Sand Loot: ଲୁଟ୍‌ରେ ଲାଗୁନି ଲଗାମ୍‌: ଅନୁମତିଠୁ ଉଠୁଛି ୧୦ ଗୁଣା ବାଲି, ବର୍ଷକରେ ୨୭ ଘାଟରୁ ଆୟ ୧୭.୭୨ କୋଟି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୧୭ ବ୍ଲକରେ ୧୧୫ ବାଲିଘାଟ। ଲିଜ୍‌ମିଳିଛି ଅର୍ଥାତ୍‌ ଚାଲିଛି ୪୪ଟି। ବିଭିନ୍ନ କାରଣରୁ ବନ୍ଦ ରହିଛି ୭୧ଘାଟ। ଲିଜ୍‌ ମିଳିଥିବା ବାଲିଘାଟରୁ ବର୍ଷକୁ ଖଣିବିଭାଗ ଯେତିକି କ୍ୟୁବିକ୍‌ ମିଟର (ସିବିଏମ୍‌) ବାଲି ଉଠାଣ ପାଇଁ ଅନୁମତି ଦେଇଛି, ତା’ଠୁ ୮ରୁ ୧୦ ଗୁଣା ବାଲି ଉଠୁଛି। ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ସମସ୍ତ ବାଲିଘାଟରେ ଏଭଳି ସ୍ଥିତି। ଖଣିବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଜବାଘାଟ ବାଲିଘାଟରୁ ବର୍ଷକୁ ୪୩୮ ସିବିଏମ୍‌ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଛି।

 ୪ କୋଟି ୩୯ ଲକ୍ଷ ୫୪ ହଜାର ୨୯୪ ଟଙ୍କା ଜରିମାନା ଆଦାୟ

ଗୋଟିଏ ହାଇୱାରେ ୧୦ରୁ ୧୧ ସିବିଏମ୍‌ ବାଲି ଯାଉଛି। ୪୦ ଟ୍ରିପ୍‌ ଅର୍ଥାତ୍‌ ଦିନକରେ ୪୩୮ ସିବିଏମ୍‌ ବାଲି ଉଠାଣ ହୋଇଯିବ। ବର୍ଷ ସାରା ଘାଟରୁ ଦୈନିକ ୩୦ରୁ ୪୦ ଟ୍ରିପ୍‌ ବାଲି ଉଠାଯାଉଥିବା ଅଭିଯୋଗ ହେଉଛି। ସେମିତି ସୁନ୍ଦରଗଡ଼ର ରେମେଣ୍ଡା ଘାଟକୁ ବର୍ଷକୁ ୩୪୧ ସିବିଏମ୍, ପ୍ରଧାନପାଲି ବାଲିଘାଟରୁ ୧୬୫୯ ସିବିଏମ୍‌, କୁଆରମୁଣ୍ଡା ବାଲିଘାଟ -୨ରୁ ୩,୧୦୯ ସିବିଏମ୍‌,  କଂସର ଘାଟରୁ ୩,୧୯୩ ସିବିଏମ୍‌,  ଟାଇଁସର ଘାଟରୁ୩,୩୫୮ ସିବିଏମ୍‌,  ପିତାଗାଁ ଘାଟରୁ ୩,୬୧୩ ସିବିଏମ୍‌,  ବଡଗାଁ ଘାଟରୁ   ୪,୮୪୮,  କୁଆରମୁଣ୍ଡା -୧ ଘାଟରୁ ୯,୧୪୯ ସିବିଏମ୍‌ ବାଲି ଉତ୍ତୋଳନ ପାଇଁ ଖଣିବିଭାଗ ଅନୁମତି ରହିଛି। କେବଳ ଏତିକି ନୁହେଁ, ଦଲଦଲି ଘାଟରୁ ବର୍ଷକୁ  ୨,୩୨୪ ସିବିଏମ୍‌, ଗୋପୁର ବାଲିଘାଟରୁ ୩,୨୭୫ ସିବିଏମ୍‌,  ଜାମସେରା-୨ ଘାଟରୁ ୧୦,୬୧୦ ସିବିଏମ୍‌, ତୁମକେଲା ଘାଟରୁ  ୬,୧୨୧ ସିବିଏମ୍‌ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଛି। ହେଲେ ବର୍ଷକରେ ଏହି ଘାଟରୁ ହଜାର ହଜାର ଟ୍ରିପ୍‌ ବାଲି ଉଠୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍‌। ଲୋକ ଦେଖାଣିଆ ଭାବେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖଣିବିଭାଗ ଉଭୟ ବାଲି ଓ ପଥରଖାଦାନରେ ଚଢ଼ଉ କରି  ୪ କୋଟି ୩୯ ଲକ୍ଷ ୫୪ ହଜାର ୨୯୪ ଟଙ୍କା ଜରିମାନା ଆଦାୟ କରିଛି।

ସୌଜନ୍ୟ ସମ୍ବାଦ