‘ସମୁଦ୍ର ମନ୍ଥନ’ ଅଭିଯାନରେ ଓଏନ୍ଜିସିକୁ ସଫଳତା: କୋଣାର୍କରୁ ୪୩ କିମି ଦୂର ସମୁଦ୍ରରେ ଗ୍ୟାସ ଠାବ, ୧,୪୫୦ ମିଟର ତଳେ ହେଉଛି ପ୍ରବାହ

ନୂଆଦିଲ୍ଲୀ,୨୨/୦୯: ରାଷ୍ଟ୍ରାୟତ୍ତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ(ଓଏନ୍ଜିସି) ଓଡ଼ିଶା ଉପକୂଳ ଗଭୀର ଜଳ ତଳେ ଗ୍ୟାସ୍ର ସନ୍ଧାନ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହାନଦୀ ଅଫ୍ସୋର ବେସିନ୍ର ଏମ୍ଏନ୍-ଡିଡବ୍ଲୁୟ ୧୮-୧-ଏଚ୍ ଡି କୂପ ଯାହାକି କୋଣାର୍କଠାରୁ ପ୍ରାୟ ୪୩ କିଲୋମିଟର ଦୂରରେ ରହିଛି, ଓଏନ୍ଜିସି ସେଠାରେ ଏହାର ସନ୍ଧାନ ପାଇଛି । ଓଏନ୍ଜିସିର ‘ସମୁଦ୍ର ମନ୍ଥନ ଗଭୀର ଜଳ’ ଅନୁସନ୍ଧାନ ଅଭିଯାନର ଅଂଶବିଶେଷ ଏହି କୂପକୁ ଖନନ କରାଯାଇଥିଲା ।
ପ୍ରାୟ ୧,୪୫୦ ମିଟର ଗଭୀର ଜଳ ତଳେ ଗ୍ୟାସ୍ ପ୍ରବାହକୁ ଠାବ କରାଯାଇଛି । ଅନୁସନ୍ଧାନ କୂପ ୧୪୪୧ ମିଟରରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ଗ୍ୟାସ୍ର ସନ୍ଧାନ କରିଥିଲା । ଏହାକୁ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖନନ କରାଯାଇଥିଲା । ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ମହାନଦୀ ବେସିନ୍ରେ ଓଏନ୍ଜିସି ଦ୍ୱାରା ଖନନ ହୋଇଥିବା ଏହା ପ୍ରଥମ କୂପ ।
ଓଏନ୍ଜିସି ପ୍ରକାଶ କରିଛି ଯେ, କୂପରୁ ଗତ ତିନି ଦିନ ହେବ ଗ୍ୟାସ ପ୍ରବାହିତ ହେଉଛି ଏବଂ ଏହା ଉତ୍ସାହଜନକ ଥିବା ଦେଖିବାକୁ ମିଳିଛି । ଗ୍ୟାସ୍ର ସନ୍ଧାନ ପରେ ଓଏନ୍ଜିସି ଏବେ ଏହାର ବାଣିଜ୍ୟିକ କ୍ଷମତାକୁ ମାପିବ । ଏହାକୁ ଏଯାବତ୍ ବାଣିଜ୍ୟିକ ଉତ୍ସ ଭାବେ ସ୍ପଷ୍ଟ କରାଯାଇନାହିଁ । କମ୍ପାନି ସୂଚନା ଦେଇଛି, ଆବିଷ୍କାରର ପରିମାଣ ଏବଂ କାର୍ଯ୍ୟକ୍ଷମତା ମାପିବା ପାଇଁ ଆହୁରି ମୂଲ୍ୟାଙ୍କନର ଆବଶ୍ୟକ ପଡ଼ିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ କମ୍ପାନି ଜଳଭଣ୍ଡାର ଏବଂ ଉତ୍ସକୁ ମୂଲ୍ୟାଙ୍କନ କରିବ ।
ସୌଜନ୍ୟ ପ୍ରମେୟ




