ଓଡିଶାଜିଲ୍ଲା

Paddy: ଟୋକନ୍ ଥାଇ ଉଠୁନି ଧାନ, ଚାଷୀ ନିରାଶ

ଯେଉଁ ପରିମାଣର ଜମିରେ ଚାଷ କରି ଧାନ ଉତ୍ପାଦିତ ହୋଇଛି ସେ ଅନୁଯାୟୀ ଟୋକନ୍ ଆସୁ ନାହିଁ। ‌ଟୋକନ୍ ଆସିବାର ୨ମାସ ପରେ ଧାନ ଉଠୁଛି। ଏହାରି ମଧ୍ୟରେ ଧାର୍ଯ୍ୟମଣ୍ଡି ଠାରୁ ୩ଟି ମଣ୍ଡି ସରିବା ପରେ ଶେଷ ଅର୍ଥାତ ୪ର୍ଥ ମଣ୍ଡିରେ ଧାନ ଉଠୁଛି।

ନବରଙ୍ଗପୁର (ସୁରେଶ ନାଇଡୁ): ଯେଉଁ ପରିମାଣର ଜମିରେ ଚାଷ କରି ଧାନ ଉତ୍ପାଦିତ ହୋଇଛି ସେ ଅନୁଯାୟୀ ଟୋକନ୍ ଆସୁ ନାହିଁ। ‌ଟୋକନ୍ ଆସିବାର ୨ମାସ ପରେ ଧାନ ଉଠୁଛି। ଏହାରି ମଧ୍ୟରେ ଧାର୍ଯ୍ୟମଣ୍ଡି ଠାରୁ  ୩ଟି ମଣ୍ଡି ସରିବା ପରେ ଶେଷ ଅର୍ଥାତ ୪ର୍ଥ ମଣ୍ଡିରେ ଧାନ ଉଠୁଛି। ସେ ସମୟରେ ଚାଷୀମାନଙ୍କ ବିଭିନ୍ନ ଚାପ ଯୋଗୁଁ ଅସହାୟ ଅବସ୍ଥାରେ କଟନି ଛଟନି ସହ କ୍ରୟକାରୀ ସଂସ୍ଥା ଓ ମିଲର୍ସଙ୍କ ବିଭିନ୍ନ ଦାବିକୁ ମୁଣ୍ଡଚାପି ମାନୁଛି। ନ ମାନିଲେ ଧାନ  ନଉଠିଲେ ଧାର ଉଧାର କିଭଳି ସୁଝିବ ଚିନ୍ତାରେ ଚାଷୀ ବୋଲି କହିଛନ୍ତି ଚାଷୀ ଦ୍ବାରିକା ମହାପାତ୍ର, ଶ୍ରୀହରି ଦାଶ, ରାମଚନ୍ଦ୍ର ଭତ୍ରା।

ଏହି ସ୍ଥିତିରେ ବାଧ୍ୟ ହୋଇ ମଣ୍ଡିରେ ଧାନ ଓହ୍ଲାଇବା ବଦଳରେ ମିଲର୍ସଙ୍କ ମିଲକୁ ଧାନ ନେଉଛନ୍ତି।  ମିଲରେ  ଓହ୍ଲାଇ ରଖିବାକୁ ଦୁଇରୁ ତିନି ଦିନ ଅପେକ୍ଷା କରିବାକୁ ପଡୁଛି ବୋଲି କହିଛନ୍ତି ଚାଷୀ। ଜିଲ୍ଲାପ୍ରଶାସନ, ଜିଲ୍ଲାଯୋଗାଣ ବିଭାଗ ସବୁ ମଣ୍ଡି ସ୍ବାଭାବିକ ଭାବେ ଚାଳିଛି ବୋଲି କହୁଥିବା ବେଳେ ଆଜି ବି ମଣ୍ଡିରେ ଧାନ ଜମା ହୋଇ ରହିଛି। କଟନି ଛଟନି ଜାରି ରହିଛି। ଜିଲ୍ଲାରେ ଦୁଇ ପର୍ଯ୍ୟାୟରେ ୨୦ଲକ୍ଷ ୮୮ହଜାର କ୍ବିଣ୍ଟାଲ ଧାନ କିଣାଯିବ। ଧାନ ବିକ୍ରି ପାଇଁ ପଞ୍ଜୀକରଣ କରି ବିଭିନ୍ନ ପର୍ଯ୍ୟାୟ ଯାଂଚ ପରେ କଟି ୫୦୬,୬୯ଜଣ ବିକ୍ରୀ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୫୯,୩୩୦ ଟୋକନ୍ ଚାଷୀଙ୍କୁ ମିଳିଛି।

