
କାଳିଆପାଣି: ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଚାକିରି ଆରମ୍ଭ। କର୍ମମୟ ଜୀବନର ୩୦ ରୁ ୪୦ ବର୍ଷ ଏହି ଟାଟା କଲୋନିରେ କଟିଛି। ବହୁ କର୍ମଚାରୀଙ୍କର ସେହି କଲୋନିରେ ଜନ୍ମ। ସେହି ଖଣି ଓ କମ୍ପାନିରେ କର୍ମନିଯୁକ୍ତି ପାଇଛନ୍ତି। ଶତାଧିକ ବାପପୁଅ ଯୋଡ଼ି ସେହି ଖଣିରେ ଅବସର ବି ନେଇଛନ୍ତି। କିନ୍ତୁ ପରିସ୍ଥିତିର ଚାପରେ କଲୋନି ଏବେ ଅସ୍ତଗାମୀ। ଏସିଆ ମହାଦେଶର ବୃହତ୍ତମ କ୍ରୋମାଇଟ୍ ଖଣି ଲିଜ୍ ଏରିଆରେ ଆଧୁନିକ ଚଳଣିର ଟାଟାଷ୍ଟିଲ ସୁକିନ୍ଦା କଲୋନି ଏବେ ବିଲୁପ୍ତପ୍ରାୟ। ୧୯୬୦ ମସିହାରୁ ଆକର୍ଷଣୀୟ ଓ ଅତ୍ୟାଧୁନିକ ସହରୀ ସଭ୍ୟତା ଥିବା ଟାଟାଷ୍ଟିଲ ସୁକିନ୍ଦା କଲୋନି ଏବେ ସତ୍ତା ହରାଇବାକୁ ବସିଛି। ୨୦୨୦ ମସିହା ଏହି ଖଣିର ଲିଜ୍ ଅତିକ୍ରାନ୍ତ ପରେ ଏହି ଖଣି ନିଲାମ ହୋଇଥିଲା। ନିଲାମ ଡାକି ପୁଣିଥରେ ଏହି ଖଣି ହାତକୁ ନେଇଥିବା ଟାଟା କମ୍ପାନି ଏଥର ଆରମ୍ଭରୁ ଝୁଣ୍ଟିଛି। ୫୦ ବର୍ଷ ପାଇଁ ଖଣି ଲିଜ୍ ପାଇଥିଲେ ବି ପ୍ରଥମ ୩ ବର୍ଷ ବ୍ୟବସାୟରେ ଅହେତୁକ କ୍ଷତି ଦର୍ଶାଇ ୫ ବର୍ଷରେ ରାଜ୍ୟ ସରକାରଙ୍କୁ ଖଣି ଲିଜ୍ ଫେରାଇ ଦେଇଛି। ଏହି ୫ ବର୍ଷ ମଧ୍ୟରେ ଖଣି ଓ କଲୋନି ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଛି।
କଲୋନି ଛାଡ଼ିବାର ୬ ବର୍ଷ ପରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏକାଠିହୋଇ ସ୍ମୃତି ସାଉଁଟିଛନ୍ତି ୩ ଶହରୁ ଅଧିକ କଲୋନିବାସୀ ଅନ୍ତେବାସୀ। ଜନ୍ମସ୍ଥାନ, ସ୍କୁଲ ଓ କର୍ମକ୍ଷେତ୍ର ମୋହରେ ଆସିଥିଲେ ହେଁ କଲୋନିର ଉଜୁଡ଼ା ରୂପ ଦେଖି ସମସ୍ତଙ୍କ ମନରୁ କୋହ ଉଠୁଥିଲା। କୋହକୁ ଚାପି ରଖି ପାରମ୍ପରିକ ଢଙ୍ଗରେ ଅନୁଭୂତି ବଖାଣି ସ୍ମୃତି ସାଉଁଟିଥିଲେ। ଖୁସି ମନାଇବା ପ୍ରୟାସରେ କିଛି ସମୟ ପାଇଁ ନାଚଗୀତ କରିଥିଲେ। ଏମିତିରେ ବିତିଥିବା ୬ ଘଣ୍ଟା ଅପାସୋରା ରହିଥିଲା। ୧୯୯୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଜଗନ୍ନାଥ ମନ୍ଦିର ପରିସରରେ ସମସ୍ତେ ପ୍ରଥମେ ସମବେତ ହୋଇଥିଲେ। ପୁରୁଣା ଷ୍ଟିୱାର୍ଟ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର ବନ୍ଧୁମିଳନ ସମାରୋହରେ ଦିଗଙ୍ଗତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଓ ନିରବ ପ୍ରାର୍ଥନା କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ୫୦ ରୁ ଅଧିକ ଦମ୍ପତି ଅନୁଭୂତି ବର୍ଣ୍ଣନା କରିଥିଲେ। ପୁରୁଣା ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ମନ୍ଦିରରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା।
