
ବାରିପଦା: ‘ରାଷ୍ଟ୍ରପତି ତ ଆମ ଗାଁ ଝିଅ। ସାନବେଳୁ ତାଙ୍କୁ ଦେଖି ଆସୁଛୁ। ହେଲେ ପ୍ରଧାନମନ୍ତ୍ରୀଙ୍କୁ କେବେ ପାଖରେ ପାଇନଥିବାରୁ ତାଙ୍କୁ ଦେଖିବାକୁ ପାହାଡ଼ପୁରବାସୀ ବେଶ୍ ଉତ୍ସାହିତ’ ବୋଲି କହିଛନ୍ତି ଏହି ଗାଁର ସୋନା ମୁର୍ମୁ। ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଆଁ ପାହାଡ଼ପୁରକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡ଼ପୁର ସଜେଇ ହୋଇଛି। ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାଙ୍ଗରେ ଧରି ରାଷ୍ଟ୍ରପତି ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ତଥା ଧାର୍ମିକକେନ୍ଦ୍ର ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ।
ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ପୀଠ ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରା ପୀଠକୁ ଯିବେ। ସେଠାରୁ ଦିନ ୧୧.୨୫ରେ ନିକଟସ୍ଥ ଦକ୍ଷତା ବିକାଶକେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକଯୁବତୀଙ୍କ ସହିତ ବାର୍ତ୍ତାଳାପ କରିବେ। ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇପୁତ୍ରଙ୍କ ସ୍ମୃତିରେ ପାହାଡ଼ପୁରରେ ପ୍ରତିଷ୍ଠିତ ଏସ୍ଏଲ୍ଏସ୍ ମେମୋରିଆଲ୍ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଭାବ ବିନିମୟ କରିବେ। ସ୍କୁଲ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ହସ୍ତଶିଳ୍ପ ମେଳା ବୁଲି ଦେଖିବା ପରେ ଦାଣ୍ଡବୋଷରେ ଏକ ବିଶାଳ ସାଧାରଣ ସଭାକୁ ଉଭୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ୪୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବହୁ ପ୍ରତୀକ୍ଷିତ ଏହି ଗସ୍ତ ଲାଗି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ସରିଥିବାବେଳେ ପାହାଡ଼ପୁର ଗ୍ରାମବାସୀ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିବା ଲାଗି ଅପେକ୍ଷା କରିଛନ୍ତି।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ୧୩୫ ପ୍ଲାଟୁନ୍ ପୁଲିସ ଫୋର୍ସ, ୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ଦୁଇଜଣ କମାଣ୍ଡାଣ୍ଟ, ୧୦ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସ୍ପି ବରୁଣ ଗୁଣ୍ଡୁପାଲୀ ରାଇରଙ୍ଗପୁରରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି।
ସୌଜନ୍ୟ ସମ୍ବାଦ




