ଜାତୀୟ

୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଦାବି! ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

ଅମରାବତୀ,୧୦।୧୧: ଦେଶରେ ବଡ଼ ମୂଲ୍ୟର ନୋଟ୍‌ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ୫୦୦ ଓ ୨,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରି ୧୦୦ ଓ ୨୦୦ ଟଙ୍କିଆ ଛୋଟ ନୋଟ୍‌କୁ ଅଧିକ ପ୍ରୋତ୍ସାହନ ଦେବା ସହ ଡିଜିଟାଲ୍‌ କାରବାର ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି । ବଡ଼ ନୋଟ୍‌ରେ ନଗଦ କାରବାର ଉପରେ ନିୟନ୍ତ୍ରଣ ଲାଗିଲେ ଦୁର୍ନୀତିର ଚକ୍ର ଭାଙ୍ଗିବା ସହ ସମ୍ପତ୍ତି ସୃଷ୍ଟି ଓ ଦାରିଦ୍ର୍ୟ ଦୂରୀକରଣ ସହଜ ହେବ ବୋଲି ତାଙ୍କ ମତ ରହିଛି।

ନାଇଡୁ କହିଛନ୍ତି, ନିର୍ବାଚନ ସମୟରେ କ୍ରମାଗତ ୨୪ ଘଣ୍ଟା କାମ କରିବା ବେଳେ ବଡ଼ ନୋଟ୍‌ ଯୋଗୁଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି । ତେଣୁ ବଡ଼ ନୋଟ୍‌ ବଦଳରେ ଛୋଟ ନୋଟ୍‌ର ପ୍ରଚଳନ ବଢ଼ାଇବା ଆବଶ୍ୟକ । ଏହା ସହ ଡିଜିଟାଲ୍‌ ମୁଦ୍ରା ଓ କାରବାରକୁ ପ୍ରୋତ୍ସାହନ ଦେଲେ ଠକେଇ ଘଟଣା ହ୍ରାସ ପାଇବ ଏବଂ ଦେଶର ବିକାଶକୁ ଗତି ମିଳିବ। ଏହି ପ୍ରସଙ୍ଗରେ ପୂର୍ବରୁ ଏକ ରିପୋର୍ଟ ପାଇଁ ନିଜର ପରାମର୍ଶ ଦେଇଥିବା ନାଇଡୁ କହିଛନ୍ତି ଯେ, ସେ ଏହି ପ୍ରସ୍ତାବକୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ମଧ୍ୟ ଉଠାଇଛନ୍ତି। ଟେକ୍ନୋଲୋଜିର ସଠିକ୍‌ ଉପଯୋଗ ହେଲେ ଅର୍ଥନୈତିକ ଓ ପ୍ରଶାସନିକ ବ୍ୟବସ୍ଥାର ଅନେକ ସମସ୍ୟାର ସମାଧାନ ସମ୍ଭବ ବୋଲି ସେ ମତ ଦେଇଛନ୍ତି।

୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫୦୦ ଓ ୧,୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ । କଳାଧନ, ନକଲି ନୋଟ୍‌ ଓ ଦୁର୍ନୀତି ଉପରେ ରୋକ୍‌ ଲଗାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିଲା। ନୋଟବନ୍ଦୀକୁ ୧୦ ବର୍ଷ ପୂରିବା ପରେ ନାଇଡୁଙ୍କ ଏହି ପ୍ରସ୍ତାବ ସାମ୍ନାକୁ ଆସିଛି । କେବଳ ନୋଟ୍‌ ଓ ଡିଜିଟାଲ୍‌ କାରବାର ନୁହେଁ, ନିର୍ବାଚନୀ ରାଜନୀତିରେ ମଧ୍ୟ ମୌଳିକ ପରିବର୍ତ୍ତନ ଆଣିବାକୁ ନାଇଡୁ ମତ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ନିର୍ବାଚନ ଅର୍ଥବଳ ଉପରେ ନୁହେଁ, ବରଂ ଜନସେବା ଉପରେ ଆଧାରିତ ହେବା ଉଚିତ।

 

 

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button