ଖଣିମୁଖ୍ୟ ଇଂ ଶମ୍ଭୁନାଥ ଝା ଓ ବରିଷ୍ଠ ପ୍ରବନ୍ଧକ ଅନଙ୍ଗ କୁମାର ମାହାନାଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧିକାରୀ ଇଂ ନନ୍ଦ ମହାନ୍ତି, ଡାକ୍ତର ବିଜୟାନନ୍ଦ ମହାପାତ୍ର, ଡିଡି ଗିରି, ବଳରାମ ପଣ୍ଡା, ଶମ୍ଭୁନାଥ ଦାସ, ରାମଚନ୍ଦ୍ର ଓଝା, ସେକ୍ ସମିଉଲ୍ଲା, ମୂରଲୀଧର ନାୟକ, କୁମ୍ଭକର୍ଣ୍ଣ ଦେହୁରୀ, ଦେବେନ୍ଦ୍ର ଦାସ, ସୁଶୀଲ ଦାସ, ସୁରେଶ କୁମାର, ରବୀନ୍ଦ୍ରନାଥ ବେହେରା, ବିରଜା ପ୍ରସାଦ ମିଶ୍ର, ଶୁଭାଶିଷ ମିଶ୍ର, ଶୁଭ୍ରାଂଶୁ ଶେଖର ମିଶ୍ର, ନବ କିଶୋର ଆଚାର୍ଯ୍ୟ, ଦିଗଜା ପ୍ରସାଦ, ସର୍ବେଶ୍ବର ନାୟକ, ବିଜୟ କୁମାର ସାହୁ, ପାପୁ ସିଂହ, ଗୌରାଙ୍ଗ ଦାସ, ବିଜୟ କୁମାର ରାୟ, ସନ୍ତୋଷ ଦାଶ, ମୃତ୍ୟୁଞ୍ଜୟ ମିଶ୍ର, ଲକ୍ଷ୍ମୀପ୍ରିୟା ମିଶ୍ର, ଆରତି ମହାନ୍ତି, କଳ୍ପନା ମହାନ୍ତି, ଉଷା ବେହେରା, ସୁଜାତା ମାହାନା, ସସ୍ମିତା ନାୟକ, ରୀତା ମିଶ୍ର, ମୁନ ମହାପାତ୍ର, ସୁଜାତା ଆଚାର୍ଯ୍ୟ, ତୃପ୍ତୀ ଷଡ଼ଙ୍ଗୀ, ପମ୍ପା ସିଂହ, ମମତା ପଣ୍ଡା, ଜିତା ରାଜ, ନିବେଦିତା ପାତ୍ର, ଜୟଶ୍ରୀ ପତି, ମମତା ମହାନ୍ତି, ପ୍ରଭାତୀ ଦାସ, ଶିଲା ମହାନ୍ତି, ନେହେରୁନିସା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାନ୍ତ କୁମାର ଦାସ, ପ୍ରାଣକୃଷ୍ଣ ମହାନ୍ତ, ବ୍ରିଜେଶ କୁମାର ମହାନ୍ତି, ଧନୁର୍ଜୟ ବାନରା(ଜେବି), ବିଭୁ ରଞ୍ଜନ ଦାସ, ଲଳିତ ମିଶ୍ର, ଅମିତ ଠାକୁର, ନୀଳମଣି ଓଝା ପ୍ରମୁଖ ସହଯୋଗ କରିଥିଲେ।
ଯାଜପୁରର ବମ୍ବେ ସହର କୁହାଯାଉଥିଲା
କଲୋନିରେ ୩ଟି ହାଇସ୍କୁଲ ଓ ନୃତ୍ୟ ଓ ସଂଗୀତ ସ୍କୁଲ ଥିଲା। ୪୦୦ ଏକରର କଲୋନିରେ ହଜାରେ କର୍ମଚାରୀ ଓ ଅଧିକାରୀଙ୍କ କ୍ବାର୍ଟର୍ସ(ଘର), ଭବ୍ୟ ପ୍ରଶାସନିକ ଭବନ, ଭିଟି ସେଣ୍ଟର, ବିଜ୍ଞାନାଗାର, ଜିଏମ୍ ବଙ୍ଗଳା, ଖଣିମୁଖ୍ୟ ବଙ୍ଗଳା ଓ ୫ଟି ଅତିଥିଶାଳା ଥାଇ ବାତାନୁକୂଳ ପରିବେଶ ଓ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିଲା। ପ୍ରଶାସକ, ଅଧିକାରୀ ଓ କର୍ମଚାରୀଙ୍କ ଲାଗି କ୍ରୋମ୍ଭ୍ୟାଲି କ୍ଲବ, ଅଫିସର୍ସ କ୍ଲବ, ଖୋଲା ସିନେମା ହଲ, ଲେଡିଜ୍ କ୍ଲବ, ସୁଇମିଂ ପୁଲ ରହିଛି। ୭ଟି ପାର୍କରେ ଅବସର ବିନୋଦନ ଓ ଆନୁଷଙ୍ଗିକ ମନୋରଞ୍ଜନ ବ୍ୟବସ୍ଥା ଥିଲା। ବ୍ୟାଙ୍କ ଶାଖା ଓ ଉପଡାକଘର ରହିଛି। ଉଡ଼ାଜାହାଜ ପଡ଼ିଆ ଥାଇ ବିମାନ ଚଳାଚଳ ବ୍ୟବସ୍ଥା ଥିଲା। ଏହାକୁ ଯାଜପୁରର ବମ୍ବେ ସହର କୁହାଯାଉଥିଲା।
ସୌଜନ୍ୟ ସମ୍ବାଦ




