Editorial: ବିଚରା ଗ୍ରାହକ!
ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ସୁବିଦିତ ଯେ ବୀମା କ୍ରେତା ଓ ବୀମା ବିକ୍ରେତାମାନଙ୍କ ମଧ୍ୟରେ ସଂପର୍କ ଗୁରୁତର ସୂଚନା ଅସନ୍ତୁଳନ (ଇନଫର୍ମେସନ ଆସିମେଟ୍ରି) ଉପରେ ପ୍ରତିଷ୍ଠିତ ହୋଇଥାଏ। ଜଣେ ବୀମା ଗ୍ରାହକ ତା’ର ଜୀବନ କାଳ ମଧ୍ୟରେ ମାତ୍ର ଥରେ ଦୁଇଥର ବୀମା ବ୍ୟବସାୟର ସମ୍ମୁଖୀନ ହୋଇଥାଏ....

ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ସୁବିଦିତ ଯେ ବୀମା କ୍ରେତା ଓ ବୀମା ବିକ୍ରେତାମାନଙ୍କ ମଧ୍ୟରେ ସଂପର୍କ ଗୁରୁତର ସୂଚନା ଅସନ୍ତୁଳନ (ଇନଫର୍ମେସନ ଆସିମେଟ୍ରି) ଉପରେ ପ୍ରତିଷ୍ଠିତ ହୋଇଥାଏ। ଜଣେ ବୀମା ଗ୍ରାହକ ତା’ର ଜୀବନ କାଳ ମଧ୍ୟରେ ମାତ୍ର ଥରେ ଦୁଇଥର ବୀମା ବ୍ୟବସାୟର ସମ୍ମୁଖୀନ ହୋଇଥାଏ; ଅପର ପକ୍ଷେ ବୀମା ବିକ୍ରେତାଙ୍କର ଏହା ଏକ ଦୈନନ୍ଦିନ ବେଉସା ହୋଇଥାଏ। ବୀମା ବିକ୍ରେତା ଜଣକ ଚତୁର ମନୋବୈଜ୍ଞାନିକ କୌଶଳ ପ୍ରୟୋଗ କରି ଶବ୍ଦ ଓ ସଂଖ୍ୟାର ଜାଲରେ ବିଚରା ଅଜ୍ଞ ଗ୍ରାହକକୁ ଏପରି ଛନ୍ଦି ଦେଇଥାନ୍ତି ଯେ, ଖୁବ୍ କମ୍ ଗ୍ରାହକ ସେଥିରୁ ମୁକୁଳି ପାରିଥାନ୍ତି।
ଭାରତର ବିଖଣ୍ଡିତ ବୀମା ବ୍ୟବସାୟ କ୍ଷେତ୍ରର ନିୟନ୍ତ୍ରଣରେ ସଂହତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ସରକାର ଉପରୋକ୍ତ ବୀମା ଆଇନମାନଙ୍କର ଏପରି ଏକ ଏକୀକୃତ ସଂଶୋଧନ ଘଟାଇବା ଉଚିତ ମନେ କରିଛନ୍ତି। ଉପରୋକ୍ତ ତିନିଗୋଟି ଆଇନ ଯଥାକ୍ରମେ ଘରୋଇ ବୀମା ବ୍ୟବସାୟ, ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେସନ ଓ ନିୟନ୍ତ୍ରଣକାରୀ ସଂସ୍ଥା ‘ଆଇଆର୍ଡିଏଆଇ’ ପ୍ରତି ଲାଗୁ ହେଉଥିଲା। ଏହି ନୂତନ ପରିମାର୍ଜିତ ଆଇନରେ ଅନ୍ତର୍ଭୁକ୍ତ ଯେଉଁ ପଦକ୍ଷେପ ସର୍ବାଧିକ ଦୃଷ୍ଟି ଆକର୍ଷଣ କରିଛି, ତାହା ହେଉଛି ବୀମା ବ୍ୟବସାୟରେ ଶତପ୍ରତିଶତ ବୈଦେଶିକ ପୁଞ୍ଜି ନିବେଶ ନିମିତ୍ତ ଅନୁମତି ପ୍ରଦାନ, ଯାହା ବର୍ତ୍ତମାନ ୭୪ ଶତାଂଶରେ ସୀମିତ ଥିଲା। ଏହାର ସୁଫଳ ସ୍ବରୂପ ଏଥର ଆନ୍ତର୍ଜାତିକ ବୀମା କଂପାନିମାନେ ସେମାନଙ୍କର ଭାରତୀୟ ଶାଖାମାନଙ୍କରେ ସିଧାସଳଖ ବିପୁଳ ପରିମାଣର ପୁଞ୍ଜି ଭର୍ତ୍ତି କରିପାରିବେ; ସେମାନଙ୍କୁ ଆଉ ପୂର୍ବ ପରି ସେମାନଙ୍କର ଭାରତୀୟ ପାର୍ଟନରମାନେ ମଧ୍ୟ ସମପରିମାଣର ପୁଞ୍ଜି ନିବେଶ କରିବାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହା ଦ୍ବାରା ସେମାନେ ଏଠାରେ ସେମାନଙ୍କର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ପାଇଁ ତଥା ବିଶ୍ବସ୍ତରୀୟ ଆପଦ-ଆକଳନ ଢାଞ୍ଚା (ରିସ୍କ ଆସେସମେଣ୍ଟ ମଡେଲ) ଅନୁସରଣ କରିବା ପାଇଁ ଆଗେଇ ଆସିବେ। ଏଥି ସହିତ ସେମାନେ ଭାରତୀୟ ବଜାରରେ ସେମାନଙ୍କର ସର୍ବୋତ୍ତମ ବୀମା ଅଫର ମଧ୍ୟ ଉପଲବ୍ଧ କରାଇବାକୁ ଆଗ୍ରହୀ ହେବେ।
ଏହି ନୂତନ ଆଇନଟିରେ ରହିଥିବା ବ୍ୟବସ୍ଥାମାନଙ୍କର ଅନୁଶୀଳନ କଲେ କୌଣସି ସନ୍ଦେହ ରହେନାହିଁ ଯେ ଦେଶରେ ଅତ୍ୟନ୍ତ ଦୁର୍ବଳ ବୀମା ସୁରକ୍ଷା ପ୍ରସାରରେ ଉନ୍ନତି ଘଟାଇବା, ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ବୀମା ସୁରକ୍ଷାର ବିବିଧତାରେ ପରିଦୃଷ୍ଟ ସ୍ଥାଣୁତା ଦୂର କରିବା ଓ ଏ କ୍ଷେତ୍ରରେ ନିବେଶ ନିମିତ୍ତ ଆବଶ୍ୟକ ହେଉଥିବା ପୁଞ୍ଜି ଯୋଗାଣରେ ବୃଦ୍ଧି କରିବା ହେଉଛି ଏହି ସଂଶୋଧିତ ଆଇନ ପ୍ରଣୟନର ଉଦ୍ଦେଶ୍ୟ। ଆଇନଟି କାର୍ଯ୍ୟକାରୀ ହେଲେ ଭାରତରେ ବୀମା ବ୍ୟବସାୟ କ୍ଷେତ୍ରରେ ନିବେଶକମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ସହିତ ଏ କ୍ଷେତ୍ରରେ ପ୍ରବେଶ କରିବାକୁ ଆଗ୍ରହୀ ଥିବା ବିଦେଶୀ କଂପାନିମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିବନ୍ଧକମାନ ଦୂର ହେବ। ବିଶେଷ ଅର୍ଥନୈତିକ ଅଞ୍ଚଳ (ସ୍ପେସାଲ ଇକୋନମିକ ଜୋନ୍)ମାନଙ୍କରେ କାର୍ଯ୍ୟ କରୁଥିବା କଂପାନିମାନେ ମଧ୍ୟ ଏକ ପ୍ରତିବନ୍ଧକହୀନ ପରିବେଶରେ କାର୍ଯ୍ୟ କରିବାର ସୁବିଧା ଉପଭୋଗ କରିବେ। ବର୍ତ୍ତମାନ ଭାରତ ପ୍ରତ୍ୟେକ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରି ୨୦୪୭ ସୁଦ୍ଧା ସ୍ଥାପିତ ଓ ଘୋଷିତ ଲକ୍ଷ୍ୟ- ବିକଶିତ ଭାରତ – ହାସଲ କରିବା ପାଇଁ ଦେଶର ବୀମା ବ୍ୟବସାୟ କ୍ଷେତ୍ରରେ ଏଭଳି ଏକ ସଂସ୍କାର ଯେ ଜରୁରି, ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ।
