ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଋଷିଗାଁ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ହିଟ୍‌ ଆଣ୍ଡ ରନ୍‌ରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ୩ ଜଣଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଏଥିରେ ରେହମତ ଉଲ୍ଲା ଖାଁ (୬୬)ଙ୍କର ମୃତ୍ୟୁ ହୋଇଥିବା ବେଳେ ଅଶୋକ ମହାରଣା ଓ ମୁରଲୀ ହଂସ ଗୁରୁତର ହୋଇଥିବା ଜଣାଯାଇଛି।

ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭବାନୀପାଟଣା ସହର ନକଟିଗୁଡା କୁମ୍ଭାରପଡ଼ାର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରେହମତ ଉଲ୍ଲା ଖାଁ (୬୬), ଅଶୋକ ମହାରଣା ଓ ମୁରଲୀ ହଂସ ଶୁକ୍ରବାର ପ୍ରାତଃଭ୍ରମଣରେ ଯାଇଥିଲେ। ସେମାନେ ଋଷିଗାଁ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥ ୨୬ ପାର୍ଶ୍ୱରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ (ଡବ୍ଲୁବି ୧୯ ଏଲ୍‌ ୩୯୪୬) ହଠାତ୍‌ ରାସ୍ତା କଡ଼କୁ ମାଡ଼ି ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରେହମତଙ୍କ ପ୍ରାଣବାୟୁ ଉଡ଼ିଯାଇଥିବାବେଳେ ଗୁରୁତର ଆହତ ଅଶୋକ ଓ ମୁରଲୀ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ିକୁ ଦ୍ରୁତଗତିରେ ନେଇ ରେଲୱେ ଛକ ନିକଟ ରାସ୍ତା ଉପରେ ରଖି ଫେରାର୍‌ ହୋଇଯାଇଥିଲା। ପିକ୍‌ଅପ୍‌ ଭ୍ୟାନ୍‌ଟି ପଶ୍ଚିମବଙ୍ଗ ଆଲିପୁରର ସବ୍‌ନମ୍‌ ବେଗମଙ୍କର ବୋଲି ଜଣାପଡ଼ିଛି। ଭବାନୀପାଟଣା ସଦର ଥାନା ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏସ୍‌ଆଇ ବିପିନ କିଶୋର ଜରିଆ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଏହି ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।