T-20 WorldCup: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାଇଭାଇ
କ୍ରିକେଟ୍ରେ ଅନେକ ଥର ଗୋଟିଏ ଦଳରୁ ଦୁଇ ଭାଇ ଏକାଠି ଖେଳିବାର ଦେଖିଛେ। ସେହିପରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ ୩ ଦଳରୁ ୫ ଯୋଡ଼ା ୨ଭାଇ ଏକାଠି ଖେଳୁଛନ୍ତି।

ନୂଆଦିଲ୍ଲୀ: କ୍ରିକେଟ୍ରେ ଅନେକ ଥର ଗୋଟିଏ ଦଳରୁ ଦୁଇ ଭାଇ ଏକାଠି ଖେଳିବାର ଦେଖିଛେ। ସେହିପରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ ୩ ଦଳରୁ ୫ ଯୋଡ଼ା ୨ଭାଇ ଏକାଠି ଖେଳୁଛନ୍ତି। ଆୟର୍ଲାଣ୍ଡ ଓ ଇଟାଲିରୁ ୨ ଯୋଡ଼ା ଭାଇଭାଇ ଖେଳୁଥିଲା ବେଳେ ନେପାଳ ଦଳରେ ଗୋଟିଏ ଯୋଡ଼ା ଅଛନ୍ତି। ଆୟର୍ଲାଣ୍ଡ ଦଳରେ ହ୍ୟାରି ଓ ଟିମ୍ ଟେକର ଏବଂ ମାର୍କ ଓ ରସ୍ ଏଡାୟର ରହିଥିଲା ବେଳେ ଇଟାଲିରେ ଅଛନ୍ତି ହ୍ୟାରି ଓ ବେନ୍ ମାନେଟି ଏବଂ ଆନ୍ଥୋନି ଓ ଜଷ୍ଟିନ୍ ମସ୍କୋ। ସେହିପରି ନେପାଳ ଦଳରେ ଅଛନ୍ତି ଆରିଫ୍ ଓ ଅସିଫ୍ ସେଖ୍।
ବେଶୀ ଚର୍ଚ୍ଚିତ ରହିଛନ୍ତି ଆନ୍ଥୋନି ଓ ଜଷ୍ଟିନ୍
ଏମାନଙ୍କ ମଧ୍ୟରୁ ଚଳିତ ବିଶ୍ବକପ୍ରେ ବେଶୀ ଚର୍ଚ୍ଚିତ ରହିଛନ୍ତି ଆନ୍ଥୋନି ଓ ଜଷ୍ଟିନ୍। ଏମାନେ ଗୁରୁବାର ନେପାଳକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ନେପାଳ ୧୨୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଏହି ଦୁଇ ଭାଇ ଓପନିଂ ଆସି ୪୪ ବଲ୍ ପୂର୍ବରୁ ଦଳକୁ ଜିତାଇ ଦେଇଥିଲେ। ଆନ୍ଥୋନି (୩୨ ବଲ୍ରୁ ୬୨*, ୩ ଚୌକା, ୬ ଛକା) ଓ ଜଷ୍ଟିନ୍ (୪୪ ବଲ୍ରୁ ୬୦*, ୫ ଚୌକା, ୩ ଛକା) ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏନ୍ୟପକ୍ଷରେ ଫୁଟ୍ବଲ୍ରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ୟୁରୋପୀୟ ଦଳ ଇଟାଲି ଟ୍ବେଣ୍ଟି-୨୦ କ୍ରିକେଟ୍ ବିଶ୍ବକପ୍ ପଦାର୍ପଣରେ ପ୍ରଥମ ବିଜୟ ପାଇବାର ଐତିହାସିକ ସଫଳତା ପାଇଥିଲା। ଇଟାଲିରୁ ଖେଳୁଥିବା ଅନ୍ୟ ଦୁଇ ଭାଇଙ୍କ ମଧ୍ୟରୁ ଅଧିନାୟକ ହ୍ୟାରି ବ୍ୟାଟିଂ ଓ ବୋଲିଂ ସୁଯୋଗ ପାଇ ନଥିଲା ବେଳେ ଦୁଇଟି କ୍ୟାଚ୍ ନେଇଥିଲା ବେଳେ ଗୋଟିଏ ରନ୍ଆଉଟ୍ କରିଥିଲେ। ତାଙ୍କ ଭାଇ ବେନ୍ ଦୁଇ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ରେ ନେପାଳରୁ ଖେଳୁଥିବା ଆରିଫ (୨୭) ଓ ଅସିଫ (୨୦) ନିଜର ଛାପ ଛାଡ଼ିଥିଲେ। ସ୍କଟ୍ଲାଣ୍ଡ ବିପକ୍ଷ ମ୍ୟାଚ୍ ଇଟାଲି ହାରି ଥିଲେ ମଧ୍ୟ ହ୍ୟାରି (୩୭) ଓ ବେନ୍ (୫୨) ଭଲ ବ୍ୟାଟିଂ କରିବା ସହ ୭୩ ରନ୍ର ଭାଗୀଦାର ଗଢ଼ିଥିଲେ।
ଆୟର୍ଲାଣ୍ଡରୁ ଖେଳୁଥିବା ଟେକର ବ୍ରଦର୍ସ ଯୋଡ଼ି ହ୍ୟାରି ଚଳିତ ବିଶ୍ବକପ୍ରେ ଦୁଇଟି ମ୍ୟାଚ୍ ଖେଳିଥିଲା ବେଳେ ଟିମ୍ଙ୍କୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନି। ହ୍ୟାରି ୨ ମ୍ୟାଚ୍ରେ ଯଥାକ୍ରମେ ୪୦ ଓ ୦ କରିଥିଲା ବେଳେ ଗୋଟିଏ ୱିକେଟ୍ ନେଇଛନ୍ତି। ତେବେ ରସ୍ ଓ ମାର୍କ ଏଡାୟର ଦୁଇଟି ଯାକ ମ୍ୟାଚ୍ ଖେଳିଛନ୍ତି। ରସ୍ ଯଥାକ୍ରମେ ୧୨ ଓ ୩୪ ରନ୍ କରିଥିଲା ବେଳେ ମାର୍କ (୧୨ ରନ୍ ଓ ୨ ୱିକେଟ୍ ଏବଂ ୧୦ ରନ୍ ଓ ୧ ୱିକେଟ୍) ୨ଟି ଯାକ ମ୍ୟାଚ୍ରେ ସଫଳ ଅଛନ୍ତି।
ସୌଜନ୍ୟ ସମ୍ବାଦ




