Bangladeshi leader threatens: ବାଂଲାଦେଶୀ ନେତାଙ୍କ ଧମକ: ‘ଉତ୍ତର-ପୂର୍ବକୁ ଭାରତରୁ ଅଲଗା କରିଦେବୁ’
ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନ୍ସିପି) ନେତା ହସନତ ଅବଦୁଲ୍ଲାଙ୍କ ଉତ୍ତେଜକ ବିବୃତି ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି।

ଢାକା: ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନ୍ସିପି) ନେତା ହସନତ ଅବଦୁଲ୍ଲାଙ୍କ ଉତ୍ତେଜକ ବିବୃତି ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି। ଢାକାର କେନ୍ଦ୍ରୀୟ ସହିଦ ମିନାରରେ ଇନ୍କିଲାବ ମଞ୍ଚ ଦ୍ୱାରା ଆୟୋଜିତ ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧିତ କରି ଅବଦୁଲ୍ଲା କହିଛନ୍ତି, ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଉଦ୍ୟମ ଜାରି ରଖିବ, ତେବେ ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ ଏବଂ ଭାରତର ସମଗ୍ର ଉତ୍ତର ପୂର୍ବ ଅଂଚଳ ବିଚ୍ଛିନ୍ନ କରିଦିଆଯିବ।
ହସନତ ଅବଦୁଲ୍ଲା ସିଧାସଳଖ ଭାରତକୁ ଧମକ ଦେଇ କହିଛନ୍ତି ଯେ ଯଦି ବାଂଲାଦେଶର ସାର୍ବଭୌମତ୍ୱ, ଭୋଟ୍ ଅଧିକାର ଏବଂ ମାନବିକ ଅଧିକାରକୁ ସମ୍ମାନ ଦେଉନଥିବା ଶକ୍ତିକୁ ଆଶ୍ରୟ ଦିଆଯାଏ, ତେବେ ବାଂଲାଦେଶ ମଧ୍ୟ ଏହାର ଜବାବ ଦେବ। ସେ କହିଥିଲେ ଯେ ବାଂଲାଦେଶରେ ଅସ୍ଥିରତାର ନିଆଁ କେବଳ ସୀମାରେ ସୀମିତ ରହିବ ନାହିଁ ବରଂ ସମଗ୍ର ଅଂଚଳରେ ବ୍ୟାପିପାରେ। ଏନ୍ସିପି ନେତା ଅଭିଯୋଗ କରିଛନ୍ତି, ଦେଶରେ ଅରାଜକତା ସୃଷ୍ଟି କରିବା, ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଏବଂ ଆମ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିବାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଭାରତର ସମର୍ଥନ ରହିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସୀମାରେ ବାଂଲାଦେଶୀ ନାଗରିକଙ୍କ ହତ୍ୟାରେ ଭାରତୀୟ ଏଜେନ୍ସି ସମ୍ପୃକ୍ତ ରହିଛି। ଭାରତର ଭୂମିକାକୁ ସମାଲୋଚନା କରି ହସନତ କହିଛନ୍ତି ଯେ ସ୍ୱାଧୀନତାର ୫୪ ବର୍ଷ ପରେ ମଧ୍ୟ ବାଂଲାଦେଶ ଶାଗୁଣା ଭଳି ଶକ୍ତିର ସମ୍ମୁଖୀନ ହେଉଛି, ଯେଉଁମାନେ ଦେଶ ଉପରେ ନିୟନ୍ତ୍ରଣ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ବାଂଲାଦେଶକୁ ଦୁର୍ବଳ କରିବାକୁ ଚାହୁଛି ଏବଂ ଏହାକୁ ଏକ ବିବାଦୀୟ ଦେଶରେ ପରିଣତ କରିବାକୁ ଚାହୁଁଛି।
ଅବଦୁଲ୍ଲା ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶେଖ ହସିନାଙ୍କ ସମର୍ଥକମାନେ ଅର୍ଥ, ଅସ୍ତ୍ରଶସ୍ତ୍ର ଏବଂ ତାଲିମ ମାଧ୍ୟମରେ ଲୋକଙ୍କୁ ବାଂଲାଦେଶ ବିରୋଧରେ ଉସୁକାଉଛନ୍ତି। ଏଥି ସହିତ ସେ ବାଂଲାଦେଶ ନିର୍ବାଚନ କମିସନଙ୍କୁ ତୀବ୍ର ସମାଲୋଚନା କରି ଏହାକୁ ମେରୁଦଣ୍ଡହୀନ ବୋଲି କହିଛନ୍ତି। ସେ ମୁଖ୍ୟ ନିର୍ବାଚନ କମିସନରଙ୍କ ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ସୌଜନ୍ୟ ସମ୍ବାଦ


