ଦେଶ ବିଦେଶ

ଇରାନ ସ୍ଥିତି ଅଣାୟତ୍ତ, ବିଦ୍ରୋହୀଙ୍କୁ ଦମନ କରୁଛି ସୁରକ୍ଷା ବାହିନୀ

ତେହେରାନ/ୱାସିଂଟନ: ଇରାନରେ ଚାଲିଥିବା ସରକାର ବିରୋଧୀ ବିଦ୍ରୋହ ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଛି। ଅର୍ଥନୈତିକ ସଙ୍କଟ, ମୂଲ୍ୟବୃଦ୍ଧି ଓ ଦମନମୂଳକ ଶାସନ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଛି, ଯାହା ଇସଲାମିକ ଗଣତନ୍ତ୍ରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି। ପ୍ରାୟ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ବ୍ଲାକ୍‌ଆଉଟ୍ ସତ୍ତ୍ୱେ ତେହେରାନ୍, ମଶହଦ୍ ଓ ଅନ୍ୟାନ୍ୟ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହଲିଛନ୍ତି। କେତେକ ଡାକ୍ତର ଓ ମାନବାଧିକାର ସଂଗଠନ  ଦାବି କରିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି। ତେବେ ଏଭଳି ଦାବିକୁ ଇରାନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। କୌଣସି ଖବର ଯେଭଳି ବାହାରକୁ ନଯିବ ସେଥିପାଇଁ ଇରାନ ଅତି କଠୋର ନୀତି ଅବଲମ୍ବନ କରିଛି। ଅନ୍ୟପକ୍ଷରେ  ବିକ୍ଷୋଭ ଆରମ୍ଭ ହେବା ପରଠାରୁ  ୧୧୬ ଜଣ ନିହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୩୮ ଜଣ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ ବୋଲି ଇରାନର ରାଷ୍ଟ୍ରାୟତ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କେତେକ ପୀଡ଼ିତଙ୍କୁ ଆଖି ଓ ମୁଣ୍ଡରେ ଗୁଳି ମାରି ହତ୍ୟା କରାଯାଇଛି ବୋଲି ଡାକ୍ତରମାନେ ଜଣାଇଛନ୍ତି। ସରକାର କଡ଼ା ଦମନ ଜାରି ରଖିଛନ୍ତି, ଯେଉଁଥିରେ ପୁଲିସ ଅର୍ଦ୍ଧସାମରିକ ବାହିନୀ ବିଦ୍ରୋହୀଙ୍କୁ ଘଉଡ଼ାଇବା ପାଇଁ ଗୁଳିମାଡ଼ କରୁଛନ୍ତି।

ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି  ବିକ୍ଷୋଭକାରୀଙ୍କୁ ‘ବିଦେଶୀ ଶକ୍ତିର ଭଡ଼ାଟିଆ ଏଜେଣ୍ଟ’ ବୋଲି ଅଭିହିତ କରି କହିଛନ୍ତି ଯେ ସରକାର କୌଣସି ପରିସ୍ଥିତିରେ ପଛକୁ ହଟିବେ ନାହିଁ। ଇରାନ ସଂସଦରେ  ବିକ୍ଷୋଭ ବିଷୟରେ ଆଲୋଚନା ବେଳେ ସାଂସଦମାନେ ‘ଆମେରିକା ପାଇଁ ମୃତୁ’ ସ୍ଲୋଗାନ ଦେଇଛନ୍ତି। ବାଚସ୍ପତି ମହମ୍ମଦ ବାକେର୍‌ କଲିବାଫ୍ ଆଜି ଧମକ ଦେଇଛନ୍ତି ଯେ ଆମେରିକା ଇରାନରେ କୌଣସି ଆଳ ଦେଖାଇ ଆକ୍ରମଣ କଲେ ଭୟାନକ ଶାସ୍ତି ଭୋଗିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିକ୍ଷୋଭକାରୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଆଜି ହ୍ୱାଇଟ୍ ହାଉସରେ କହିଛନ୍ତି, ‘ଇରାନ  ଏବେ ସଙ୍କଟରେ ରହିଛି। ଲୋକମାନେ ଗୋଟିଏ ପରେ ଗୋଟିଏ ସହର ଦଖଲ କରୁଛନ୍ତି ଯାହା କିଛି ସପ୍ତାହ ପୂର୍ବେ ସମ୍ଭବ ବୋଲି କେହି ଭାବି ନଥିଲେ।’   ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଇରାନ ସ୍ୱାଧୀନତା ଆଡ଼କୁ ଅଗ୍ରସର ହେଉଛି। ଆମେରିକା ସାହାଯ୍ୟ ପାଇଁ ପ୍ରସ୍ତୁତ!’ ଆଜି ଲଣ୍ଡନରେ ଇରାନୀ ଦୂତାବାସରେ ଆନ୍ଦୋଳନକାରୀମାନେ ଇରାନୀ ପତାକା ଖସାଇ ‘ସିଂହ ଓ ସୂର୍ଯ୍ୟ’ ପ୍ରତୀକ ଥିବା ନୂଆ ପତାକା ଲଗାଇଛନ୍ତି। ଏହି ପତାକା ବିକ୍ଷୋଭର ପ୍ରତୀକ ଭାବେ ଗଣାଯାଉଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button