ଓଡିଶା

The village: ତୁଳସୀଙ୍କ ମୁହଁରେ ଗାଁର ଜାତକ!

ତୁଳସୀ ଦାସଙ୍କ ନାଁ କିଏ ବା ନ ଜାଣେ। ରାମଚରିତ ମାନସ ସହ ଲେଖିଥିଲେ ପୁରାଣର ଅନେକ କଥା। ଇଏ ବି ଜଣେ ତୁଳସୀ ଦାଶ। ତେବେ ଏ ତୁଳସୀ ପୁରାଣ ଲେଖି ନଥିଲେ ବି ଲେଖିଛନ୍ତି ଗାଁର ଜାତକ।

ବିଶ୍ବଜିତ ଦାଶ
ବରଗଡ଼: ତୁଳସୀ ଦାସଙ୍କ ନାଁ କିଏ ବା ନ ଜାଣେ। ରାମଚରିତ ମାନସ ସହ ଲେଖିଥିଲେ ପୁରାଣର ଅନେକ କଥା। ଇଏ ବି ଜଣେ ତୁଳସୀ ଦାଶ। ତେବେ ଏ ତୁଳସୀ ପୁରାଣ ଲେଖି ନଥିଲେ ବି ଲେଖିଛନ୍ତି ଗାଁର ଜାତକ। ୭ ହଜାର ଲୋକଙ୍କ ଜନ୍ମଜାତକ ତାଙ୍କ ମୁହଁରେ। ଗାଁର ଇତିହାସରୁ ନେଇ ପ୍ରତ୍ୟେକ ପରିବାରର ଜନ୍ମମୃତ୍ୟୁ ତାରିଖ, ସବୁ କିଛି ସାଇତି ରଖିଛନ୍ତି ସେ। ଏଥିପାଇଁ ନା ତାଙ୍କୁ ଦରକାର ପଡ଼ିଛି କମ୍ପ୍ୟୁଟର, ନା କୌଣସି ସାଧନ ସୁବିଧା। କେବଳ ଦରକାର ହୋଇଛି କଲମ ଆଉ କାଗଜ।

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗାଁ ହେଉଛି କଣ୍ଡପଲା। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅଧୀନରେ ରହିଛି ଏହି ଗାଁ। ଗାଁରେ ରହନ୍ତି ୭୪ ବର୍ଷୀୟ ତୁଳସୀ ଦାଶ। ତାଙ୍କ ପାଖରେ ଗାଁର ଅନେକ ଇତିହାସ ସାଇତା ହୋଇରହିଛି। ୧୯୫୨ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୮ ବର୍ଷ ହେବା ବେଳକୁ ସେ ଇତିହାସ ସାଇତି ରଖିବାକୁ ନିଜ ଲେଖନୀ ଆରମ୍ଭ କରିଥିଲେ। ଗାଁରେ କିଏ କେବେ ଜନ୍ମ ହେଲା? କେଉଁ ସମୟରେ ଜନ୍ମ ହେଲା? କାହାର କେବେ ମୃତ୍ୟୁ ହେଲା? ପ୍ରତ୍ୟେକ ବର୍ଷର କ୍ୟାଲେଣ୍ଡର, ପାଞ୍ଜି ଭଳି ଅନେକ କିଛି ଗାଁ ସହ ଜଡ଼ିତ ରହୁଥିବା ବିଷୟ ଲେଖି ଚାଲିଥିଲେ। ଏବେ ବି ତାଙ୍କ କଲମ ବନ୍ଦ ହୋଇନି। ନିଜ ଲେଖା ଜାରି ରଖିଛନ୍ତି।

ବାପା ସ୍ୱର୍ଗତ ରଘୁବର ଦାଶ ଓ ମା’ ସ୍ବର୍ଗୀୟା ଉର୍ମିଳା ଦାଶ ମଧ୍ୟ ତାଙ୍କୁ ସହାୟତା କରି ଆସୁଥିଲେ। ପତ୍ନୀ ସ୍ବର୍ଗୀୟା କୁମରମତୀ ନାୟକ ବି ସହାୟତା କରୁଥିଲେ। ହେଲେ ଏବେ ଏକୁଟିଆ ଗାଁରେ ଅଛନ୍ତି ତୁଳସୀ। କାରଣ ପୁଅ ବାହାରେ ରହୁଛନ୍ତି। ଏସବୁ ଭିତରେ କେବେ ଆର୍‌ଆଇ ଅଫିସ ଖୋଲିଲା, କେବେ ବିଦ୍ୟୁତ୍‌ ଆସିଲା, ସବୁ ଇତିହାସ ତାଙ୍କ ପାଖରେ ସାଇତି ହୋଇରହିଛି। ଇତିହାସରୁ ସ୍ମରଣ କରି ସେ କହିଛନ୍ତି, ଏକଦା ତାଙ୍କ ଗାଁରେ ପାଣିର ବହୁତ ଅସୁବିଧା ଥିଲା। ଗାଁ ଲୋକେ କିଭଳି ଏକଜୁଟ ହୋଇ ବାରପାହାଡ଼ ଜଙ୍ଗଲରୁ ପାଣି ଆଣିଥିଲେ ତାହା ସେ ବର୍ଣ୍ଣନା କରିବା ସହ ସେ ସମୟର ଲେଖା ମଧ୍ୟ ଏହି ପ୍ରତିନିଧିଙ୍କୁ ଦେଖାଇଥିଲେ। ଏବେ ସେ ୭୪ ବର୍ଷରେ ଉପନୀତ, ତଥାପି ବେଶ୍‌ ଚଳଚଞ୍ଚଳ। ୬ରୁ ୭ ଏକର ଜମିରେ ଧାନଚାଷ ବି କରୁଛନ୍ତି। କେବେ କୋଉ କଥାରେ ଗ୍ଲାନି ନାହିଁ, ବେଶ୍‌ ଖୁସିରେ ରହନ୍ତି। ପ୍ରଶାସନିକ ଅଧିକାରୀମାନେ ଜମିବାଡ଼ିରୁ ନେଇ ଅନ୍ୟ ତଥ୍ୟ ଦରକାର ପଡ଼ିଲେ ତାଙ୍କ ପାଖକୁ ଯାଆନ୍ତି। ଗାଁ ଲୋକେ ମଧ୍ୟ ତାଙ୍କୁ ଢେର ଆଦର କରନ୍ତି। ତୁଳସୀ ଦାଶ ଆମ ଗାଁ’ର ଇତିହାସ ଲେଖକ ବୋଲି ଗାଁବାସୀ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button