Breaking News

କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦ୍‍ଘାଟିତ: ପୁରସ୍କାର ରାଶି ୬୦ ଲକ୍ଷ

କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ପଞ୍ଚଦଶ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ସୋମବାର ଉଦ୍‍ଘାଟିତ ହୋଇଛି। ସର୍ବଭାରତୀୟ ଚେସ୍‍ ସଂଘ (ଏଆଇସିଏଫ୍‍) ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବକୁ କିଟ୍‍ ପରିସରରେ...

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ପଞ୍ଚଦଶ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ସୋମବାର ଉଦ୍‍ଘାଟିତ ହୋଇଛି। ସର୍ବଭାରତୀୟ ଚେସ୍‍ ସଂଘ (ଏଆଇସିଏଫ୍‍) ମିଳିତ ସହଯୋଗରେ ଆୟୋଜିତ ଏହି ମହୋତ୍ସବକୁ କିଟ୍‍ ପରିସରରେ ଥିବା ବିଶ୍ୱନାଥନ୍‍ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‍ ହଲ୍‌ରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର କ୍ରୀଡ଼ା ଯୁଗ୍ମସମ୍ପାଦକ ବଲଜିତ୍‍ ସିଂହ ଶେଖାଓଁ, ଓଡ଼ିଶା ଚେସ୍‍ ସଂଘ ସଭାପତି ଜିସି ମହାପାତ୍ର, ପ୍ରତିଯୋଗିତାର ନିର୍ଦ୍ଦେଶକ ଆଇଏମ୍‍ ଶେଖର ସାହୁ, ଏଆଇସିଏଫ୍‍ ସଦସ୍ୟ ରଞ୍ଜନ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶଙ୍କ ଉପସ୍ଥିତିରେ ଏଆଇସିଏଫ୍‍ ଉପସଭାପତି ଗ୍ରାଣ୍ଡ ମାଷ୍ଟର ଦିବ୍ୟେନ୍ଦୁ ବରୁଆ ଉଦ୍‍ଘାଟନ କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ‘ଏ’, ‘ବି’ ଓ ‘ସି’ ତିନିଟି ବର୍ଗରେ ଖେଳାଯିବ।

ପ୍ରଥମ ଥର ଲାଗି ଭାରତରେ ଏଭଳି ସମାନ୍ତରାଳ ତିନିଟି ବର୍ଗରେ ଅନ୍ତର୍ଜାତୀୟ ଚେସ୍‍ ପ୍ରତିଯୋଗିତା ହେଉଛି। ‘ଏ’ରେ ସବୁ ବର୍ଗର ଖେଳାଳି ଖେଳି ପାରିବେ। ଏଥିରେ ମୋଟ ପୁରସ୍କାର ରାଶି ୩୦ ଲକ୍ଷ ଟଙ୍କା ରଖାଯାଇଛି। ‘ବି’ରେ ୧୯ଶହରୁ କମ୍‍ ରେଟିଂ ବର୍ଗର ଖେଳାଳି ଖେଳିପାରିବେ ଏବଂ ଏଥିରେ ମୋଟ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ରହିଛି। ‘ସି’ ବର୍ଗର ମ୍ୟାଚ୍‌ଗୁଡ଼ିକ ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୧୭ଶହରୁ କମ୍‌ ରେଟିଂର ଖେଳାଳି ଖେଳି ପାରିବେ ଏବଂ ମୋଟ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ରହିଛି। ମୋଟ ଉପରେ ଏହି ମ‌ହୋତ୍ସବରେ ୬୦ଲକ୍ଷ ଟଙ୍କାର ପୁରସ୍କାର ରହିଛି। ଏଥିରେ ବିଭିନ୍ନ ବର୍ଗରେ ମୋଟ ୪୩୬ଟି ପୁରସ୍କାର ରଖାଯାଇଛି। ଏହା ହେଉଛି ଭାରତରେ ସର୍ବାଧିକ ପୁରସ୍କାର ରହିଥିବା ଚେସ୍‍ ମହୋତ୍ସବ। ଏହି ମହୋତ୍ସବରେ ୩୦ରୁ ଊର୍ଦ୍ଧ୍ୱ ଦେଶରୁ ୧୨ଶହ ଖେଳାଳି ଯୋଗ ଦେଇଥିବା ବେଳେ ଏଥିରେ ୭୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଟାଇଟଲ୍‍ ହୋଲ୍‍ଡର ଅଂଶଗ୍ରହଣ କରିଛନ୍ତି। ଏହି ମହୋତ୍ସବରେ ସର୍ବନିମ୍ନ ୭ ବର୍ଷ ବୟସର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ସର୍ବାଧିକ ୯୧ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.