ରାଜ୍ୟ

ସନ୍ଦେହ ବଢ଼ାଇଲା କଳା ‘ଥାର୍‌’

ଭୁବନେଶ୍ୱର/ଚନ୍ଦନେଶ୍ୱର/ ନନ୍ଦନକାନନ : ଭୋଗରାଇ ଝାଉଁ ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍‌ର ହାତ ଥିବା ସନ୍ଦେହ ଘନୀଭୂତ ହୋଇଛି। ଏହାର ତଦନ୍ତ ପାଇଁ ଆଜି ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଓ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲ୍ୟୁସିସିବି) ମିଳିତ ସମନ୍ବୟରେ ଖୋଳତାଡ଼ ଆରମ୍ଭ ହୋଇଛି। ଏସ୍‌ଟିଏଫ୍‌ର ୫ ଜଣିଆ ଦଳ ଓରାଙ୍ଗଉଟାନ ମିଳିଥିବା ସ୍ଥାନ ସମେତ ଏକାଧିକ ସ୍ଥାନରେ ଯାଞ୍ଚ କରିଛି। ପରେ ଦୀଘା ମୁହାଣ କୋଷ୍ଟାଲ ଥାନାରେ ପହଞ୍ଚି ମଧ୍ୟ ସିସିଟିଭି ଯାଞ୍ଚ କରିଥିବା ଜଣାଯାଇଛି। କଲକାତା ସୀମାରେ ଏସ୍‌ଟିଏଫ୍‌ ଦଳ ତନାଘନା କରିଛି। ଓରାଙ୍ଗଉଟାନଙ୍କୁ ମ୍ୟାଁମାର୍‌ ଓ ପଶ୍ଚିମବଙ୍ଗ ଦେଇ ଜଳପଥରେ ଅଣାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ବାସିନ୍ଦା ଓ ବନ କର୍ମଚାରୀଙ୍କୁ ଏସ୍‌ଟିଏଫ୍‌ ଦଳ ପଚରାଉଚରା କରି
କିଛି ସୁରାକ ହାତେଇଥିବା ଜଣାପଡ଼ିଛି।
ଏହି ଘଟଣାରେ ଏକ କଳା ରଙ୍ଗର ‘ଥାର୍‌’ର ସଂପୃକ୍ତିକୁ ନେଇ ସନ୍ଦେହ ବଢ଼ିଛି। ମୁଖ୍ୟ ରାସ୍ତା ପାଖରେ ଥିବା ୨ଟି ଦୋକାନ ଓ ଗୋଟିଏ ସ୍କୁଲର ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ ଓରାଙ୍ଗଉଟାନ ଠାବ ହେବା ପୂର୍ବ ରାତି (ସୋମବାର) ରାତିରେ ଏକ କଳା ରଙ୍ଗର ଥାର୍‌ କାର୍‌ ଏହି ଅଞ୍ଚଳକୁ ଆସିଥିଲା। ରାତି ପ୍ରାୟ ୧୧ଟା୩୫ ମିନିଟ୍‌ରେ ଏକ କଳା ଥାର୍‌ ଉକ୍ତ ରାସ୍ତା ଦେଇ ଯାଇଥିଲା। ୧୨ ମିନିଟ୍‌ ପରେ ଅର୍ଥାତ୍‌ ରାତି ୧୧ଟା ୪୭ ମିନିଟ୍‌ରେ ସେହି ଗାଡ଼ି ପୁଣି ଫେରୁଥିବା ସିସିଟିଭିରେ କଏଦ୍‌ ହୋଇଛି। ସେହି ଗାଡ଼ିରେ ୫ଟି ଓରାଙ୍ଗଉଟାନ ଆସିଥିବା ସନ୍ଦେହ କରାଯାଉଛି। ତଦନ୍ତକାରୀ ଟିମ୍‌ ମଧ୍ୟ ଘଟଣାସ୍ଥଳରୁ ଥାର୍‌ର ଚକା ଚିହ୍ନ ଦେଖିବାକୁ ପାଇଛି। ତେଣୁ, ଉକ୍ତ କାର୍‌କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଥିବା ଜଣାଯାଇଛି। ସେହିପରି, ବନବିଭାଗ ପ୍ରକୃତି ନିବାସ ମୁଖ୍ୟ ରାସ୍ତା ପାଖ ଜଙ୍ଗଲରେ ଏହି ଜୀବଙ୍କୁ ଛଡ଼ାଯିବା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନବିଭାଗ ନାକ ତଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିବା ବେଳେ ମଙ୍ଗଳବାର ସକାଳେ ଏହି ଜୀବଙ୍କୁ ପ୍ରଥମେ କିଏ ଠାବ କଲା, ତାହା ସ୍ପଷ୍ଟ ହୋଇପାରିନାହିଁ।
