ପୁନଶ୍ଚ ପୃଥିବୀ

Environmental Warrior: ପରିବେଶ ଯୋଦ୍ଧା: ବର୍ଜ୍ୟ ସାମଗ୍ରୀରୁ ପରିବେଶ ଅନୁକୂଳ କଳାକୃତି

ପିଲାଟି ଦିନରୁ ହିଁ ପରିବେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ଥିଲା। ସୋସିଆଲ୍‌ ମିଡିଆରୁ ପ୍ରଶଂସା ମିଳିବା ପରେ ତା‌ଙ୍କର ସେହି ଇଚ୍ଛା ଆହୁରି ଦୃଢ଼ ହେବାକୁ ଲାଗିଲା। ପୁଣି ଜଣେ ଚିତ୍ରକର ହୋଇଥିବାରୁ ଚିତ୍ରକଳା ମାଧ୍ୟମରେ ପରିବେଶ ପାଇଁ କ’ଣ କରିହେବ ସେକଥା ଚିନ୍ତା କରୁଥିଲେ।

ପିଲାଟି ଦିନରୁ ହିଁ ପରିବେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କ ମନରେ ଥିଲା। ସୋସିଆଲ୍‌ ମିଡିଆରୁ ପ୍ରଶଂସା ମିଳିବା ପରେ ତା‌ଙ୍କର ସେହି ଇଚ୍ଛା ଆହୁରି ଦୃଢ଼ ହେବାକୁ ଲାଗିଲା। ପୁଣି ଜଣେ ଚିତ୍ରକର ହୋଇଥିବାରୁ ଚିତ୍ରକଳା ମାଧ୍ୟମରେ ପରିବେଶ ପାଇଁ କ’ଣ କରିହେବ ସେକଥା ଚିନ୍ତା କରୁଥିଲେ। କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ‌ବଳେ ଆସେ! ଆଉ ଲିପ୍‌ସା ବେହୁରାଙ୍କ କ୍ଷେତ୍ରରେ ସେହି କଥାଟି ସତ ପ୍ରମାଣିତ ହୋଇଛି।

କଟକ ନୂଆ ବଜାରର ବାସିନ୍ଦା ଲିପ୍‌ସା ବାରିପଦାରେ ବନ୍ୟପ୍ରାଣୀ ସଂରକ୍ଷଣରେ ଏମ୍ଏସ୍‌ସି କରିବା ପରେ ଟିସିଏସ୍‌ କମ୍ପାନିରେ ଚାକିରି କଲେ। ତା’ପରେ ତାଙ୍କ ମନ ବଦଳିଲା। ସେ ସେଠାରୁ ଷ୍ଟଡି ଲିଭ୍‌ରେ ଆସି କଟକ ଶ୍ରୀ ଶ୍ରୀ ୟୁନିଭର୍ସିଟିରେ ଏମ୍‌ବିଏରେ ନାମ ଲେଖାଇଲେ। ଏମ୍‌ବିଏ ପଢ଼ିବା ବେଳେ ଆବର୍ଜନା ସାମଗ୍ରୀରେ କଳାକୃତି ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କଲେ। ଲିପ୍‌ସାଙ୍କ ଦକ୍ଷତାଙ୍କୁ ବହୁ ଲୋକ ପସନ୍ଦ କଲେ। ଧୀରେ ଧୀରେ ଲୋକ ଏସବୁ କିଣିବା ଲାଗି ଅନ୍‌ଲାଇନ୍‌ ବରାଦ ବି କଲେ। ଏହା ତାଙ୍କ ମନୋବଳକୁ ଇନ୍ଧନ ଯୋଗାଇଲା। ଏ ଦିଗରେ ଆଗକୁ ବଢ଼ିଲେ ଲିପ୍‌ସା। ଏବେ ସେ ସଂପୂର୍ଣ୍ଣ ଭାବେ ପରିବେଶ ପାଇଁ କାମ କରୁଛନ୍ତି। ବ୍ୟବହାର ପରେ ଅାବର୍ଜନା ଭାବେ ପରିଗଣିତ ହେଉଥିବା ସାମଗ୍ରୀକୁ ନେଇ ନୂଆନୂଆ କଳାକୃତି ସୃଷ୍ଟି କରୁଛନ୍ତି। ବିଶେଷ କରି ପୁରୁଣା କାଗଜ, କାଚ, ଲୁଗା ଓ ନଡ଼ିଆ ଷଢ଼େଇକୁ ବ୍ୟବହାର କରି ସେ ବିଭିନ୍ନ ମନଲୋଭା ଜିନିଷ ତିଆରି କରୁଛନ୍ତି। ପ୍ଳାଷ୍ଟିକ୍‌ର ବ୍ୟବହାର ପରିବେଶ ପାଇଁ ଖରାପ ହୋଇଥିବାରୁ, ତାହାକୁ ରୋକିବା ପାଇଁ ସେ ପରିବେଶ ପ୍ରତି କ୍ଷତିକାରକ ହୋଇ ନଥିବା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ଯାହା ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରୁଛି।

