ଓଡିଶାରାଜନୀତି

Mohan Charan Majhi: ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ଚଳିତ ବଜେଟ୍‌ରେ ରେକର୍ଡ ୧୦,୯୨୮ କୋଟି ଟଙ୍କା ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ...

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ଚଳିତ ବଜେଟ୍‌ରେ ରେକର୍ଡ ୧୦,୯୨୮ କୋଟି ଟଙ୍କା ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ବୋଲି ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରଗତି ପ୍ରତି କେନ୍ଦ୍ର ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ‘ସମୃଦ୍ଧ ଓଡ଼ିଶା’ ଗଠନ ସଂକଳ୍ପକୁ ଆହୁରି ସୁଦୃଢ଼ କରିଛି। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୯୦,୬୫୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଗତ ୧୧ ବର୍ଷ ମଧ୍ୟରେ ୨,୨୦୦ କିଲୋମିଟର ନୂତନ ରେଳ ଲାଇନ ସ୍ଥାପିତ ହେବା ଆମ ବିକାଶ ଯାତ୍ରାର ଏକ ଗୌରବମୟ ସଫଳତା। ଏହା ସହ ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଟ୍ରେନର ସଫଳ ଚଳାଚଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ସହ ସାଧାରଣ ଜନତାଙ୍କ ଯାତ୍ରାକୁ ଅଧିକ ସୁଗମ ଓ ଆରାମଦାୟକ କରିଛି।

ଚଳିତ ବଜେଟରେ ଅନୁମୋଦିତ ‘ପୂର୍ବ-ପଶ୍ଚିମ ପରିବହନ କରିଡର’ (East-West Freight Corridor) ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟିକ କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ। କେବଳ ଭିତ୍ତିଭୂମି ନୁହେଁ, ବରଂ ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳ ପଥରେ ହାତୀ ମୃତ୍ୟୁ ରୋକିବା ପାଇଁ AI-ଭିତ୍ତିକ ଥର୍ମାଲ କ୍ୟାମେରା ଓ OFC (Optical Fibre Cable) ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଏକ ଆଦର୍ଶ ସୃଷ୍ଟି କରିବ। ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିବଦ୍ଧ। ଆମର ଏହି ମିଳିତ ପ୍ରୟାସରେ ଓଡ଼ିଶା ନିଶ୍ଚିତ ଭାବେ ଏକ ପ୍ରଗତିଶୀଳ ଏବଂ ‘ସମୃଦ୍ଧ ରାଜ୍ୟ’ରେ ପରିଣତ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button