ଦେଶ ବିଦେଶ

ସରକାରୀ ବିଜ୍ଞାପନରେ ଦୁର୍ଗାଙ୍କ ୧୧ ହାତ ; କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କଲକାତା : ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିଜ୍ଞାପନରେ ଦେବୀ ଦୁର୍ଗାଙ୍କ ଦଶଭୁଜା (୧୦ ହାତ) ବଦଳରେ ୧୧ଟି ହାତ ଦର୍ଶାଯିବା ପରେ ରାଜ୍ୟରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ଭୁଲ୍ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି। ଆଗାମୀ ଦୁର୍ଗାପୂଜା ପ୍ରସ୍ତୁତି ନେଇ ସେପ୍ଟେମ୍ବର ୭ରେ ଆୟୋଜିତ ହେବାକୁ ଥିବା ସମନ୍ୱୟ ବୈଠକ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଖବରକାଗଜଗୁଡ଼ିକରେ ଏକ ବିଜ୍ଞାପନ ଦିଆଯାଇଥିଲା। ଏଥିରେ ଭୁଲବଶତଃ ଦେବୀ ଦୁର୍ଗାଙ୍କର ୧୧ଟି ହାତ ଥିବାର ଛବି ସ୍ଥାନ ପାଇଥିଲା। ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ସ୍ଥାନିତ ହୋଇଥିଲା। ବିରୋଧୀ ତୃଣମୂଳ କଂଗ୍ରେସ ଓ ସିପିଆଇ-ଏମ୍ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଶାସ୍ତ୍ର ଅନୁସାରେ ଦେବୀ ଦୁର୍ଗା ଦଶଭୁଜା ହୋଇଥିବା ବେଳେ ସରକାର ବଙ୍ଗାଳୀ ସଂସ୍କୃତି ଓ ସନାତନ ପରମ୍ପରାକୁ ଅପମାନିତ କରୁଛନ୍ତି ବୋଲି ତୃଣମୂଳ କଂଗ୍ରେସ କହିଥିଲା। ବିବାଦ ବଢ଼ିବା ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଭାବେ ଏହି ଭୁଲ୍ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଏହି ବିଜ୍ଞାପନ ତିଆରି କରିଥିବା ଏଜେନ୍ସିକୁ କଡ଼ା ଚେତାବନୀ ଦିଆଯାଇଛି ଏବଂ ଆଗାମୀ ଦିନରେ ସରକାର ଏଭଳି ସମ୍ବେଦନଶୀଳ ବିଷୟରେ ଅଧିକ ସତର୍କ ରହିବେ।’ ବିଜେପି ରାଜ୍ୟ ସଭାପତି ଶମୀକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏହା ବିଜ୍ଞାପନ ଏଜେନ୍ସିର ଏକ ଭୁଲ୍, ଏହାକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button