ପ୍ରାୟ ପାଞ୍ଚ ବର୍ଷ ହେବ ଏହି କାମ କରି ଆସୁଥିବା ବେଳେ ୨୦୨୩ ମସିହା ଜୁନ୍‌ ମାସରେ ଲିପ୍‌ସା ‘ବିୟଣ୍ଡ୍‌ ୱେଷ୍ଟ୍‌’ ନାମକ ନିଜସ୍ବ ସଂସ୍ଥା ଗଠନ କରିଛନ୍ତି। ସେହି ସଂସ୍ଥାରେ ତାଙ୍କ ସହ ଅନ୍ୟ କେତେଜଣ ବି ଯୋଡ଼ି ହୋଇଛନ୍ତି। ଦାନରେ ମିଳୁଥିବା ବର୍ଜ୍ୟ ସାମଗ୍ରୀ ହିଁ ସେମାନଙ୍କ ସମ୍ବଳ। କିଛି ଲୋକ ତାଙ୍କୁ ମଦ ବୋତଲ ଦାନ କରନ୍ତି ତ ସେ କେଉଁ ଟେଲର୍‌ ପାଖକୁ ଯାଇ ଅଦରକାରୀ ଲୁଗା ସଂଗ୍ରହ କରନ୍ତି। ଖବରକାଗଜ କିମ୍ବା ବ୍ୟବହୃତ ନୋଟ୍‌ ବୁକକୁ ବି କାମରେ ଲଗାଇବାରେ ସେ ମାହିର। ଲିପ୍‌ସା ସବୁଥିରେ ନିଜର ସୃଜନ ଛୁଙ୍କ ଦେଇ ଗଢ଼ି ଚାଲିଛନ୍ତି ସୁନ୍ଦର ସୁନ୍ଦର ସାମଗ୍ରୀ। ଅଦରକାରୀ ଜିନିଷ ବ୍ୟବହାର କରି ବଟଲ୍‌ ଆର୍ଟ, ନୂଆ‌ କାଗଜ, ଡାଏରି, ନୋଟ୍‌ ବୁକ୍‌, ଅଳଙ୍କାର, ମହମବତି ଦାନୀ ଆଦି ତିଆରି କରୁଛନ୍ତି ସେ। ବିଶେଷ କରି ସେ ଉପହାର ଭାବେ ବ୍ୟବହୃତ ହୋଇ ପାରିବା ଭଳି ଜିନିଷ ହିଁ ତିଆରି କରୁଛନ୍ତି। ଲିପ୍‌ସା କହନ୍ତି, ‘‘ଯେତେବେଳେ ଆମେ କାହାକୁ ଉପହାର ଦେଉ, ସେତେବେଳେ ନିହାତି ଚିନ୍ତା କରିବା ଜରୁରି କି ସାମଗ୍ରୀଟି ପରିବେଶ ଉପରେ କୁପ୍ରଭାବ ପକାଇବ ନାହିଁ ତ? ଏଥିପାଇଁ ଆମେ ଏପରି ଉପହାରଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛୁ, ଯାହା ନଷ୍ଟ ହେବା ପରେ ବି ପରିବେଶ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ।’’
ଲିପ୍‌ସାଙ୍କର ଏହି ପରିବେଶ ପ୍ରତିବଦ୍ଧତା ଲାଗି ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ମଧ୍ୟ କରାଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button