Sports : ଜାତୀୟ ବ୍ୟାଡ୍‌ମିଣ୍ଟନ୍‌: ତନ୍‌ଭୀ ଉପବିଜେତାSports : ଜାତୀୟ ବ୍ୟାଡ୍‌ମିଣ୍ଟନ୍‌: ତନ୍‌ଭୀ ଉପବିଜେତା

ଭୁବନେଶ୍ବର : ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ଚଳିତ ବରିଷ୍ଠ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ନିଜର ଚମକ ଜାରି ରଖିଛନ୍ତି। ନିକଟରେ ଭୁବନେଶ୍ବରରେ ଆୟୋଜିତ ୩୭ତମ ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା (୧୫ ଓ ୧୭ ବର୍ଷରୁ କମ୍‌)ରେ ତନ୍‌ଭୀ ଦ୍ବିମୁକୁଟ ହାସଲ କରିଥିଲା ବେଳେ ରବିବାର ବିଜୟୱାଡାରେ ଶେଷ ହୋଇଥିବା ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଅଳ୍ପକେ ବିଜେତା ହେବାରୁ ବଞ୍ଚିତ ହୋଇଛନ୍ତି।

ମହିଳା ଏକକ ଫାଇନାଲ୍‌ରେ ୧୪ ବର୍ଷୀୟା ତନ୍‌ଭୀ କଡ଼ା ସଂଘର୍ଷ କରି ୨୧-୧୭, ୧୨-୨୧, ୧୪-୨୧ରେ ୧୯ ବର୍ଷୀୟା ସ୍ଥାନୀୟ ଖେଳାଳି ସୂର୍ଯା ଚରିଶ୍ମା ତମିରିଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ପ୍ରଥମ ଗେମ୍‌ ହାରିବା ପରେ ସୂର୍ଯା ଚରିଶ୍ମା ପରବର୍ତ୍ତୀ ଦୁଇ ସେଟ୍‌କୁ ଜିତି ବରିଷ୍ଠ ଜାତୀୟ ପ୍ରତିଯୋଗିତା ବିଜୟିନୀ ହେବାରେ ସର୍ବକନିଷ୍ଠ ହୋଇଥିଲେ। ଏହି ମ୍ୟାଚ୍‌ ୫୮ ମିନିଟ୍‌ ଧରି ଚାଲିଥିଲା। ପୁରୁଷ ଏକକରେ ରିତ୍ବିକ ସଞ୍ଜୀବ ଏସ୍‌ ୨୧-୧୬, ୨୨-୨୦ରେ ଭରତ ଗୌରବ ହରାଇ ବିଜେତା ହୋଇଥିଲେ। ମହିଳ ଯୁଗଳରେ ଶିଖା ଗୌତମ ଓ ଅଶ୍ବିନ ଭଟ୍ଟ ୨୧-୧୪, ୨୧-୧୫ରେ ପ୍ରିୟା ଦେବୀ କୋଞ୍ଜେଗବାମ ଓ ଶ୍ରୁତି ମିଶ୍ରାଙ୍କୁ, ପୁରୁଷ ଯୁଗଳରେ ହରିହରଣ ଅମସାକରୁନାନ୍‌ ଓ ଆର୍‌ ରୁବାନ ୨୧-୧୭, ୨୧-୧୨ରେ ମିଥିଲେଶ ପି କ୍ରିଷ୍ଣନ୍‌ଙ୍କୁ ଏବଂ ମିଶ୍ରିତ ଯୁଗଳରେ ସାତ୍ତ୍ବିକ ରେଡ୍ଡୀ ଓ ରାଧିକା ଶର୍ମା ୨୧-୯, ୨୧-୧୫ରେ ଅଶିତ ସୂର୍ଯ୍ୟ ଓ ଅମୃତ ପିଙ୍କୁ ହରାଇ ଟ୍ରଫି ହାତେଇଛନ୍ତି।

ସୌଜନ୍ୟ ସମ୍ବାଦ