ICC decision on Bangladesh: ଆଜି ଆସିବ ଆଇସିସି ନିଷ୍ପତ୍ତି, ବାଂଲାଦେଶ ହଟିଲେ ସାମିଲ ହେବ ଏହି ଦଳ
ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଆଜି ସ୍ଥିତି ସ୍ପଷ୍ଟ ହେବ। ବାଂଲାଦେଶ ପକ୍ଷରୁ କୌଣସି ଔପଚାରିକ ଜବାବ ନମିଳିବା ପରେ ଆଜି ଆଇସିସି ନିଜର ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି।

ଦୁବାଇ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଆଜି ସ୍ଥିତି ସ୍ପଷ୍ଟ ହେବ। ବାଂଲାଦେଶ ପକ୍ଷରୁ କୌଣସି ଔପଚାରିକ ଜବାବ ନମିଳିବା ପରେ ଆଜି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିଜର ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି।
ବିିସିସିଆଇ ଚାପ ଆଗରେ ନଇଁ ଆଇସିସି କାମ କରୁଛି
ଗତ ୨୧ ତାରିଖରେ ହୋଇଥିବା ଆଇସିସି ବୈଠକରେ ବାଂଲାଦେଶକୁ ଅଂଶଗ୍ରହଣ ସଂପର୍କରେ ନିଷ୍ପତ୍ତି ନେବାକୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ବୈଠକରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ସ୍ପଷ୍ଟ କରାଯାଇଥିଲା ଯେ ବିଶ୍ବକପକୁ ଆଉ ଅଳ୍ପ ସମୟ ଥିବାରୁ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ। ଏହା ସତ୍ତ୍ବେ ବାଂଲାଦେଶ ନିଜ ଜିଦରେ ଅଟଳ ରହିଥିଲା ଓ ଆଇସିସିକୁ କୌଣସି ଔପଚାରିକ ଜବାବ ପଠାଇବା ବଦଳରେ ଆଇସିସିର ବିବାଦ ସମାଧାନ କମିଟି ନିକଟରେ ଏକ ଅପିଲ୍ ଦାଖଲ କରିଥିଲା। ପୁଣି ଖେଳାଳିମାନଙ୍କ ସହିତ ଏକ ବୈଠକ କରିବା ପରେ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ ଆଇସିସି ଉପରେ ପକ୍ଷପାତିତାର ଆରୋପ ଲଗାଇଥିଲେ। ବିିସିସିଆଇ ଚାପ ଆଗରେ ନଇଁ ଆଇସିସି କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ।
ସ୍କଟଲାଣ୍ଡକୁ ଖେଳିବାର ସୁଯୋଗ ମିଳିପାରେ
ଆଇସିସି ଯଦି ବାଂଲାଦେଶକୁ ବିଶ୍ବକପରୁ ବାଦ ଦିଏ ତେବେ ଆଇସିସି ମାନ୍ୟତା ଅନୁସାରେ ସ୍କଟଲାଣ୍ଡକୁ ଖେଳିବା ସୁଯୋଗ ମିଳିପାରେ। ବିଶ୍ବକପରୁ ବାଦ ପଡ଼ିଲେ ବାଂଲାଦେଶ କ୍ରିକେଟ ଉପରେ ତାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କାରଣ ଏହା ପରେ ଆଇସିସି ବାଂଲାଦେଶ ଉପରେ ଜରିମାନା ବସାଇବାର ଆଶଙ୍କା ରହିଛି। ପୁଣି ବାଂଲାଦେଶ ବିଶ୍ବକପ ଅଂଶଗ୍ରହଣ ପାଉଣା ବାବଦରେ ପାଇବାକୁ ଥିବା ୩ ଲକ୍ଷ ଡଲାର ଆଉ ମିଳିବ ନାହିଁ। ଆହୁରି ମଧ୍ୟ ଯଦି ଆଇସିସିର ହୃଦବୋଧ ହୁଏ ଯେ ରାଜନୈତିକ କାରଣରୁ ବାଂଲାଦେଶ ସରକାରଙ୍କ ଚାପରେ ଏପରି ନିଷ୍ପତ୍ତି ନିଆଯାଇଛି, ତେବେ ବାଂଲାଦେଶ ଉପରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଯାହା ମଧ୍ୟରେ ରହିଛି ସଦସ୍ୟତା ନିଲମ୍ବନ, ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନରୁ ବାଦ ଇତ୍ୟାଦି। ଆସନ୍ତା ୨୦୩୧ ଦିନିକିଆ ବିଶ୍ବକପ୍ ଆୟୋଜନ ଦାୟିତ୍ବ ଭାରତ ଓ ବାଂଲାଦେଶକୁ ମିଳିତଭାବେ ମିଳିବାର ସମ୍ଭାବନା ରହିଛି। କିନ୍ତୁ ଏହି ସୁଯୋଗ ବି ବାଂଲାଦେଶ ହରାଇପାରେ।
ସୌଜନ୍ୟ ସମ୍ବାଦ




