
ଅନୁଗୁଳ: ତାଳଚେର ହାଟତୋଟାରେ ଥିବା ବାଲାଜୀ ସୁନା ସଫେଇ ଦୋକାନରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଲୁଟି ଗତକାଲି ରାତିରେ ଚମ୍ପଟ ମାରିଥିଲେ ଲୁଟେରା ଦଳ। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପିଛା କରିଥିଲା। ପୁଲିସକୁ ଦେଖି ଆଖିବୁଜା ଗୁଳି ଚଳାଇଲେ ଡକାୟତ ଦଳ। ଏହାର ଜବାବ ଦେଇଥିଲା ପୁଲିସ। ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ହଣ୍ଡପା ନିକଟରେ ପୁଲିସ ଏନ୍କାଉଣ୍ଟରରେ ୨ ଜଣ ଲୁଟେରା ଗୁରୁତର ହୋଇଥିଲେ। ଆହତ ଲୁଟେରାଦ୍ବୟ ହେଲେ ମହାରାଷ୍ଟ୍ରର ସଚିନ ଗେଜଗେ ଓ ପ୍ରକାଶ ମାଦନେ।
ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ରେ ଗୁଳି ବାଜିଛି। ଏନ୍କାଉଣ୍ଟର ହୋଇଥିବା ଦୁଇ ଜଣଙ୍କ ସମେତ ମୋଟ ୪ ଅଭିଯୁକ୍ତଙ୍କୁ ପୁଲିସ ଧରିଛି। ସମସ୍ତ ୪ ଅଭିଯୁକ୍ତ ମହାରାଷ୍ଟ୍ରର। ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୁଲିସ। ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସମେତ କାର୍ ଜବତ କରିଛି। ସେମାନଙ୍କ ନିକଟରୁ ପୁଲିସ ଲୁଟ୍ ହୋଇଥିବା ସୁନା ଓ ରୁପା ଅଳଙ୍କାର ଉଦ୍ଧାର କରିଛି।
/filters:format(webp)/sambad/media/media_files/2026/06/19/shsshffhh-2026-06-19-00-25-11.jpg)
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ତାଳଚେର ହାଟତୋଟାରେ ଥିବା ବାଲାଜୀ ସୁନା ସଫେଇ ଦୋକାନରେ ସଶସ୍ତ୍ର ଡକାୟତି ହୋଇଥିଲା। ବନ୍ଧୁକ ଦେଖାଇ ଡକାୟତମାନେ ପ୍ରାୟ ୨୩୦ ଗ୍ରାମ୍ ସୁନା, ୬୦ ଗ୍ରାମ୍ ସୁନା ଅଳଙ୍କାର ଓ ୭ଶହ ଗ୍ରାମ୍ ରୁପା ଅଳଙ୍କାର ଲୁଟି ନେଇଥିଲେ। ସେମାନେ ଦୋକାନର ଜଣେ କର୍ମଚାରୀଙ୍କୁ ଅପହରଣ କରି ଏକ କାର୍ରେ ଚମ୍ପଟ ମାରିଥିଲେ। ଅନୁଗୁଳ ଏସ୍ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସିସିଟିଭି ଫୁଟେଜ୍ ଓ ଅନ୍ୟ ତଥ୍ୟକୁ ଆଧାର କରି ଲୁଟେରା ଗ୍ୟାଙ୍ଗର ଗାଡ଼ି ଅନୁଗୁଳରୁ ସମ୍ବଲପୁର ଆଡ଼କୁ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣାପଡ଼ିଥିଲା। ବିଭିନ୍ନ ସ୍ଥାନରେ ନାକା ଲଗାଇ ପୁଲିସ ଜଗିଥିଲା। ପୁଲିସର ଗୋଟିଏ ଗାଡ଼ି ଲୁଟେରାଙ୍କ ପିଛା କରିଥିଲା।
ହଣ୍ଡପା ଥାନା ଚୁଲିଆପୁର ଜଙ୍ଗଲ ନିକଟରେ ଗାଡ଼ି ଛାଡ଼ି ଲୁଟେରାମାନେ ଫେରାର୍ ହେବାକୁ ଉଦ୍ୟମ କରି ଆଖିବୁଜା ଗୁଳି ଚଳାଇଥିଲେ। ପୁଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗୁଳି ବାଜିଛି। ସେମାନେ ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ପକ୍ଷରୁ ୪ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଅନୁଗୁଳ ଏସ୍ପି ରାହୁଲ ଜୈନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଡକାୟତିର ମାଷ୍ଟରମାଇଣ୍ଡ ପ୍ରକାଶ ମାଦ୍ନେ ଆଗରୁ ବାଲାଜୀ ସୁନା ସଫେଇ ଦୋକାନରେ କାମ କରୁଥିଲା। ଏଠାରୁ ଲୁଟ୍ ପାଇଁ ସେ ଯୋଜନା କରି ଆଉ କିଛି ସହଯୋଗୀଙ୍କୁ ସାମିଲ କରିଥିଲା। ଧରାପଡ଼ିଥିବା ଲୁଟେରାମାନେ ଆନ୍ତଃରାଜ୍ୟ ଅପରାଧୀ ବୋଲି ଏସ୍ପି କହିଛନ୍ତି। ଅପରାଧୀଙ୍କ ପ୍ରତି ପୁଲିସ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଥିଲାବେଳେ ୧୨ ଘଣ୍ଟା ଭିତରେ ଗ୍ୟାଙ୍ଗ୍ ଧରାପଡ଼ିଛନ୍ତି ବୋଲି ଏସ୍ପି କହିଛନ୍ତି।
ସୌଜନ୍ୟ ସମ୍ବାଦ




