ମନୋରଞ୍ଜନ

Akshay Mohanty’s ‘Naagin’: ଜାଣନ୍ତି କି? ଅକ୍ଷୟ ମହାନ୍ତିଙ୍କ ‘ନାଗିନ୍’

ଓଡ଼ିଆ ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି କେବଳ ଯେ ଜଣେ କଣ୍ଠଶିଳ୍ପୀ, ସଂଗୀତକାର ଓ ଗୀତିକାର ତା’ ନୁହେଁ, ବରଂ ସେ ଜଣେ ସୁଲେଖକ ମଧ୍ୟ। ତାଙ୍କ ରଚିତ କେତେକ ପୁସ୍ତକ ଖୁବ୍ ଜନାଦୃତ।

ଓଡ଼ିଆ ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି କେବଳ ଯେ ଜଣେ କଣ୍ଠଶିଳ୍ପୀ, ସଂଗୀତକାର ଓ ଗୀତିକାର ତା’ ନୁହେଁ, ବରଂ ସେ ଜଣେ ସୁଲେଖକ ମଧ୍ୟ। ତାଙ୍କ ରଚିତ କେତେକ ପୁସ୍ତକ ଖୁବ୍ ଜନାଦୃତ। ଅକ୍ଷୟ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଯାଯାବର’ର ନିର୍ଦ୍ଦେଶକ ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଥିଲେ ଜଣେ। ସେ ଏକ ଓଡ଼ିଆ ଛବିର ସ୍କ୍ରିପ୍ଟ ମଧ୍ୟ ଲେଖିଥିଲେ। ଆଉ ଏହି ଛବିର ନାଁ ଥିଲା ‘ନାଗିନ୍’। କିନ୍ତୁ ଏହି ସିନେମାଟି ଫ୍ଲୋର୍‌କୁ ଯାଇପାରି ନଥିଲା। ଆସନ୍ତୁ ଜାଣିବା କ’ଣ ଥିଲା ଏହା ପଛର କାରଣ?

ଆପଣ ଜାଣନ୍ତି କି, ଅକ୍ଷୟ ମହାନ୍ତି ଏକ ଓଡ଼ିଆ ଛବିର ଚିତ୍ରନାଟ୍ୟ ରଚନା କରିଥିଲେ? ପରଦାକୁ ଆସିପାରି ନଥିବା ଏହି ଚଳଚ୍ଚିତ୍ର ପଛର କାହାଣୀ ବେଶ୍‌ ରୋଚକ।

‘ରାଧା’, ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ଓ ‘କିଏ ପୋଛିବ ମା’ ଆଖିର ଲୁହ’ ଆଦି ଓଡ଼ିଆ ଛବିର ନିର୍ମାତା ସୁବ୍ରତ ସାମନ୍ତରାୟ ‘ଦିନେ ରାତିରେ’ ଶୀର୍ଷକରେ ଏକ ଟେଲିଧାରାବାହିକ ନିର୍ମାଣ କରୁଥାନ୍ତି। ଦୂରଦର୍ଶନ (ଡିଡି-୧) ପାଇଁ ନିର୍ମିତ ୩୨ ଅଧ୍ୟାୟବିଶିଷ୍ଟ ଏହି ମେଗା ଧାରାବାହିକର ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ ଦେଉଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଉଥାଆନ୍ତି ଅକ୍ଷୟ। ଏହି ସମୟରେ ଦିନେ ପ୍ରଯୋଜକ ସୁବ୍ରତ ସାମନ୍ତରାୟଙ୍କୁ ଅକ୍ଷୟ ମହାନ୍ତି ଏକ ସଂକ୍ଷିପ୍ତ କାହାଣୀ ଶୁଣାଇଲେ ଏବଂ ସେ ଏହା ଉପରେ ଏକ ଉପନ୍ୟାସ ଲେଖିବାକୁ ଚାହୁଁଥିବା କହିଲେ। କାହାଣୀଟି ସଂକ୍ଷିପ୍ତ ଭାବେ ଶୁଣିବା ପରେ ସୁବ୍ରତଙ୍କ ମୁହଁରୁ ତତ୍‌କ୍ଷଣାତ୍ ବାହାରିପଡ଼ିଲା,‘‘ଖୋକାଭାଇ ଏ କାହାଣୀଟିକୁ ମୋତେ ଦିଅନ୍ତୁ, ମୁଁ ତାକୁ ନେଇ ସିନେମା ତିଆରି କରିବି।’’

ଅକ୍ଷୟ କିଛି ସମୟ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଢଙ୍ଗରେ ସୁବ୍ରତଙ୍କୁ ଚାହିଁଲେ ଏବଂ କହିଲେ, ‘‘ତୁ ଯଦି ସିନେମା କରିବୁ, ତା’ହେଲେ ଚିତ୍ରନାଟ୍ୟ ଓ ସଂଳାପ ବି ମୁଁ ଲେଖିବି।’’ ଏକଥା ଶୁଣି ଆହୁରି ଖୁସି ହୋଇଗଲେ ପ୍ରଯୋଜକ। ବାସ୍ ତା’ ପରଦିନ ଠାରୁ ଆରମ୍ଭ ହୋଇଗଲା ‘ନାଗିନ୍’ର ସ୍କ୍ରିପ୍ଟ ଲେଖା କାମ। ପ୍ରତିଦିନ ପ୍ରାୟ ଏଗାରଟା ବେଳେ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଖୋକାଭାଇଙ୍କୁ ତାଙ୍କ ଘରୁ ଧରି ଆସି ସୁବ୍ରତ ସାମନ୍ତରାୟଙ୍କ କଟକର ଅରୁଣୋଦୟ ମା‌ର୍କେଟସ୍ଥିତ ଅଫିସରେ ପହଞ୍ଚନ୍ତି ଏବଂ ତା’ପରେ କାହାଣୀ ସାଙ୍ଗକୁ ଚିତ୍ରନାଟ୍ୟ ଓ ସଂଳାପ ଲେଖନ୍ତି ଅକ୍ଷୟ। ଏମିତି ପାଖାପାଖି ତିନି ମାସ ଧରି ଚାଲିଲା। ଅକ୍ଷୟ ମହାନ୍ତି ଫିଲ୍ମର ସଂପୂର୍ଣ୍ଣ ସ୍କ୍ରିପ୍ଟ ବି ପ୍ରସ୍ତୁତ କରିଦେଲେ। ତା’ର ସଂଗୀତ ନିର୍ଦ୍ଦେଶନା ବି ଦେଇଥାନ୍ତେ ସେ। ହେଲେ ତା’ ପୂର୍ବରୁ ସେ ଇହଲୀଳା ସମ୍ବରଣ କଲେ, ଆଉ ପ୍ରଯୋଜକ ଓ ନିର୍ଦ୍ଦେଶକ ଖୋକା ଭାଇଙ୍କ ‘ନାଗିନ୍’ ସିନେମା ନିର୍ମାଣ କରିବାର ସାହସ ଜୁଟାଇ ପାରି ନଥିଲେ। ବାସ୍ ସେଇଠି ଅଟକି ରହିଗଲା ‘ନାଗିନ୍’।

 

ସୌଜନ୍ୟ – ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button