Tree ambulance: ବୃକ୍ଷ ଆମ୍ବୁଲାନ୍‌ସ

କୌଣସି କାରଣରୁ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଲେ ମଣିଷ ବା ଜୀବଜନ୍ତୁଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି। କିନ୍ତୁ, ଗଛଟିଏ କୌଣସି ଦୁର୍ବିପାକରେ ପଡ଼ିଲେ ତା’ର ଚିକିତ୍ସା ନିମନ୍ତେ ଅଳ୍ପ କେତୋଟି ଭାରତୀୟ ସହରରେ ଆମ୍ବୁଲାନ୍‌ସ ସେବା ଅଛି। ପ୍ରଥମ ପୂର୍ବ-ଭାରତୀୟ ମହାନଗରୀ ଭାବେ କୋଲକାତାରେ ବୃକ୍ଷ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଛି। ସ୍ବାସ୍ଥ୍ୟଗତ ଅସୁବିଧାରେ ପଡ଼ି ତ୍ବରିତ ଚିକିତ୍ସା ଆବଶ୍ୟକ କରୁଥିବା ବୃକ୍ଷରାଜିଙ୍କ ଚିକିତ୍ସା କରାଇବା ଲାଗି ଏ ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯାଇଛି। କୋଲକାତା ମହାନଗର ନିଗମ ଦ୍ବାରା ଚାଲୁ କରାଯାଇଥିବା ଏହି ବୃକ୍ଷ ଆମ୍ବୁଲାନ୍‌ସ ସାଢ଼େ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହା ବିନା ମୂଲ୍ୟରେ ସର୍ବସାଧାରଣ ସ୍ଥାନରେ ଥିବା ବୃକ୍ଷରାଜିଙ୍କ ଚିକିତ୍ସା କରିବ। ଏହି ଆମ୍ବୁଲାନ୍‌ସ ସେବା ପାଇବା ପାଇଁ ଗୋଟାଏ ନିଃଶୁଳ୍କ ଟେଲିଫୋନ୍‌ ନମ୍ବର ବି ଦିଆଯାଇଛି। ଚାହିଦା ବଢ଼ିଲେ ବୃକ୍ଷ ଆମ୍ବୁଲାନ୍‌ସ ସେବା ବି ସମ୍ପ୍ରସାରିତ କରାଯିବ।

ସାଧାରଣତଃ, ଉପୁଡ଼ି ପଡ଼ିଥିବା ବୃକ୍ଷ, ଅଣେଇ ହୋଇ ସର୍ବସାଧାରଣଙ୍କୁ ବିପଦରେ ପକାଇବାକୁ ଥିବା ବୃକ୍ଷ ଅଥବା ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବୃକ୍ଷରାଜିର ଉପଚାର ପାଇଁ ଏହି ଆମ୍ବୁଲାନ୍‌ସ ଜରିଆରେ ପ୍ରତିକାର କରାଯିବ। ପ୍ରଭାବିତ ବୃକ୍ଷର ମୂଳ ସୁଦୃଢ଼ କରିବା, ଆବଶ୍ୟକସ୍ଥଳେ କିଛି ଡାଳପଲା କାଟିବା, ନଚେତ ସେଠାରୁ ନିରାପଦରେ ଉପାଡ଼ି ନେଇ ଅନ୍ୟତ୍ର ରୋପଣ କରିବା ଏବଂ ଆବଶ୍ୟକ ଅନୁଯାୟୀ ବା‌େୟାସାଇଡ୍‌ସ ଓ ଫଙ୍ଗିସାଇଡ୍‌ସ ପ୍ର‌ୟୋଗ କରିବା ଇତ୍ୟାଦି କାର୍ଯ୍ୟ ଉକ୍ତ ଆମ୍ବୁଲାନ୍‌ସ ଦ୍ବାରା ସମ୍ପାଦିତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