ଜଳବାୟୁପୁନଶ୍ଚ ପୃଥିବୀ

Climate change impacts: ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୩ ବନାଞ୍ଚଳରେ ହ୍ରାସ ପାଇଛି ପକ୍ଷୀବଂଶ

କଟକ ବନଖଣ୍ଡ ଅଧୀନ ଯାଜପୁର ଜିଲ୍ଲାର ଟମ‌କାକୁ ବାଦ୍‌ ଦେଲେ ଅନ୍ୟ ତିନି ବନାଞ୍ଚଳ (ସୁକିନ୍ଦା, ଯାଜପୁରରୋଡ୍‌ ଓ ଡାଳିଯୋଡ଼ା)ରେ ପକ୍ଷୀସଂଖ୍ୟା ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ଜିଲ୍ଲାର ୪ଟି ବନାଞ୍ଚଳକୁ ୩୫,୨୧୩ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୩୧୦୮୯ଟି ପକ୍ଷୀ ଆସିଛନ୍ତି।

ଯାଜପୁରକଟକ ବନଖଣ୍ଡ ଅଧୀନ ଯାଜପୁର ଜିଲ୍ଲାର ଟମ‌କାକୁ ବାଦ୍‌ ଦେଲେ ଅନ୍ୟ ତିନି ବନାଞ୍ଚଳ (ସୁକିନ୍ଦା, ଯାଜପୁରରୋଡ୍‌ ଓ ଡାଳିଯୋଡ଼ା)ରେ ପକ୍ଷୀସଂଖ୍ୟା ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ଜିଲ୍ଲାର ୪ଟି ବନାଞ୍ଚଳକୁ ୩୫,୨୧୩ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୩୧୦୮୯ଟି ପକ୍ଷୀ ଆସିଛନ୍ତି। ସୁକିନ୍ଦା ବନାଞ୍ଚଳରେ ଚଳିତବର୍ଷ ୬ଟି ଜଳାଶୟ ଅଶୋକଝର, ଢୋଲପଥର, ଦଲକି, ଗିରିଙ୍ଗାମାଳି, ରୁଙ୍ଗୁରୁଙ୍ଗା, ରଗଦା, ବ୍ରାହ୍ମଣୀ ନଦୀ ଓ ଏହାର ଉପନଦୀ ପାଣ୍ଡରାରେ ପକ୍ଷୀଗଣନା କରାଯାଇଥିଲା। ଏଠାରେ ପକ୍ଷୀସଂଖ୍ୟା ୭୯୫ ରହିଛି। ଏଥିରେ ସର୍ବାଧିକ ୧୪୦ଟି ବଗ, ୫୧ଟି କଜଳପାତି ଓ ୪ଟି ପାଣିକୁଆ ଅଛନ୍ତି।

 

