Maoist: ପୁଲିସ ଘେରାବନ୍ଦୀରେ ମାଓନେତା: ‘ଗୁଳି ନ ଚଳାଇ ଆତ୍ମସମର୍ପଣ ସୁଯୋଗ ଦିଅନ୍ତୁ’, ମିସିର ବେସରାଙ୍କ ପୁଅଙ୍କ ନିବେଦନ

ବିଶ୍ରା(ଦେବକୁମାର ଦେ): ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷାବଳଙ୍କ ଦ୍ୱାରା ଗତ କିଛି ଦିନ ହେବ ଏକ କୋଟି ଟଙ୍କାପୁରସ୍କାର ଘୋଷିତ ଶୀର୍ଷ ମାଓନେତା ମିସିର ବେସରା ଘେରାବନ୍ଦୀ ହୋଇ ରହିଥିବା ସୂଚନା ମିଳିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ପୁଅ ସିଦ୍ଧାର୍ଥ ବେସରା ନିଜ ପିତାଙ୍କୁ ଆତ୍ମସମର୍ପଣ କରିବାକୁ ବିଶେଷ ଭାବେ ଅନୁରୋଧ କରୁଛନ୍ତି।

୨୮ ବର୍ଷ ଧରି ନିଜ ପିତାଙ୍କୁ ଦେଖି ନାହାନ୍ତି

ସିଦ୍ଧାର୍ଥ କହିଛନ୍ତି ଯେ, ସେ ଗତ ୨୮ ବର୍ଷ ଧରି ନିଜ ପିତାଙ୍କୁ ଦେଖି ନାହାନ୍ତି। ସେ ସରକାର ଓ ପୁଲିସଙ୍କୁ ବାରମ୍ବାର ଅନୁରୋଧ କରୁଛନ୍ତି ଯେ, ଗୁଳି ଚଳାଇବା ପୂର୍ବରୁ ତାଙ୍କ ପିତାଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦିଆଯାଉ, ଯଦ୍ଵାରା ତାଙ୍କ ୭୦ ବର୍ଷୀୟ ବାପା ମିସିର ବେସରା ସୁରକ୍ଷିତ ଭାବେ ନିଜ ଘରକୁ ଫେରିବା ସହିତ ଏକ ନୂଆ ଜୀବନ ବଞ୍ଚିପାରିବେ।

ସିଦ୍ଧାର୍ଥଙ୍କ କହିବା ଅନୁଯାୟୀ, ସେ ମାତ୍ର ସାତ ବର୍ଷରେ ଥିବାବେଳେ ତାଙ୍କ ବାପା ଘର ଛାଡ଼ି ଚାଲି ଯାଇଥିଲେ। ପରେ ସେ ତାଙ୍କ ପରିବାରବର୍ଗଙ୍କଠାରୁ ଜାଣି ପାରିଥିଲେ ଯେ, ତାଙ୍କ ବାପା ଅନ୍ୟାୟ ବିରୋଧରେ ଅସ୍ତ୍ର ଧରି ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ସିଦ୍ଧାର୍ଥ କହିଛନ୍ତି ଯେ, ତାଙ୍କ ବାପା ମିସିର ବେସରାଙ୍କୁ ଝାଡ଼ଖଣ୍ଡ ସରକାରଙ୍କ ତରଫରୁ ଶିକ୍ଷକ ଚାକିରି ମିଳିଥିଲା, କିନ୍ତୁ ଚାକରିରେ ଯୋଗଦାନ ପାଇଁ ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା। ପରିବାର ଲୋକେ ତାଙ୍କର ନିଜ ଜମି ବିକ୍ରି କରି ମଧ୍ୟ ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ମିସିର ଏହାକୁ ଅସ୍ୱୀକାର କରିଥିଲେ। ମିସିର କହିଥିଲେ ଯେ ‘ଯେତେବେଳେ ଯୋଗ୍ୟତା ରହିଛି, ତେବେ ଲାଞ୍ଚ କାହିଁକି ଦେବି?’ ଏହି ଧାରଣା ନେଇ ସେ ଚାକିରି ଛାଡ଼ିଲେ। ଝାଡ଼ଖଣ୍ଡର ଧନବାଦ ସ୍ଥିତ ପି.କେ ରାୟ କଲେଜରୁ ପୋଷ୍ଟ ଗ୍ରାଜୁଏସନ୍ କରିଥିଲେ ମଧ୍ୟ ଚାକିରି ନ ମିଳିବାରୁ ସେ ଶେଷରେ ନକ୍ସଲବାଦ ରାସ୍ତାରେ ଯିବାକୁ ବାଧ୍ୟ ହୋଇଥିଲେ। ପରିବାରର ଦୁଃଖଦ କାହାଣୀ ମଧ୍ୟ ସିଦ୍ଧାର୍ଥ ଉଲ୍ଲେଖ କରିଛନ୍ତି। ବାପାଙ୍କ ଅନୁପସ୍ଥିତିରେ ମାଆ ମଧ୍ୟ ଘର ଛାଡ଼ି ଚାଲିଯାଇଛି। କିଛି ବର୍ଷ ପରେ ତାଙ୍କ ଏକମାତ୍ର ଭଉଣୀ ଶାନ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏଭଳି ଭାବେ ପରିବାର ଭାଙ୍ଗିଯାଇଥିଲା। ତଥାପି ସେ ନିଜକୁ ସମ୍ଭାଳି ପାଠପଢ଼ିବା ଜାରି ରଖିଥିଲେ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ସିଦ୍ଧାର୍ଥ ରୋଜଗାର ପାଇଁ ମହାରାଷ୍ଟ୍ରକୁ ଯାଇଥିଲେ। ସେଠାରେ ବିଭିନ୍ନ କାମ କରିବା ପରେ ବର୍ତ୍ତମାନ ଏକ ପାଉଡର ମିଲ୍‌ରେ ସେ କାମ କରୁଛନ୍ତି ଏବଂ ମାସକୁ ୯ ହଜାର ଟଙ୍କା ଦରମା ପାଉଛନ୍ତି।

ସୌଜନ୍ୟ ସମ୍ବାଦ