US Terror Attack: ୯/୧୧ ଆକ୍ରମଣ: ୨୫ ବର୍ଷ ପରେ ବି ମନେପଡ଼ନ୍ତି ”ଫ୍ଲାଇଟ୍ ୯୩”ର ସେହି ସାହସୀ ଯାତ୍ରୀ
୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଘଟିଥିବା ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଛି। ଆଲ-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନସ୍ଥିତ ପେଣ୍ଟାଗନ୍ ଉପରେ ଆକ୍ରମଣ କରିଥିଲେ।

ନୂଆଦିଲ୍ଲୀ: ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଘଟିଥିବା ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଛି। ଆଲ-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନସ୍ଥିତ ପେଣ୍ଟାଗନ୍ ଉପରେ ଆକ୍ରମଣ କରିଥିଲେ। ଏହି ଭୟାନକ ସିରିଜ୍ ଆକ୍ରମଣରେ ମୋଟ ୨,୯୭୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା। ତେବେ ଏହି ଆକ୍ରମଣ ମଧ୍ୟରେ ଅପହୃତ ”ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ ୯୩”ର ଯାତ୍ରୀମାନଙ୍କ ବୀରତ୍ୱ ଆମେରିକାର ଶାସନ କେନ୍ଦ୍ରକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିପାରିଥିଲା।
ହ୍ବାଇଟ୍ ହାଉସ୍ ଛୁଇଁପାରିନଥିଲା ଆତଙ୍କବାଦୀଙ୍କ ସୁସାଇଡ୍ ମିଶନ୍
କାଲିଫୋର୍ଣ୍ଣିଆର ସାନ ରମୋନରେ ରହୁଥିବା ଡିନା ବର୍ନେଟ୍ ଟିଭିରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଭୟାନକ ଦୃଶ୍ୟ ଦେଖୁଥିବା ବେଳେ ତାଙ୍କ ସ୍ୱାମୀ ଟମ୍ ବର୍ନେଟ୍ ନ୍ୟୁୟର୍କରୁ ଫେରୁଥିବା ଫ୍ଲାଇଟ୍ ୯୩ରେ ଫସି ରହିଥିଲେ। ସକାଳ ୯:୨୭ରେ ଟମ୍ ଫୋନ୍ କରି ନିଜ ବିମାନ ହାଇଜ୍ୟାକ୍ ହୋଇଥିବା ଏବଂ ଜଣେ ଯାତ୍ରୀଙ୍କୁ ଆତଙ୍କବାଦୀମାନେ ଛୁରାଘାତ କରିଥିବା ଜଣାଇଥିଲେ। ଏହାପରେ ଡିନା ତାଙ୍କୁ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ପେଣ୍ଟାଗନ୍ ଉପରେ ଅନ୍ୟ ବିମାନଗୁଡ଼ିକ ଦ୍ୱାରା ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଏହି ତଥ୍ୟ ପାଇବା ପରେ ବିମାନଟିକୁ ଏକ ଆତ୍ମଘାତୀ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ଟମ୍ ଓ ଅନ୍ୟ ଯାତ୍ରୀମାନେ ବୁଝିପାରିଥିଲେ।
ସକାଳ ୯:୫୪ର ଶେଷ କଲରେ ଟମ୍ ତାଙ୍କ ପତ୍ନୀଙ୍କୁ କହିଥିଲେ, “ଆମେ ବିମାନଟିକୁ ପୁନର୍ବାର ନିଜ ନିୟନ୍ତ୍ରଣକୁ ନେବାକୁ ଯାଉଛୁ, ଆମେ ଆଉ କର୍ତ୍ତୃପକ୍ଷଙ୍କୁ ଅପେକ୍ଷା କରିପାରିବୁ ନାହିଁ।” ସକାଳ ୯:୫୭ରେ ଯାତ୍ରୀମାନେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରି କୋକପିଟକୁ ପଶିବାକୁ ଚେଷ୍ଟା କରିଥିଲେ। ପ୍ରଚଣ୍ଡ ଲଢ଼େଇ ମଧ୍ୟରେ ସକାଳ ୧୦:୦୩ରେ ବିମାନଟି ପେନସିଲଭାନିଆର ଶାଙ୍କସଭିଲ୍ଲେ ନିକଟସ୍ଥ ଏକ ଖୋଲା ପଡ଼ିଆରେ କ୍ରାସ୍ ହୋଇଥିଲା, ଯେଉଁଥିରେ ସମସ୍ତ ୪୦ ଜଣ ଯାତ୍ରୀ ଓ କର୍ମଚାରୀ ପ୍ରାଣ ହରାଇଥିଲେ। ୯/୧୧ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ଏହି ବିମାନଟିକୁ ଆମେରିକାର ”ହ୍ବାଇଟ୍ ହାଉସ୍” କିମ୍ବା ”ୟୁଏସ୍ କ୍ୟାପିଟଲ୍” ସହ ଧକ୍କା ଦେବାକୁ ଯୋଜନା କରିଥିଲେ। ମାତ୍ର ଯାତ୍ରୀମାନଙ୍କ ଅତୁଳନୀୟ ସାହସ ଓ ପ୍ରତିରୋଧ ଯୋଗୁଁ ଆତଙ୍କବାଦୀଙ୍କ ଏହି ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଥିଲା।
ସୌଜନ୍ୟ ସମ୍ବାଦ




