଯେ, ସେ ବିଦ୍ରୋହୀ ସାଂସଦଙ୍କୁ ରାଜ୍ୟସଭାର ସଦସ୍ୟତାରୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିବ।

ରିପୋର୍ଟ ଅନୁସାରେ, ଆପ ସାଂସଦ ସଞ୍ଜୟ ସିଂହ ରବିବାର ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନଙ୍କୁ ଏକ ଚିଠି ଲେଖି ରାଘବ ଚଢ଼ାଙ୍କ ସମେତ ରାଜ୍ୟସଭାର ସେହି ୭ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ଯେଉଁମାନେ ବିଜେପିରେ ମିଶିଛନ୍ତି।

 

ରଦ୍ଦ ହେବ ବିଦ୍ରୋହୀଙ୍କ ସଦସ୍ୟତା

ଆପ୍ ସାଂସଦ ସଞ୍ଜୟ ସିଂହ ଦାବି କରିଛନ୍ତି ଯେ, ରାଜ୍ୟସଭାର ଏହି ୭ ବିଦ୍ରୋହୀ ସଦସ୍ୟଙ୍କ ସଦସ୍ୟତା ଯିବା ନିଶ୍ଚୟ। ସେ କହିଛନ୍ତି ଏହି ନେତାଙ୍କ ପଦକ୍ଷେପ ଦଳବଦଳାଇବା ସହ ସମାନ। ସେମାନଙ୍କର କାର୍ଯ୍ୟ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥା ବିରୁଦ୍ଧ। ସଞ୍ଜୟ ସିଂହ ଆହୁରି କହିଛନ୍ତି କପିଲ ସିବ୍ବଲ ଏବଂ ଲୋକସଭାର ପୂର୍ବତନ ମହାସଚିବଙ୍କ ସମେତ ଅନେକ ସମ୍ବିଧାନ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି। ସମସ୍ତେ ଆଇନ ଅନୁସାରେ ସବୁ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପାଇଁ ଯୋଗ୍ୟ ବୋଲି କହିଛନ୍ତି।

୧୦ମ ଅନୁସୂଚୀର ଉଦ୍ଧୃତି

ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିବା ଏହି ଆବେଦନରେ ସମ୍ବିଧାନର ୧୦ ଅନୁସୂଚୀ (ଦଳ ବଦଳ ବିରୋଧୀ ଆଇନ) ଉଲ୍ଲେଖ କରାଯାଇଛି ଏବଂ ୭ ବିଦ୍ରୋହୀ ସାଂସଦଙ୍କ ସଦସ୍ୟତା ତୁରନ୍ତ ବାତିଲ କରିବାକୁ ଦାବି କରାଯାଇଛି। ସଞ୍ଜୟ ସିଂହ କହିଛନ୍ତି ଯେ, ଏହି ୭ ସାଂସଦଙ୍କ ବିଜେପିରେ ଯିବା ସଂପୂର୍ଣ୍ଣ ଭାବରେ ଅସାମ୍ବିଧାନିକ ଏବଂ ବେଆଇନ। ଆମେ ସୁପ୍ରିମକୋର୍ଟଙ୍କ ପୁରୁଣା ନିଷ୍ପତ୍ତି ଆଧାରରେ ଏହା ଉପରେ ଆଇନଗତ ଲଢ଼େଇକୁ ଦୃଢ଼ତାର ସହ ଲଢ଼ିବୁ।

 

ସଞ୍ଜୟ ସିଂହ ଏହା ମଧ୍ୟ କହିଛନ୍ତି ଯେ, ଉପରାଷ୍ଟ୍ରପତି ଏହି ମାମଲାରେ ଖୁବଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରାଯାଇଛି। ଏହି ସଦସ୍ୟଙ୍କୁ ଆପ୍ ହିଁ ବାଛିଥିଲା। ପରେ ସେମାନେ ପାର୍ଟି ଛାଡ଼ି ଅନ୍ୟ ଦଳରେ ଯୋଗଦେବାକୁ ବାଛିଛନ୍ତି। ବିଦ୍ରୋହୀଙ୍କ ବିଜେପିରେ ଯିବା ପଞ୍ଜାବ ଜନତାଙ୍କ ସହ ବିଶ୍ବାସଘାତକ। କେବଳ ସେତିକି ନୁହେଁ ଏହା ଭାରତର ସମ୍ବିଧାନ ସହ ବିଶ୍ବାସଘାତ।

 

 

 

 

ସୌଜନ୍ୟ Prameya News7