ଜାତୀୟ

ସାମାଜିକ ଗଣମାଧ୍ୟମ ବ୍ୟବହାରରେ ନାବାଳକଙ୍କ ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୯: ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ନାବାଳକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ସହିତ କୌଣସି ପ୍ଲାଟଫର୍ମ ଯେପରି ଚୁକ୍ତିବଦ୍ଧ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଏକ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତଥା ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟଠାରୁ ଜବାବ ଲୋଡ଼ିଛନ୍ତି । ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ‘ଜଷ୍ଟ ରାଇଟ୍ସ ଫର୍‌ ଚିଲଡ୍ରେନ ଆଲିଏନ୍ସ’ ନାମକ ଏକ ଏନଜିଓ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନ ଉପରେ ଉଭୟ ମନ୍ତ୍ରଣାଳୟକୁ ନୋଟିସ୍‌ ଜାରି କରିଛନ୍ତି।
ଆବେଦନରେ ୧୮ବର୍ଷରୁ କମ୍‌ ବୟସର ଶିଶୁମାନଙ୍କର ମୌଳିକ ଅଧିକାରର ପ୍ରବର୍ତ୍ତନ ଏବଂ ସୁରକ୍ଷା ପାଇଁ ଦାବି କରାଯାଇଛି। ଭାରତୀୟ ଚୁକ୍ତି ଆଇନର ଧାରା ୧୧ ଅନୁଯାୟୀ ଚୁକ୍ତି କରିବାରେ ଆଇନଗତ ଅକ୍ଷମତା ସତ୍ତ୍ୱେ ଏହି ଶିଶୁମାନଙ୍କୁ କୌଣସି ପ୍ରଭାବଶାଳୀ, ସମାନ ଏବଂ ପ୍ରବର୍ତ୍ତନଯୋଗ୍ୟ ବ୍ୟବସ୍ଥା ବିନା ସ୍ବାଧୀନ ଭାବେ ଆକାଉଣ୍ଟ ସୃଷ୍ଟି, ରକ୍ଷଣାବେକ୍ଷଣ କରିବା ଏବଂ ସାମାଜିକ ଗଣମାଧ୍ୟମ ତଥା ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଏହା ଗମ୍ଭୀର ସାମ୍ବିଧାନିକ ଚିନ୍ତାଜନକ ବିଷୟ। କାରଣ ଏଭଳି ନିୟନ୍ତ୍ରଣହୀନତା ଶିଶୁର ଜୀବନ, ମର୍ଯ୍ୟାଦା, ଗୋପନୀୟତା, ସୁରକ୍ଷା, ସୁସ୍ଥ ବିକାଶ ଏବଂ ସାମଗ୍ରିକ କଲ୍ୟାଣର ଅଧିକାର ପ୍ରତି ବିପଦ ସୃଷ୍ଟି କରେ।
ରେକର୍ଡ ଆଇନଜୀବୀ ସକ୍‌ଥମ ମହେଶ୍ୱରୀଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଆବେଦନ, ସୂଚନା ପ୍ରଯୁକ୍ତିବିଦ୍ୟା(ମଧ୍ୟମ ମାର୍ଗଦର୍ଶିକା ଏବଂ ଡିଜିଟାଲ ମିଡିଆ ଆଚରଣ ସଂହିତା)ନିୟମ, ୨୦୨୧କୁ ସଂଶୋଧିତ କରିବା ପାଇଁ କିମ୍ବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ମାଗିଛି। ଏହା ସୁନିଶ୍ଚିତ କରିବ ଯେ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ସମ୍ମତି ବିନା ଏବଂ ପିତାମାତା କିମ୍ବା ଅଭିଭାବକଙ୍କ ପରିଚୟ ଯାଞ୍ଚ/ଇ-କଓ୍ବୋଇସି ସାପେକ୍ଷରେ ୧୮ବର୍ଷରୁ କମ୍‌ ବୟସର କୌଣସି ଶିଶୁ ସହିତ କୌଣସି ଡିଜିଟାଲ ପ୍ଲାଟଫର୍ମ ଯେପରି ଚୁକ୍ତିବଦ୍ଧ ନହୁଏ ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button