BJP leader : ମହିଳା ବିଡିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ ଉଦ୍ୟମ ଘଟଣା, ୪ ଦିନ ହେଲା ବ୍ଲକ୍‌ କାର୍ଯ୍ୟାଳୟରେ ତାଲା

ରାଜନଗର: କେନ୍ଦ୍ରାପଡ଼ାଜିଲ୍ଲା ରାଜନଗରର ମହିଳା ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ସଂଘବଦ୍ଧ ଭାବେ ଘେରିବା ଓ ଲାପ୍‌ଟପ୍‌ ଉଠାଇ ମାରିବା ପାଇଁ ବିଜେପି ନେତାଙ୍କ ଉଦ୍ୟମ ଘଟଣା ନେଇ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ଆନ୍ଦୋଳନ ଯୋଗୁଁ ଚାରିଦିନ ହେଲା ବ୍ଲକ୍‌ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଶୁକ୍ରବାର ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ପରଠାରୁ ବ୍ଲକ୍‌ରେ କୌଣସି କାର୍ଯ୍ୟ ହୋଇପାରୁ ନାହିଁ। ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ବ୍ଲକ୍‌ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। କାର୍ଯ୍ୟାଳୟର ସମସ୍ତ ବିଭାଗରେ ଆନ୍ଦୋଳନକାରୀମାନେ ତାଲା ପକାଇ ଦେଇଥିବାରୁ କୌଣସି କର୍ମଚାରୀ ଭିତରକୁ ଯାଇପାରୁ ନାହାନ୍ତି।

ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ସଚିବ ହେମନ୍ତ କୁମାର ଶର୍ମା, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ସଚିବ ଏସ୍‌.ଏନ୍‌. ଗିରୀଶଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାରେ ପୁଲିସ ହାତବାନ୍ଧି ବସିବା ଘଟଣାକୁ ନେଇ ପ୍ରତିକ୍ରିୟା ବଢ଼ିବାରେ ଲାଗିଛି।  ମାମଲା ରୁଜୁ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଥାନା ଭିତରେ ଚା’ପାନ ଚର୍ଚ୍ଚା କରିଥିବା ନେଇ ଆନ୍ଦୋଳନକାରୀ ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ବିଜେପି ନେତା ଲଳିତ କୁମାର ବେହେରାଙ୍କ ନେତୃତ୍ବରେ ୩୦ରୁ ଅଧିକ ବିଜେପି କର୍ମୀ ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ କାର୍ଯ୍ୟାଳୟରେ ପଶି ଧମକ ଦେବା ସହ ତାଙ୍କୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ସୌଜନ୍ୟ ସମ୍ବାଦ