20 states : ଏଚ୍-୧ବି ଭିସା ଫି ବୃଦ୍ଧିକୁ ୨୦ ରାଜ୍ୟର ବିରୋଧ
ଟ୍ରମ୍ପ ପ୍ରଶାସନର ଏଚ୍-୧ବି ଭିସା ଫି ବୃଦ୍ଧିକୁ ଆମେରିକାର ୨୦ଟି ରାଜ୍ୟ ବିରୋଧ କରିଛନ୍ତି। ଏଚ୍-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବୃଦ୍ଧି କରାଯିବା ବେଆଇନ ବୋଲି ସେମାନେ ଦର୍ଶାଇ ଆଇନଗତ....

ୱାସିଂଟନ: ଟ୍ରମ୍ପ ପ୍ରଶାସନର ଏଚ୍-୧ବି ଭିସା ଫି ବୃଦ୍ଧିକୁ ଆମେରିକାର ୨୦ଟି ରାଜ୍ୟ ବିରୋଧ କରିଛନ୍ତି। ଏଚ୍-୧ବି ଭିସା ଫି ୧ ଲକ୍ଷ ଡଲାରକୁ ବୃଦ୍ଧି କରାଯିବା ବେଆଇନ ବୋଲି ସେମାନେ ଦର୍ଶାଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଡେମୋକ୍ରାଟିକ ପାର୍ଟିର ଆଟର୍ଣ୍ଣି ଜେନେରାଲମାନେ ମାମଲା ରୁଜୁ କରିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ସମ୍ବିଧାନର ବିନା ଅନୁମତିରେ ଅପ୍ରବାସନ ଆଇନ ବଦଳାଇବାର ଆଇନଗତ କ୍ଷମତା ରାଷ୍ଟ୍ରପତି ଟ୍ରମ୍ପଙ୍କର ନାହିଁ। ପୂର୍ବରୁ ଆମେରିକାର ଚାମ୍ବର ଅଫ୍ କମର୍ସ ସମେତ ଅନେକ ବେସରକାରୀ ସଂଗଠନ ଓ ଧାର୍ମିକ ପ୍ରତିଷ୍ଠାନ ପୂର୍ବରୁ ବିରୋଧ କରି ଆଇନର ଆଶ୍ରୟ ନେଇଛନ୍ତି।
ରାଜ୍ୟଗୁଡ଼ିକ ଦର୍ଶାଇଛନ୍ତି ଯେ ଏଚ୍-୧ବି ଭିସା ସେମାନଙ୍କ ପାଇଁ ଆବଶ୍ୟକ। କାରଣ ସେମାନେ ଡାକ୍ତର, ନର୍ସ, ଗବେଷକ ଏବଂ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ଭଳି କୁଶଳୀ ବ୍ୟକ୍ତିମାନଙ୍କୁ ଏହା ଜରିଆରେ ନିଯୁକ୍ତି ଦେଇଥାନ୍ତି। ଆମେରିକାର ଅନେକ କମ୍ପାନି ଏହି ଭିସା ଜରିଆରେ ବିଦେଶୀ କର୍ମଚାରୀ ଆଣିଥାନ୍ତି। ଏତେ ଅଧିକ ଫିରେ ବିଦେଶୀ କର୍ମଚାରୀ ନିଯୁକ୍ତି ଦେବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହେବ। କଂଗ୍ରେସକୁ ଏଡ଼ାଇ ଯାଇ ଟ୍ରମ୍ପ ପ୍ରଶାସନ ଉକ୍ତ ଭିସା ଫି ବୃଦ୍ଧି କରିଛନ୍ତି ବୋଲି ସେମାନେ କହିଛନ୍ତି। କୌଣସି ରାଷ୍ଟ୍ରପତି କଂଗ୍ରେସ, ସମ୍ବିଧାନ କିମ୍ବା ଆଇନକୁ ଅଣଦେଖା କରିପାରିବେ ନାହିଁ ବୋଲି କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ରବ୍ ବୋନ୍ଟା କହିଛନ୍ତି। କଂଗ୍ରେସର ଆଇନ ବଳରେ ଏଚ୍-୧ବି ଭିସା କାର୍ଯ୍ୟକ୍ରମକୁ ବଦଳାଇବା କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ ବୋଲି ପୂର୍ବରୁ ବିଭିନ୍ନ ଶ୍ରମିକ ସଂଗଠନ, ବେସରକାରୀ ସଂଗଠନ ଓ ଧାର୍ମିକ ଗୋଷ୍ଠୀ ମତ ଦେବା ସହିତ ଅଦାଲତକୁ ଯାଇଥିଲେ।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ ଗତ ସେପ୍ଟେମ୍ବର ୨୦ରେ ଏଚ୍-୧ ଭିସା ଫିକୁ ୧ ଲକ୍ଷ ଡଲାରକୁ ବୃଦ୍ଧି କରିଥିଲେ। ଏଥିଯୋଗୁ ଭାରତ ସମେତ ବିଭିନ୍ନ ଦେଶର ବିଦେଶୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାର ଦିନକ ପରେ ହ୍ବାଇଟ୍ ହାଉସ୍ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା। ସେଥିରେ କୁହାଯାଇଥିଲା ଏହି ଭିସା ଫି କେବଳ ନୂଆ ଆବେଦନ ପାଇଁ ଲାଗୁ ହେବ।