୫ ପ୍ରକାର ମାଛରଙ୍କା, ରାଜବଣି ସହ ୩ ପ୍ରକାର ବଣି, ସ୍ବତନ୍ତ୍ର ବଦନପାଟିଆ ଖଞ୍ଜନ ସହ ୩ ପ୍ରଜାତିର ଖଞ୍ଜନ, ୨ ପ୍ରକାର କପୋତ, ସଲରି, ଟେଁଟେଁଇ, ଚାତକ, ଡାମରା କାଉ, ସତିରା, ବାଉଁଶ ପତିରି, ମାଳିଆପକ୍ଷୀ, କାଠହଣା, ବୁଲ୍‌ବୁଲ୍‌, ରବିନ, ବତାସିଆ ଓ ଭଦଭଦଳିଆକୁ ମିଶାଇ ମୋଟ ୨୬ ପ୍ରଜାତିର ପକ୍ଷୀ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲେ। ଗତବର୍ଷ ଏହିସବୁ ସ୍ଥାନରେ ପାଖାପାଖି ୧୯ଶହ ପକ୍ଷୀ ରହିଥିଲେ। ସେହିପରି ଯାଜପୁରରୋଡ୍‌ ବନାଞ୍ଚଳର ଯୋକଡ଼ିଆ ପାଟଚକୁଆ, ରୁଢ଼ିଆ ବ୍ୟାରେଜ୍‌, ନେଳିବାରି ଜଳାଶୟ, ଗଣ୍ଡାନାଳ, ଧରମପୁର, ଗୋହିରାପାଳ, ସିଂହପୁର ଜଳଭଣ୍ଡାର ଏବଂ ଟିଣାନାଳରେ ପକ୍ଷୀସଂଖ୍ୟା ୩୦୧୬ ରହିଛି। ଗତବର୍ଷ ଏହି ସଂଖ୍ୟା ୫୨୭୫ ରହିଥିଲା। ଡାଳିଯୋଡ଼ା ବନାଞ୍ଚଳର ଗବପାଳ, ରାହାଡ଼ପୁର, କଣ୍ଟେଇଝର, ଦେଉଳିପାଟ, ଆକବରାବାଦପାଟ, ବଜ୍ରଗିରିପାଟ, ଧାନମଣ୍ଡଳ, ଗଡ଼ମଧୁପୁରପାଟ ଆଦି ସ୍ଥାନରୁ ଆସିଥିବା ରିପୋର୍ଟ ଅନୁଯାୟୀ ପକ୍ଷୀସଂଖ୍ୟା ଏଥର ୨୬,୭୪୬ ରହିଛି। ଗତବର୍ଷ ଏହା ୨୭,୫୯୩ ରହିଥିଲା।

ଟମକା ବନାଞ୍ଚଳର କଂସ, ଟମକା, ଡୁବୁରିର ୬ଟି ଜଳାଶୟ ଓ ବ୍ରାହ୍ମଣୀପାଳର କୋସେଇ ଜଳଭଣ୍ଡାରରେ ଗତବର୍ଷ ପକ୍ଷୀସଂଖ୍ୟା ୪୪୫ ରହିଥିବାବେଳେ ଚଳିତବର୍ଷ ୫୩୨ ରହିଛି। କୌଣସି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଉପସ୍ଥିତି ଠାବ ହୋଇନାହିଁ। ସବୁଠି ପାଣିକୁଆ, କାଣ୍ଟିବଗ, ଗେଣ୍ଡାଳିଆ, ହଂସରାଳି, ଭଦଭଦଳିଆ, କେଶରପାଣ୍ଡିଆ, କ୍ୟାଟେଲ୍‌ ଇଗ୍ରେଟ୍‌, ଲିଟିଲ୍‌ ଇଗ୍ରେଟ୍‌, ଇଣ୍ଟର ମିଡିଏଟ୍‌ ଇଗ୍ରେଟ୍‌ ବଗଜାତୀୟ, ବଡ଼ବଗ, ଚକୁଆ, ଡାହୁକ, ପାଣିକୁଆ, ମାଛରଙ୍କା, ଟେଁଟେଁଇ ଆଦି ବିଭିନ୍ନ ପକ୍ଷୀ ଥିବା ଗଣନାରୁ ଜଣାପଡ଼ିଛି। ତିନି ବନାଞ୍ଚଳରେ ପକ୍ଷୀସଂଖ୍ୟା ହ୍ରାସ ପାଇବା ପଛରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ତଥା ଜଳଭଣ୍ଡାରରେ ହ୍ରାସ ପାଉଥିବା ଜଳରାଶି ମୁଖ୍ୟ କାରଣ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଖଣି ଓ ଶିଳ୍ପଜନିତ ପ୍ରଦୂଷଣ ଯୋଗୁଁ ମଧ୍ୟ ପକ୍ଷୀମାନେ ଏହି ଅଞ୍ଚଳକୁ ଆଉ ପୂର୍ବଭଳି ଆସୁନଥିବା ବନ ବିଭାଗ ଅଧିକାରୀ ମତ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button