ପତିତପାବନ ସାହୁ
ଅନୁଗୁଳ: ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍ ଭୀମକାଣ୍ଡ ନିକଟରେ ବିଷ୍ଣୁଙ୍କ ଅନନ୍ତଶୟନର ଏକ ବିଶାଳ ମୂର୍ତ୍ତି ରହିଛି। କିନ୍ତୁ ଏହି ଜାଗାକୁ ସର୍ବସାଧାରଣଙ୍କ ପ୍ରବେଶ ମନା। କାରଣ ଏବେ ଏହି ଐତିହ୍ୟ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପରିସୀମା ଭିତରେ। ସେହିପରି ଢେଙ୍କାନାଳ ଜିଲ୍ଲା ସରାଙ୍ଗ ନିକଟରେ ବ୍ରାହ୍ମଣୀ ନଦୀ ପଠାରେ ବିଷ୍ଣୁଙ୍କର ଅନନ୍ତଶୟନ ମୂର୍ତ୍ତି ରହିଛି। କିନ୍ତୁ ଏହି ଦୁଇ ମୂର୍ତ୍ତି ପର୍ଯ୍ୟଟନ ମାନଚିତ୍ରରେ ଯେତିକି ଗୁରୁତ୍ବ ପାଇବା କଥା ପାଇନାହିଁ। ଏପଟେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି। ବିଷ୍ଣୁଙ୍କର ଅନନ୍ତଶୟନ ସମୟର ଏକ ମନୋରମ ମୂର୍ତ୍ତି କଣିହାଁ ବ୍ଲକ୍ର ଭୀମକାଣ୍ଡ ନିକଟରେ ରହିଛି। ଏକ ପଥର ଚଟାଣରେ ଖୋଦେଇ କରାଯାଇଥିବା ଏହି ୪୧.୬ ଫୁଟ ଲମ୍ବା ମୂର୍ତ୍ତି ଅଷ୍ଟମ-ନବମ ଶତାବ୍ଦୀର ବୋଲି ଗବେଷକମାନେ କହନ୍ତି। ଏହି ପୀଠ ଅନୁଗୁଳରେ କୃଷ୍ଣ ଉପାସନାର ପ୍ରମାଣ ଦେବା ସହ ଲୋକମାନଙ୍କର କାରିଗରୀ କୌଶଳକୁ ବଖାଣୁଛି।