ଏହି କ୍ଷେତ୍ରର ପ୍ରବେଶ ଦ୍ବାରକୁ ଉନ୍ମୁକ୍ତ କରିଦେଲେ ବିଦେଶୀ କଂପାନି ଓ ନିବେଶକମାନଙ୍କର ପ୍ରବେଶ ସହିତ ଏହି କ୍ଷେତ୍ରରେ ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ମାନରେ ବୃଦ୍ଧି ସାଧନ ନିମନ୍ତେ ଆବଶ୍ୟକ ହେଉଥିବା ପୁଞ୍ଜି, ଦକ୍ଷତା ଓ ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଚାପର ପ୍ରବେଶ ଘଟିବ। ସେଆର୍ ହସ୍ତାନ୍ତର ସମ୍ମୁଖୀନ ହେଉଥିବା ଅମଲାତାନ୍ତ୍ରିକ ପ୍ରତିବନ୍ଧକ ସବୁକୁ ହୁଗୁଳା କରିବା ପାଇଁ ଓ ମଧ୍ୟସ୍ଥିମାନଙ୍କର ସଂଜ୍ଞାରେ ସଂପ୍ରସାରଣ ଘଟାଇବା ପାଇଁ ଆଇନରେ କରାଯାଇଥିବା ବ୍ୟବସ୍ଥା ଏଇ ଲକ୍ଷ୍ୟ ହାସଲରେ ବିଶେଷ ଭାବରେ ସହାୟକ ହେବ ବୋଲି ଆଶା କରାଯାଏ।
କିନ୍ତୁ ଭାରତରେ ବୀମା ବ୍ୟବସାୟ ସର୍ବଦା ଗ୍ରାହକ ଅସନ୍ତୋଷ ସହିତ ଯେଉଁଭଳି ଜଡ଼ିତ ହୋଇ ଆସିଛି, ତାହା ଦୂର କରିବା ପାଇଁ ସଂଶୋଧିତ ଆଇନରେ କୌଣସି ବ୍ୟବସ୍ଥା କରାଯାଇଥିବା ଭଳି ମନେ ହୁଏ ନାହିଁ। ଆଇନରେ କରାଯାଇଥିବା ଏ ସଂପର୍କିତ ଗୋଟିଏ ବ୍ୟବସ୍ଥା ଅବଶ୍ୟ ବିଶେଷ ସମ୍ଭାବନା ବହନ କରିଥିବା ଭଳି ଲାଗିଥାଏ: ବୀମାଧାରୀମାନଙ୍କର ସୁରକ୍ଷା ଓ ଶିକ୍ଷା ଫଣ୍ଡ୍ ପ୍ରତିଷ୍ଠା। ଏହି ଫଣ୍ଡ୍ ‘ଇନ୍ସ୍ୟୁରାନ୍ସ ରେଗୁଲେଟରି ଆଣ୍ଡ୍ ଡେଭଲପ୍ମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ’ (‘ଆଇଆର୍ଡିଏଆଇ’) ଦ୍ବାରା ପରିଚାଳିତ ହେବ ବୋଲି ଆଇନରେ ବ୍ୟବସ୍ଥା କରାଯାଇଛି। ବୀମାଧାରୀମାନଙ୍କର ସ୍ବାର୍ଥ ସୁରକ୍ଷିତ ରଖିବା ତଥା ସେମାନଙ୍କୁ ଏ ବାବଦରେ ଆବଶ୍ୟକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଫଣ୍ଡ୍ରେ ଥିବା ଅର୍ଥ ବ୍ୟବହୃତ ହେବ ବୋଲି ଏଇ ନୂତନ ଆଇନରେ କୁହାଯାଇଛି।
