୧୪ ନା ୧୫ ଜାନୁୟାରୀ କେବେ ପାଳନ ହେବ ମକର ସଂକ୍ରାନ୍ତି? ଜାଣନ୍ତୁ ସଠିକ ତିଥି

ଚଳିତବର୍ଷ ମକର ସଂକ୍ରାନ୍ତି ଜାନୁୟାରୀ ୧୪ରେ ପାଳିତ ହେବ। ଏହି ଦିନ ସୂର୍ଯ୍ୟ ଅପରାହ୍ନ ୩ଟା ୧୩ ମିନିଟରେ ମକର ରାଶିକୁ ପ୍ରବେଶ କରିବେ।

ନୂଆଦିଲ୍ଲୀ ୭।୧: ଜ୍ୟୋତିଷ ଶାସ୍ତ୍ରାନୁସାରେ କୌଣସି ରାଶିକୁ ସୂର୍ଯ୍ୟଙ୍କ ପ୍ରବେଶକୁ ସଂକ୍ରାନ୍ତି କୁହାଯାଏ। ସେହି ଅନୁସାରେ ସୂର୍ଯ୍ୟଙ୍କ ମକର ରାଶିକୁ ପ୍ରବେଶକୁ ମକର ସଂକ୍ରାନ୍ତି କୁହାଯାଏ। ଚଳିତବର୍ଷ ମକର ସଂକ୍ରାନ୍ତି ଜାନୁୟାରୀ ୧୪ରେ ପାଳିତ ହେବ। ଏହି ଦିନ ସୂର୍ଯ୍ୟ ଅପରାହ୍ନ ୩ଟା ୧୩ ମିନିଟରେ ମକର ରାଶିକୁ ପ୍ରବେଶ କରିବେ। ଏବେ ଆସନ୍ତୁ ଜାଣିବା ୨୦୨୬ ମକର ସଂକ୍ରାନ୍ତିର ଶୁଭ ମୁହୁର୍ତ୍ତ। ମକର ସଂକ୍ରାନ୍ତିର ପୂଣ୍ୟକାଳ ବା ଶୁଭ ମୁହୂର୍ତ୍ତ ଅପରାହ୍ନ ୩ଟା ୧୩ ମିନିଟ୍ ରେ ଆରମ୍ଭ ହେବ। ଏହା ୪ଟା ୫୮ ମିନିଟ୍ ପର୍ଯ୍ୟନ୍ତ ରହିବ।

ଏହି ଦିନ ସକାଳ ୯ଟା ବାଜି ୩ ମିନିଟ୍ ରୁ ୧୦ଟା ୪୮ ମଧ୍ୟରେ ଗଙ୍ଗାନଦୀରେ ସ୍ନାନ କରାଯାଇ ପାରେ। ଭାରତର ଅଲଗା ଅଲଗା ଅଞ୍ଚଳରେ ଏହି ପର୍ବକୁ ଅଲଗା ଅଲଗା ନାମରେ ଓ ପରମ୍ପରାରେ ପାଳନ କରାଯାଏ। ତାମିଲନାଡୁରେ ଏହାକୁ ପୋଙ୍ଗଲ ରୂପେ ପାଳନ କରାଯାଉଥିବା ବେଳେ ପଞ୍ଜାବରେ ଲୋହରୀ, ଗୁଜରାଟରେ ଉତ୍ତରାୟଣ ଓ ଉତ୍ତର ଭାରତରେ ମକର ସଂକ୍ରାନ୍ତି ରୂପେ ଏହାକୁ ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀ ଓ ଅନ୍ୟ ପବିତ୍ର ନଦୀରେ, ତୀର୍ଥ ସ୍ଥଳରେ କୂଅରେ ଓ ପୋଖରୀରେ ସ୍ନାନର ବିଶେଷ ମହତ୍ୱ ରହିଥାଏ।

ଏହି ଦିନ ପୋଷାକ, କମ୍ବଳ, ଉଲରେ ତିଆରି ବସ୍ତ୍ର, ଶାଲ, ଧାର୍ମିକ ଗ୍ରନ୍ଥ ଓ କ୍ୟାଲେଣ୍ଡର ଆଦି ଦାନ କରିବା ଶୁଭ ମନେ କରାଯାଏ। ଏହି ପର୍ବରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା ହୁଏ। ମାନ୍ୟତା ରହିଛି ଏହି ଦିନ ସୂର୍ଯ୍ୟ ତାଙ୍କ ପୁଅ ଶନି ଦେବ (ଶନିଗ୍ରହ)ଙ୍କୁ ତାଙ୍କ ଘରେ ଅର୍ଥାତ ମକର ରାଶିରେ ଭେଟନ୍ତି। ଏହି ପାର୍ବଣ ମୁଖ୍ୟତଃ ଏକ କୃଷିର ପର୍ବ ଓ ଏହାର ଖାସ ଗୁରୁତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ପୃଥିବୀରେ ରାକ୍ଷଶଙ୍କ ବିନାଶ କରିଥିଲେ। ଏହା ବି ମାନ୍ୟତା ରହିଛି ଯେ ଏହି ଦିନ ଗଙ୍ଗା ନଦୀ ଭଗିରଥଙ୍କ ପଛେପଛେ ସ୍ୱର୍ଗରୁ ପୃଥବୀକୁ ଓହ୍ଲାଇ ଆସିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version