ଡାଭୋସ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଆଗକୁ ବଢ଼ୁଥିବା ସବୁ କମ୍ପାନି ସଫଳ ହେବେ ନାହିଁ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ କହିଛନ୍ତି। ଏଆଇ କମ୍ପାନିଗୁଡ଼ିକରେ ନିବେଶ କରୁଥିବା ନିବେଶକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଅଧିକାଂଶ କମ୍ପାନିର ମୂଲ୍ୟାଙ୍କନ ଏତେ ଅଧିକ ରହିବ ଯେ ତାହାକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରିବା କଷ୍ଟକର ହେବ ଏବଂ ସେମାନଙ୍କ ସେୟାର ମୂଲ୍ୟ ହ୍ରାସ ପାଇବ। ନିଯୁକ୍ତି ବଜାର ଉପରେ ଏଆଇର ପ୍ରଭାବ ସଂକ୍ରାନ୍ତରେ ସେ ବିଭିନ୍ନ ଦେଶର ସରକାରମାନଙ୍କୁ ସତର୍କ କରାଇ କହିଛନ୍ତି ଯେ ଯେମିତି ଆଶଙ୍କା କରାଯାଉଛି ତାଠାରୁ ଆହୁରି ଦ୍ରୁତ ଗତିରେ ଏହି ସଙ୍କଟ ମାଡ଼ିଆସିବ। ତାହା ଅର୍ଥନୈତିକ ଓ ସାମାଜିକ ଚାପ ସୃଷ୍ଟି କରିବ। ଆସନ୍ତା ୪-୫ ବର୍ଷରେ ଉଭୟ ବରିଷ୍ଠ ଓ କନିଷ୍ଠ ସ୍ତରର କର୍ମଚାରୀଙ୍କୁ ଏଆଇ ପ୍ରଭାବିତ କରିବ।

