ଓଡିଶା

Lokayukta chairman: ହାଇକୋର୍ଟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ମାମଲା: ଆଇନରେ ସଂଶୋଧନ ଆଣିବେ ସରକାର

ଓଡ଼ିଶା ଲୋକାୟୁକ୍ତ ଆଇନ, ୨୦୧୪ରେ ସଂଶୋଧନ କରିବା ପ୍ରସଙ୍ଗରେ ସରକାର ବିଚାର କରୁଛନ୍ତି। ଯଥାଶୀଘ୍ର ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ପାଇଁ ସରକାର ଆଗ୍ରହୀ। ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ....

କଟକଓଡ଼ିଶା ଲୋକାୟୁକ୍ତ ଆଇନ, ୨୦୧୪ରେ ସଂଶୋଧନ କରିବା ପ୍ରସଙ୍ଗରେ ସରକାର ବିଚାର କରୁଛନ୍ତି। ଯଥାଶୀଘ୍ର ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ପାଇଁ ସରକାର ଆଗ୍ରହୀ। ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଏଭଳି ତଥ୍ୟ ଉପସ୍ଥାପନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆଇନରେ ସଂଶୋଧନ ଆଣିବା ନେଇ ସରକାର ଚିନ୍ତା କରୁଛନ୍ତି ବୋଲି ଦର୍ଶାଯାଇଥିଲା। ସର୍ଚ୍ଚ କମିଟି ପ୍ରସଙ୍ଗ ସହିତ ଓ ଅନ୍ୟ କେତେକ ପ୍ରାବଧାନରେ ସଂଶୋଧନ କରାଯାଇପାରେ ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ଏଥି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ଯଥାଶୀଘ୍ର ପୂରଣ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଫେବ୍ରୁଆରି ୨୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆଇନଜୀବୀ ପ୍ରବୀର କୁମାର ଦାସ, ମନୋରଂଜନ ସାହୁ ଓ ସତୀଶ ବିଶ୍ବାଳଙ୍କ ଆବେଦନର ଏକତ୍ର ଶୁଣାଣି କରି  ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଲୋକାୟୁକ୍ତ ଅଧ୍ୟକ୍ଷ, ବିଚାରବିଭାଗୀୟ ସଦସ୍ୟ ଓ ଅନ୍ୟ ଦୁଇ ସଦସ୍ୟଙ୍କ କାର୍ଯ୍ୟକାଳ ୨୦୨୪ରୁ ଶେଷ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଏହି ସବୁ ପଦରେ କାହାକୁ ନିଯୁକ୍ତି ଦିଆଯାଇ ନାହିଁ ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ୨୦୨୪, ଅଗଷ୍ଟ ୮ରୁ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ପଦ ଖାଲି ପଡ଼ିଛି। ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ପଦ ପାଇଁ ନାମ ସୁପାରିସ କରିବାକୁ ସରକାର ୨୦୨୪, ଫେବ୍ରୁଆରି ୨୧ରେ ୬ ଜଣିଆ ସର୍ଚ୍ଚ କମିଟି ଗଠନ କରିଥିଲେ। କିନ୍ତୁ ପଦ ପୂରଣ ହୋଇପାରି ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଲୋକାୟୁକ୍ତ ପ୍ରତିଷ୍ଠା କରାଯାଇଥିଲା ତାହା ପୂରଣ ହୋଇପାରୁ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲା ପରିଚାଳନାରେ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟଙ୍କୁ ଏଏସ୍‌ସି ଐଶ୍ବର୍ଯ୍ୟା ଦାଶ ସହାୟତା କରୁଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button