ବିଶେଷ

$350,000 to make a spoon: କିମାଶ୍ଚର୍ଯ୍ୟମ୍‌: ଚାମଚ ତିଆରି ପାଇଁ ୩.୫ ଲକ୍ଷ ଡଲାର

ରୋଷେଇ ଘରେ ଚାମଚର ବ୍ୟବହାର ସମସ୍ତେ କରନ୍ତି। ହେଲେ ଚାମଚକୁ ଯଦି ମୋଡ଼ି ଛୋଟ କରି ରଖିହେବ, ତେବେ କେମିତି ହେବ? ଏମିତି ଏକ ନୂଆ ଭାବନା ଆଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ଡିଜାଇନର୍ ରାହୁଲ ଅଗ୍ରୱାଲ।

ରୋଷେଇ ଘରେ ଚାମଚର ବ୍ୟବହାର ସମସ୍ତେ କରନ୍ତି। ହେଲେ ଚାମଚକୁ ଯଦି ମୋଡ଼ି ଛୋଟ କରି ରଖିହେବ, ତେବେ କେମିତି ହେବ? ଏମିତି ଏକ ନୂଆ ଭାବନା ଆଣି ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ଡିଜାଇନର୍ ରାହୁଲ ଅଗ୍ରୱାଲ। ଆମେରିକାର ପ୍ରସିଦ୍ଧ ବିଜନେସ୍‌ ରିଅଲିଟି ସୋ’ ‘ସାର୍କ ଟ୍ୟାଙ୍କ୍‌ ୟୁଏସ୍‌ଏ’ରେ ତାଙ୍କୁ ମିଳିଛି ୩ ଲକ୍ଷ ୫୦ ହଜାର ଡଲାରର ନିବେଶ।

ରାହୁଲ ହେଉଛନ୍ତି ‘ପଲିଗନ୍ସ ଡିଜାଇନ୍‌’ କମ୍ପାନିର ପ୍ରତିଷ୍ଠାତା। ସେ ଜାପାନୀ କାଗଜସଜ୍ଜା କଳା ‘ଓରିଗାମି’ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ମାପ ଚାମଚ ବା ମେଜରିଂ ସ୍ପୁନ୍ ତିଆରି କରିଛନ୍ତି। ସେ ତିଆରି କରିଥିବା ଏହି ଚାମଚର ବିଶେଷତ୍ବ ହେଲା, ଏହାକୁ ମୋଡ଼ି ସମତଳ ଭାବରେ ରଖିହେବ। ଫଳରେ ଏଥିପାଇଁ ରୋଷେଇ ଘରେ ଅଧିକ ଜାଗା ଦରକାର ପଡ଼ିବ ନାହିଁ। ସାଧାରଣତଃ ରୋଷେଇରେ ଅଲଗା ଅଲଗା ପରିମାପର ଚାମଚ ଦରକାର ହୁଏ। କିନ୍ତୁ ରାହୁଲଙ୍କ ଏହି ନୂଆ ଚାମଚରେ ମାତ୍ର ଦୁଇଟି ଉପକରଣ ଦ୍ବାରା ଛଅ ପ୍ରକାର କାର୍ଯ୍ୟ କରିହେବ। ଚିହ୍ନ ଦିଆଯାଇଥିବା ସ୍ଥାନରେ ଚାପ ଦେଲେ ଏହା ନିର୍ଦ୍ଦିଷ୍ଟ ଆକାର ନେଇଥାଏ। ଏହି ଚାମଚ ମାତ୍ର ୨.୮ ମିଲିମିଟର ମୋଟା। କୌତୁହଳର ବିଷୟ ହେଲା, ଖାଦ୍ୟ ପାଇଁ ଉପଯୋଗୀ ସାମଗ୍ରୀରେ ଏହା ତିଆରି ହୋଇଛି।

୨୦୧୪ ମସିହାରେ ଅହମଦାବାଦସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍‌ରେ ପଢ଼ୁଥିବା ସମୟରେ ରାହୁଲଙ୍କ ମନକୁ ଏହି ଭାବନା ଆସିଥିଲା। ତାଙ୍କର ଜଣେ ସିନିଅର୍‌ ଦିନେ ତାଙ୍କୁ କହିଥିଲେ ଯେ, ଚାମଚର ଆକାରରେ ଆଉ କିଛି ନୂଆ କରିବା ସମ୍ଭବ ନୁହେଁ। ଏହାକୁ ସେ ଗୋଟେ ଆହ୍ୱାନ ହିସାବରେ ନେଇଥିଲେ।
ଶେଷରେ ତାଙ୍କର ଏହି ନୂଆ ଉଦ୍ଭାବନ ନିବେଶକଙ୍କ ମନ ଜିଣିଛି। ନିବେଶକ ଲୋରି ଗ୍ରେନର୍‌ ଓ ଅଭିନେତ୍ରୀ ମିଣ୍ଡି କାଲିଙ୍ଗ ଏହି ଉଦ୍ୟୋଗରେ ୩ ଲକ୍ଷ ୫୦ ହଜାର ଡଲାର ବଦଳରେ ମୋଟ ୧୦ ପ୍ରତିଶତ ଅଂଶଧନ ନେବାକୁ ରାଜି ହୋଇଛନ୍ତି। ମିଣ୍ଡି ଏହି ଉଦ୍ଭାବନକୁ ବେଶ୍ ଉପଯୋଗୀ ଓ ଚମତ୍କାର ବୋଲି କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button