ଅପରପକ୍ଷେ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆଜି ନନ୍ଦନକାନନରେ ସଂଗରୋଧ (କ୍ବାରାଣ୍ଟିନ୍‌)ରେ ଥିବା ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ପିସିସିଏଫ୍‌ ଓ ନନ୍ଦନକାନନ ଉପ-ନିର୍ଦେଶକ ସହ ସେ ବିସ୍ତୃତ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ କହିଛନ୍ତି, ବିମାନବନ୍ଦର, ରେଲୱେ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ ସହ ସାମୁଦ୍ରିକ ଓ ତଟରକ୍ଷୀ ବାହିନୀଙ୍କ ସହ କଥାବାର୍ତ୍ତା ଚାଲୁଛି। ବିଭିନ୍ନ ଚିଡ଼ିଆଖାନା ସହ ପିସିସିଏଫ୍‌ କଥା ହେଉଛନ୍ତି। କେଉଁ ଚିଡ଼ିଆଖାନା ଚୋରି ହୋଇଛି କି ନାହିଁ, ସେ ଦିଗରେ ତଦନ୍ତ ମଧ୍ୟ ଚାଲୁଛି। ଏମାନେ ଓଡ଼ିଶାରେ ରହିବା ପରେ ଗରିମା ବଢ଼ିବ। ୨୦୧୯ ପରେ ନନ୍ଦନକାନନରେ ଓରାଙ୍ଗଉଟାନ ନଥିଲେ। ୫ଟି ମିଳିବା ପରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବ। ଏ ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପିସିସିଏଫ୍‌ଙ୍କ ମାଧ୍ୟମରେ କେନ୍ଦ୍ରୀୟ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଅନୁମତି ପାଇଁ ଅନୁରୋଧ କରାଯାଇଛି। ସେଠାରୁ ଅନୁମତି ମିଳିଲେ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ ନନ୍ଦନକାନନରେ ରହିବେ। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଯତ୍ନ ନିଆଯାଉଛି। କେଉଁଠି ଆସିଲା ଓ କିଏ ଆଣିଥିଲା, ତା’ର ତଦନ୍ତ ଚାଲୁଛି।
ଏସ୍‌ଟିଏଫ୍‌ ଆଇଜି ହିମାଂଶୁ ଲାଲ୍ କହିଛନ୍ତି, ଉକ୍ତ ମାମଲାକୁ ଡିଆଇଜି କନୱର ବିଶାଲ ସିଂ ନିରୀକ୍ଷଣ କରୁଛନ୍ତି। ବାଲେଶ୍ବର ପୁଲିସ ଓ ବନ ଅଧିକାରୀଙ୍କ ସହ ଆଲୋଚନା ପରେ ଜଣେ ଏସ୍‌ପିଙ୍କ ନେତୃତ୍ବରେ ଏକ ଦଳ ଗଠନ କରାଯାଇଛି। ବନ ବିଭାଗଠାରୁ ମିଳିଥିବା ନଥିପତ୍ରକୁ ତର୍ଜମା କରାଯାଉଛି। ଆଗରୁ ଅନ୍ୟ ରାଜ୍ୟରେ ଏଭଳି ଅନେକ ମାମଲା ହୋଇଛି, ସେଗୁଡ଼ିକର