ଭୁବନେଶ୍ୱର: ବିଜ୍ଞାନ, ବୈଷୟିକ ଜ୍ଞାନ କୌଶଳ, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍) କ୍ଷେତ୍ରରେ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ବ୍ରିଟିଶ ହାଇକମିଶନ, ନୂଆଦିଲ୍ଲୀ ଓ ସେଭେନିଂ ଆଲୁମନି ପ୍ରୋଜେକ୍ଟ ଫଣ୍ଡ, ଭୁବନେଶ୍ୱର ସଂସ୍କରଣ ଓ ଅକ୍ସଫୋର୍ଡ ୟୁନିଭର୍ସିଟି, ୟୁକେର ପ୍ରତିନିଧିମାନଙ୍କ ମିଳିତ ସହଭାଗିତାରେ ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଏହି ଏକ ଦିବସୀୟ କର୍ମଶାଳାରେ ଓଡ଼ିଶାର ବିଭିନ୍ନ ସହରର ମହିଳା, ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ଷ୍ଟେମ୍ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନେଇ କାର୍ଯ୍ୟ କରିବା ଦିଗରେ ଲକ୍ଷ୍ୟ ରଖାଯାଇଥିଲା । ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରୁ ପ୍ରାୟ ୫୦୦ ଜଣ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୩୦ଜଣ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ ଯେଉଁମାନେ କି ସେମାନଙ୍କର ଶିକ୍ଷାଗତ ଯାତ୍ରା, କ୍ୟାରିୟର ଏବଂ ଷ୍ଟେମ୍ କ୍ଷେତ୍ରରେ ନିଜର ଅନୁଭୂତି ବଖାଣିଥିଲେ ।
କର୍ମଶାଳାର ବିଭିନ୍ନ ପର୍ଯ୍ୟାୟରେ ଗ୍ରୀନ୍ ଏନର୍ଜି ଓ କ୍ଲିନ୍ ଟେକ୍ନୋଲଜି, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ, ଷ୍ଟାର୍ଟ ଅପ୍ସ ଓ ଉଦ୍ୟୋଗୀକରଣ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା, ବର୍ଯ୍ୟବସ୍ତୁ ପରିଚାଳନା, ସରକାରୀ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ରର ବିଶେଷଜ୍ଞମାନେ ମତ ରଖିଥିଲେ ।
ଏହି ଅବସରରେ ବ୍ରିଟିଶ ଡେପୁଟି ହାଇକମିଶନର, ଇଷ୍ଟ ଆଣ୍ଡ ନର୍ଥଇଷ୍ଟ ଡକ୍ଟର ଆଣ୍ଡ୍ରୁ୍ୟ ଫ୍ଲେମିଙ୍ଗ୍ ଯୋଗ ଦେଇ କହିଥିଲେ ଯେ ୟୁକେ –ଇଣ୍ଡିଆ ଭିଜନ୍ ୨୦୩୫କୁ ଲକ୍ଷ୍ୟରେ ରଖି ଦୁଇ ଦେଶ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । ବ୍ରିଟିଶ କାଉନ୍ସିଲ ପକ୍ଷରୁ ଷ୍ଟେମ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ୨୦୨୬-୨୭ ଶିକ୍ଷା ବର୍ଷରେ ପୂର୍ଣ୍ଣମାତ୍ରାର ବାର୍ଷିକ ବୃତି ପ୍ରଦାନ କରାଯିବାର ଯୋଜନା ଆରମ୍ଭ କରାଯାଇଥିବା ସେ କହିଥିଲେ । ୨୫ଟି ବୃତି ଦକ୍ଷିଣ ଏସିଆରେ କାର୍ଯ୍ୟରତ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୟୁକେର ୫ଟି ବିଶ୍ୱବିଦ୍ୟାଳୟ ସହିତ ଏହାକୁ ଯୋଡ଼ାଯାଇଛି । ସେହିପରି ଏହି କାର୍ଯ୍ୟକ୍ରମ ଅଧିନରେ ୪୩ଟି ୟୁକେର ବିଶ୍ୱବିଦ୍ୟାଳୟ ଦ୍ୱାରା ୫୦୦ ଜଣ ମହିଳାଙ୍କୁ ବୃତି ପ୍ରଦାନ କରିବାର ପ୍ରସ୍ତାବ ରଖାଯାଇଛି ।
ସୌଜନ୍ୟ Prameya News7