ମିଲର୍ସଙ୍କୁ ୧୮ଲକ୍ଷ ୩୧ହଜାର ୩୭୫କୁଇଣ୍ଟାଲ ଧାନ ଉଠାଇବାକୁ ମାସ୍  ଓ ସାସ୍ ଦିଆସରିଛି। ବର୍ତ୍ତମାନ ସୁଦ୍ଧା ୫୮ଟି ମଣ୍ଡିରେ ୧୫ଲକ୍ଷ ୮୧ ହଜାର୨୪୯ କୁଇଣ୍ଟାଲ ଧାନ  ୩୧,୮୦୬ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ବିଭିନ୍ନ ମଣ୍ଡିରୁ କିଣାଯାଇଥିବା ଧାନରୁ ୧୪ଲକ୍ଷ ୩୫ହଜାର ୩୬୩କୁଇଣ୍ଟାଲ ଉଠିଥିବା ବେଳେ ବଳକା ୧ଲକ୍ଷ୪୫ହଜାର ୮୮୬ କ୍ବିଣ୍ଟାଲ ଧାନ ଉଠିପାରନି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି। ଗାଡ଼ି ଅଭାବରୁ ଏହି ଧାନ ଉଠିପାରି ନଥିବା କହିଛନ୍ତି ଜିଲ୍ଲା ମିଲର୍ସ ଆସୋସିଏସନ୍ ସଂଘର ସଭାପତି କାହ୍ନୁ ଦାଶ। ମିଲର୍ସମାନେ ୧୩ଲକ୍ଷ ୪୭ହଜାର ୨୭କ୍ବିଣ୍ଟାଲ ଧାନ ଗ୍ରହଣ କରିବା ସହ ମାସ୍ ଓ ସାସ୍ ମିଳିବା ସହ ସରକାରୀ ଭାବେ ଅନୁମୋଦନ ହୋଇସାରିଛି। ୨୪ହଜାର ୨୩୭ଜଣ ଚାଷୀଙ୍କୁ ଏହାରି ମଧ୍ୟରେ ୨୭୦.୧୧କୋଟି ଟଙ୍କା ଦିଆସରିଛି।

୨୦୨୫-୨୬ ଖରିଫ ମଣ୍ଡିର କଷ୍ଟମ ମିଲିଂ ପାଇଁ ଧାନ ଉଠାଇବାକୁ ଜିଲ୍ଲାର ୮୨ ମିଲର୍ସ ମଧ୍ୟରୁ ଧିରେ ଧିରେ ବୃଦ୍ଧି ପାଇଁ ଏବେ ୮୦ଜଣ ଯୋଗ୍ୟ ହୋଇଥିବା ବେଳେ ୭୯ଜଣ ଧାନ ଉଠାଉଛନ୍ତି।୨୦୨୪-୨୫  ଖରିଫ ମଣ୍ଡିର ୨ଲକ୍ଷ ୩୬ହଜାର ୭୮୧କ୍ବିଣ୍ଟାଲ ଚାଉଳ ମିଲର୍ସ ଦେବାକୁ ବାକି ରହିଛନ୍ତି। ସବୁ ମଣ୍ଡିରେ ଅନୁସଙ୍ଗିକ ସୁବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଆରଏମସି ସମ୍ପାଦକ କ‌ପିଳେନ୍ଦ୍ର ସାସମଲ। ମଣ୍ଡି ସ୍ବାଭାବିକ ହୋଇସାରିଛି, ଯେଉଁଠି ସାମାନ୍ୟ ସମସ୍ୟା ଉପୁଜୁଛି ତାହାର ସୁସମାଧାନ କରି ତୁରନ୍ତ ଧାନ ଉଠାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ନିୟମିତ ଭାବେ ସବୁଦିନ  ମଣ୍ଡି ଗୁଡିକର ଟିକନିଖି ସୂଚନାକୁ ନେଇ ସମୀକ୍ଷା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button