ଦେଶ ବିଦେଶ

୭ ଲକ୍ଷ ପିଲାଙ୍କ ପାଇଁ ୮ ହଜାର ହଷ୍ଟେଲ ସିଟ୍‌: ରିପୋର୍ଟ ମାଗିଲେ ଦିଲ୍ଲୀ ହାଇକୋର୍ଟ

ସମାଜ ଡେସ୍କ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରାୟ ୭ ଲକ୍ଷ ପିଲା ପାଠ ପଢୁଥିବା ବେଳେ ଏମାନଙ୍କ ପାଇଁ ରହିଛି ମାତ୍ର ୮ ହଜାର ହଷ୍ଟେଲ ସିଟ୍ । ଅର୍ଥାତ ପ୍ରତି ୩୧ ଜଣ ପିଲାଙ୍କ ପାଇଁ ଗୋଟିଏ ହଷ୍ଟେଲ ସିଟ୍‌ର ବ୍ୟବସ୍ଥା ରହିଛି । ୨୦୨୫ ଶିକ୍ଷାବର୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାୟ ୩୦,୦୦୦ ସ୍ନାତକ ଛାତ୍ରଛାତ୍ରୀ ହଷ୍ଟେଲ ପାଇଁ ଆବେଦନ କରିଥିବା ବେଳେ ଏହାର ମାତ୍ର ୧୦ ପ୍ରତିଶତ ସିଟ୍ ପିଲାମାନଙ୍କୁ ଉପଲବ୍ଧ କରାଯାଇପାରିଛି । ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓ ଦିଲ୍ଲୀ ମହାନଗର ନିଗମ କର୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନ ମନୋଭାବକୁ ଆଜି ନାପସନ୍ଦ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ସତ୍ୟନିକେତନ ଅଂଚଳରେ ୫ ମହଲା କୋଠା ଭୁଶୁଡି ୭ ଜଣ ବ୍ୟକ୍ତି ମରିବା ଘଟଣାକୁ ନେଇ ଦାୟର ଏକ ପିଆଇଏଲର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଦିଲ୍ଲୀ ମହାନଗର ନିଗମକୁ ଏହି ମର୍ମରେ ଏକ ଆଦେଶନାମା ଜାରି କରିଛନ୍ତି । ଯେଉଁ କୋଠାଗୁଡିକରେ ପିଲାମାନେ ପେଇଂଗେଷ୍ଟ ଭାବେ ରହି ପାଠ ପଢୁଛନ୍ତି, ସେହି କୋଠାଗୁଡିକ କିଭଳି ଅବସ୍ଥାରେ ଅଛି, ତାହାର ଅଡିଟ୍ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୋର୍ଟ ଦିଲ୍ଲୀ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟ ନିକେତନ କୋଠ ଭୁଶୁଡିବା ଘଟଣାକୁ କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏହି ଘଟଣାରେ କେଉଁ କେଉଁ ଅଧିକାରୀମାନଙ୍କ କର୍ତବ୍ୟରେ ଅବହେଳା ରହିଛି, ପେଇଂ ଗେଷ୍ଟ ରଖିବାକୁ ଉକ୍ତ କୋଠା ମାଲିକଙ୍କୁ ଅନୁମତି ମିଳିଥିଲା କି ନାହିଁ, ଯିଏ ଅନୁମତି ଦେଇଥିଲେ, ଠିକ୍ ପ୍ରକ୍ରିୟା ଅବଲମ୍ବନ କରିଥିଲେ କି ନାହିଁ, ତାହାର ତଦନ୍ତ କରିବାକୁ ମଧ୍ୟ କୋର୍ଟ ଏମସିଡି କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button