ଓଡିଶା

Tobacco ban: ରାଜ୍ୟରେ ଗୁଟ୍‌ଖା ନିଷିଦ୍ଧକୁ ୧୩ ବର୍ଷ ପୂରିଲା: କେବଳ ଧର୍ମକୁ ଆଖିଠାର, ନିକୋଟିନ୍‌ଯୁକ୍ତ ପାନ ମସଲାର ବିକ୍ରି ବନ୍ଦ ପାଇଁ ପ୍ରସ୍ତାବ

୨୦୧୩ ମସିହା ଜାନୁଆରି ପହିଲାରେ ରାଜ୍ୟ ସରକାର ଗୁଟ୍‌ଖା ଉତ୍ପାଦନ, ବିକ୍ରି ଓ ବିତରଣ ସମେତ ନିକୋଟିନଯୁକ୍ତ ପାନ ମସଲାକୁ ନିଷିଦ୍ଧ ଘୋଷଣା କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ବିଜ୍ଞପ୍ତି ଜାରି କରିଥିଲା।

ଭୁବନେଶ୍ବର: ୨୦୧୩ ମସିହା ଜାନୁଆରି ପହିଲାରେ ରାଜ୍ୟ ସରକାର ଗୁଟ୍‌ଖା ଉତ୍ପାଦନ, ବିକ୍ରି ଓ ବିତରଣ ସମେତ ନିକୋଟିନଯୁକ୍ତ ପାନ ମସଲାକୁ ନିଷିଦ୍ଧ ଘୋଷଣା କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହାଭିତରେ ୧୩ବର୍ଷ ବିତିଗଲାଣି। ସରକାରଙ୍କ ଏହି ଉଦ୍ୟମଟି ସଂପୂର୍ଣ୍ଣ ପାଣିରେ ପଡ଼ିଛି। ଆଜି ବି ସବୁଠି ଗୁଟ୍‌ଖା ବିକ୍ରି ଚାଲିଛି। ମଝିରେ ମଝିରେ ଗୁଟ୍‌ଖା ଉତ୍ପାଦନକାରୀ ସଂସ୍ଥା ଉପରେ ଚଢ଼ାଉ ହେଉଛି। ମାତ୍ର ଏହାର ବିକ୍ରି ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ଗୋଟିଏ କମ୍ପାନି ଉପରେ କଟକଣା ଲାଗିଲେ ଅନ୍ୟ ନାଁରେ କମ୍ପାନି ବଜାରରେ ଗୁଟ୍‌ଖା ବିକ୍ରି କରୁଛି। ଆଇନରେ ଥିବା ଗଳାବାଟ ଗୁଟ୍‌ଖା କମ୍ପାନି ପାଇଁ ବରଦାନ ସାଜୁଛି। ଅନ୍ୟପଟରେ ଗୁଟ୍‌ଖା ସେବନ ଫଳରେ ଲୋକମାନେ ମୁଖ ଗହ୍ବର କର୍କଟ ଭଳି ରୋଗରେ ପଡ଼ୁଛନ୍ତି। କେବଳ ସେତିକି ନୁହେଁ, ସର୍ଭେରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟରେ ତମାଖୁ ସେବନର ହାରାହାରି ବୟସ ୧୦.୨ବର୍ଷ ରହିଛି। ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍‌)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨% ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ରାଜ୍ୟରେ ଗୁଟ୍‌ଖା ନିଷିଦ୍ଧପରେ କମ୍ପାନିମାନେ ଗୋଟିଏ ପ୍ୟାକେଟ୍‌ ବଦଳରେ ଦୁଇ ଦୁଇଟି ପ୍ୟାକେଟ୍‌ରେ ଏହାକୁ ବିକ୍ରି କରିବାକୁ ଆରମ୍ଭ କରିଛନ୍ତି। ଗୁଟ୍‌ଖା ଓ ପାନ ମସଲା ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହୋଇଛି। ଏଥିରେ ମଧ୍ୟ କେତେକ ଜଟିଳତା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଉନାହିଁ।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ଶହେରୁ ଅଧିକ ଗୁଟ୍‌ଖା ପ୍ରସ୍ତୁତି କମ୍ପାନିମାନେ କେନ୍ଦ୍ରୀୟ ଲାଇସେନ୍‌ସ ପାଇଛନ୍ତି। ଏଥିରୁ ବଡ଼ଧରଣର ରାଜସ୍ବ ଆଦାୟ ହେଉଛି। ଗୁଟ୍‌ଖା ସମେତ ନିକୋଟିନ୍‌ଯୁକ୍ତ ପାନ ମସଲା ବିକ୍ରି ଉପରେ କଟକଣା ପାଇଁ ସରକାରଙ୍କର ଏକ ଅନ୍ତଃବିଭାଗୀୟ କମିଟି ରହିଛି। ଗତ କିଛିମାସ ଭିତରେ ଏହାର ୨-୩ଟି ବୈଠକ ହୋଇଛି। ଏଥିରେ ଜନସ୍ବାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ଯୋଗ ଦେଇଥିଲେ। ତେବେ ବୈଠକରେ ଗୁଟ୍‌ଖା ଉତ୍ପାଦନ ବନ୍ଦ ନେଇ ନିଷ୍ପତ୍ତି ହୋଇପାରିନାହିଁ। ବରଂ ନିକୋଟିନଯୁକ୍ତ ପାନମସଲା ବିକ୍ରି ଉପରେ କଟକଣା ଜାରି ଲାଗି ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯିବାକୁ ଆଲୋଚନା ହୋଇଛି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଥିପାଇଁ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ।