ତଥ୍ୟ ସଂଗ୍ରହ କରାଯାଇ ଯାଞ୍ଚ ଚାଲୁଛି। ସାଇଣ୍ଟିଫିକ ତଦନ୍ତ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲୁଛି। ତଦନ୍ତରେ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ସହ ରୁଟ୍ ଲାଇନ, ସିସିଟିଭି ଫୁଟେଜ୍‌ ଓ ପୂର୍ବରୁ ଘଟିଥିବା ୱାଇଲ୍ଡଲାଇଫ୍ ସମ୍ପର୍କିତ ଘଟଣାର ତଥ୍ୟ ଯାଞ୍ଚ କରାଯାଉଛି। ଏସ୍‌ଟିଏଫ୍‌ ସହ ବନ ବିଭାଗ ଓ ଡବ୍ଲ୍ୟୁସିସିବି ମଧ୍ୟ ସମନ୍ୱୟରେ ତଦନ୍ତ କରୁଛନ୍ତି।
ସେହିପରି ଓରାଙ୍ଗଉଟାନଙ୍କୁ ନନ୍ଦନକାନନର ସଂଗରୋଧ ଗୃହରେ ମାସେ ରଖାଯିବ ବୋଲି ସୂଚନା ମିଳିଛି। ସେମାନଙ୍କ ଖାଦ୍ୟପେୟ, ସ୍ବାସ୍ଥ୍ୟ ଓ ଆଚରଣ ଉପରେ ବନ ବିଭାଗ ଓ ନନ୍ଦନକାନନର ବିଶେଷଜ୍ଞମାନେ ନଜର ରଖିଛନ୍ତି। ସ୍ବତନ୍ତ୍ର ଭାବରେ ୩ଟି ସିଫ୍ଟର ଡାକ୍ତର ଓ କେୟାରଟେକର୍‌ ନିୟୋଜିତ ରହିବେ। ଏହି ସ୍ବତନ୍ତ୍ର ଦଳ ଅନ୍ୟ ଜୀବଜନ୍ତୁଙ୍କ ଚିକିତ୍ସା କରିବେ ନାହିଁ। ରାତି ପାଇଁ ଜଣେ ସ୍ବତନ୍ତ୍ର ଡାକ୍ତର ରହିବେ। ନନ୍ଦନକାନନରେ ପହଞ୍ଚିବା ପରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ପରୀକ୍ଷା ସମୟରେ ଜଣେ ଓରାଙ୍ଗଉଟାନଙ୍କ ଜ୍ୱର ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଥଣ୍ଡା ଲକ୍ଷଣ ଦେଖା ଦେଇଥିଲା। ଆବଶ୍ୟକ ଔଷଧ ଦିଆଯିବା ପରେ ବର୍ତ୍ତମାନ ସେମାନଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି। ଡାକ୍ତର ଓ ବନ ବିଭାଗର କର୍ମଚାରୀମାନେ ନିୟମିତ ଭାବେ ସେମାନଙ୍କ ସ୍ବାସ୍ଥ୍ୟ ଓ ଆଚରଣ ଉପରେ ନଜର ରଖିଛନ୍ତି। ମହୀଶୂର ଚିଡ଼ିଆଖାନାରେ ଓରାଙ୍ଗଉଟାନ ଥିବାରୁ ସେଠାକାର ବିଶେଷଜ୍ଞ ଓ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଆଯାଉଛି। ସେହି ପରାମର୍ଶ ଆଧାରରେ ସେମାନଙ୍କ ଖାଦ୍ୟ ଓ ଯତ୍ନ ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ ଓରାଙ୍ଗଉଟାନଙ୍କ ବିଭିନ୍ନ ନମୁନା ସଂଗ୍ରହ କରାଯିବ। ଡିଏନ୍‌ଏ ସମେତ ଆବଶ୍ୟକ ଅନ୍ୟାନ୍ୟ ନମୁନା ପରୀକ୍ଷା ପାଇଁ ପଠାଯିବ। ଏହି ପରୀକ୍ଷାର ରିପୋର୍ଟ ମିଳିବା ପରେ ସେମାନଙ୍କ ପ୍ରଜାତି, ଉତ୍ସ ଓ ସ୍ବାସ୍ଥ୍ୟ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button