ଏହା ବେଶ୍ ଆଶାଜନକ ହୋଇଥିବା ବେଳେ, ଏହା ସୃଷ୍ଟି କରୁଥିବା ଏକ ପ୍ରଶ୍ନ କିନ୍ତୁ ହତାଶା ପ୍ରତି ଇଙ୍ଗିତ କରିଥାଏ: ବୀମାଧାରୀମାନଙ୍କୁ କିଏ ଏଇ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦାନ କରିବ? ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କୁ ସୁବିଦିତ ଯେ ବୀମା କ୍ରେତା ଓ ବୀମା ବିକ୍ରେତାମାନଙ୍କ ମଧ୍ୟରେ ସଂପର୍କ ଗୁରୁତର ସୂଚନା ଅସନ୍ତୁଳନ (ଇନଫର୍ମେସନ ଆସିମେଟ୍ରି) ଉପରେ ପ୍ରତିଷ୍ଠିତ ହୋଇଥାଏ। ଜଣେ ବୀମା ଗ୍ରାହକ ତା’ର ଜୀବନ କାଳ ମଧ୍ୟରେ ମାତ୍ର ଥରେ ଦୁଇଥର ବୀମା ବ୍ୟବସାୟର ସମ୍ମୁଖୀନ ହୋଇଥାଏ; ଅପର ପକ୍ଷେ ବୀମା ବିକ୍ରେତାଙ୍କର ଏହା ଏକ ଦୈନନ୍ଦିନ ବେଉସା ହୋଇଥାଏ। ବୀମା ବିକ୍ରେତା ଜଣକ ଚତୁର ମନୋବୈଜ୍ଞାନିକ କୌଶଳ ପ୍ରୟୋଗ କରି ଶବ୍ଦ ଓ ସଂଖ୍ୟାର ଜାଲରେ ବିଚରା ଅଜ୍ଞ ଗ୍ରାହକକୁ ଏପରି ଛନ୍ଦି ଦେଇଥାନ୍ତି ଯେ, ଖୁବ୍ କମ୍ ଗ୍ରାହକ ସେଥିରୁ ମୁକୁଳି ପାରିଥାନ୍ତି।
ବୀମା କଂପାନିମାନେ ବିକ୍ରୟ ନିମିତ୍ତ ଅନେକ ସମୟରେ ଏପରି ପଲିସି ପ୍ରସ୍ତୁତ କରିଥାନ୍ତି, ଯାହା ପରବର୍ତ୍ତୀ ସମୟରେ ଗ୍ରାହକ ପାଇଁ ଏକ ବିତ୍ତୀୟ ବିପର୍ଯ୍ୟୟ ସୃଷ୍ଟି କରିଥାଏ। ଏଭଳି ପଲିସିର ବିକ୍ରୟ ସମୟରେ ଯେଉଁ ଆକର୍ଷଣୀୟ ଲାଭର ହିସାବ ଗ୍ରାହକ ସମ୍ମୁଖରେ ପେସ କରାଯାଇଥାଏ, ତାହା ଅନେକ ସମୟରେ ମିଥ୍ୟାଚାର ଉପରେ ପ୍ରତିଷ୍ଠିତ ହୋଇଥାଏ। ଏଭଳି ଅସାଧୁ ବିକ୍ରୟ କୌଶଳ ‘ମିସ୍-ସେଲିଙ୍ଗ’ ରୂପେ ସୁପରିଚିତ। କିନ୍ତୁ ସମସ୍ୟା ହେଲା ଏଭଳି ପଲିସି ବିକ୍ରୟ ନିମିତ୍ତ ଖୋଦ ‘ଆଇଆର୍ଡିଏଆଇ’ ହିଁ ଅନୁମୋଦନ କରିଥାଏ। ଏଥର ତା’ ହେଲେ ସେଇ ‘ଆଇଆର୍ଡିଏଆଇ’ କ’ଣ ଗ୍ରାହକମାନଙ୍କୁ ସାବଧାନ କରିଦେବ ଯେ ସେ ଅନୁମୋଦନ କରିଥିବା ପଲିସିମାନ ଗ୍ରାହକମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ନୁହେଁ, ସଂପୃକ୍ତ ବୀମା କଂପାନିମାନଙ୍କର ଲାଭ ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ? ତେଣୁ ଗ୍ରାହକମାନଙ୍କୁ ବୋଧହୁଏ ସମୁଦାୟ ଯେଉଁ ଶିକ୍ଷା ପ୍ରଦାନ କରାଯିବ, ତାହା ହେଲା:‘‘ବୁଝି ବିଚାରି କାର୍ଯ୍ୟ କଲେ, ପ୍ରମାଦ ନ ପଡ଼ଇ ଭଲେ।’’ କିନ୍ତୁ ଏକଥା କିଏ ବା ଭଲା ନ ଜାଣେ? ବିଚରା ଗ୍ରାହକ!
ସୌଜନ୍ୟ ସମ୍ବାଦ