ନିକୋଟିନ୍‌ଯୁକ୍ତ ପାନ ମସଲାର ବିକ୍ରି ବନ୍ଦ ପାଇଁ ପ୍ରସ୍ତାବ
୨୯ ଜିଲ୍ଲାରେ ଆରମ୍ଭ ହେବ ବିଶ୍ବ ଯୁବ ତମାଖୁ ସର୍ବେକ୍ଷଣ

ଗୁଟ୍‌ଖା ଉତ୍ପାଦନ ବନ୍ଦ ନ ହେବା ପର୍ଯ୍ୟନ୍ତ କଟକଣା ଦ୍ବାରା ଏହାକୁ ରୋକିବା ସମ୍ଭବ ନୁହେଁ ବୋଲି କହିଛନ୍ତି ନିଶାମୁକ୍ତି କର୍ମୀ ଡା.ଇମ୍ରାନ ଅଲ୍ଲୀ। ତାଙ୍କ ମତରେ ଗୁଟ୍‌ଖା ନିଷିଦ୍ଧ ପାଇଁ ହାଇକୋର୍ଟରେ ମାମଲା ଦାୟର ପରେ ୨୦୧୩ ମସିହାରେ ରାଜ୍ୟ ସରକାର ଏହାକୁ ନିଷିଦ୍ଧ କରିଥିଲେ। ମାତ୍ର ଏଥିରେ କୌଣସି ଲାଭ ହେଉନାହିଁ। ବରଂ ଗୁଟ୍‌ଖା କମ୍ପାନିମାନେ ଚାଲାକ ହୋଇ ଦୁଇ ଦୁଇଟି ପ୍ୟାକେଟ୍‌ରେ ଏହାକୁ ବିକ୍ରି କରୁଛନ୍ତି। ଖୁଲମଖୁଲା ଗୁଟ୍‌ଖା ବିକ୍ରି ହେଉଥିବାରୁ ଯୁବପିଢ଼ି ଅଧିକ ସଂଖ୍ୟାରେ ମୁଖଗହ୍ବର କର୍କଟରେ ଆକ୍ରାନ୍ତ ହେଉଛନ୍ତି। ସରକାର ଏହା ଉପରେ ଗୁରୁତ୍ବର ସହ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅଭିନେତା ସାତ୍ୟକୀ ମିଶ୍ର ଗୁଟ୍‌ଖା ସେବନ ପାଇଁ କର୍କଟରେ ଆକ୍ରାନ୍ତ ହୋଇଥିବା ଏକ ଭିଡିଓରେ ସୂଚନା ଦେଇଥିଲେ। ଗୁଟ୍‌ଖା ବର୍ଜନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଅପରପକ୍ଷରେ ରାଜ୍ୟରେ ବିଶ୍ବ ଯୁବ ତମାଖୁ ସର୍ଭେ (ଜିଏଟିଏସ୍‌) ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସର୍ଭେ କରାଯାଉଥିବା ବେଳେ ଓଡ଼ିଶାରେ କେବଳ ମାଲକାନଗିରି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ୨୯ଟି ଜିଲ୍ଲାରେ ସର୍ବେକ୍ଷଣ କରାଯିବ। ଏଥିପାଇଁ ଆବଶ୍ୟକ ଜିଓଟ୍ୟାଗିଂ ଶେଷ ହୋଇଛି। ପ୍ରତି ବ୍ଲକ୍‌ର ୧-୩ଟି ଗାଁରେ ସର୍ବେକ୍ଷଣ କରାଯିବ। ଆସନ୍ତାମାସରୁ ଏହା ଆରମ୍ଭ ହେବାକୁ ଯାଉଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆସନ୍ତା ୨-୩ ମାସ ଭିତରେ ଏହି ସର୍ବେକ୍ଷଣ ଶେଷ ହେବ। ଯାହାଫଳରେ ତୃଣମୂଳସ୍ତରରେ ତମାଖୁ ସେବନର ପ୍ରକୃତ ଚିତ୍ର ସାମନାକୁ ଆସିପାରିବ। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଶାମୁକ୍ତ ଗାଁ ଉପରେ ଗୁରୁତ୍ବ ଦିଆଯାଉଛି। ଅଧିକରୁ ଅଧିକ ଗାଁକୁ ଏଥିରେ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button