ଓଡିଶା

Jagadish Jayanti: ସୁପ୍ରିୟା ପଣ୍ଡାଙ୍କୁ ‘ଜଗଦୀଶ କଥା ସମ୍ମାନ’: ଶାନ୍ତନୁ କୁମାର ନାୟକ ପାଇଲେ ‘ଜଗଦୀଶ ଯୁବ ସମ୍ମାନ

ଭୁବନେଶ୍ୱର: ଜଗଦୀଶ ମହାନ୍ତିଙ୍କ ଗପ ପଢ଼ିବା ବେଳେ ଲାଗେନାହିଁ ଯେ ଆମେ ଗପ ପଢ଼ୁଛୁ, ବରଂ ଲାଗେ ଯେମିତି ଆମେ ଅତିପରିଚିତ କେଉଁ ଲୋକ ସହ କଥାବାର୍ତ୍ତା କରୁଛୁ । କାରଣ ସାଧାରଣ କଥୋପକଥନ ଭଙ୍ଗୀରେ ତାଙ୍କର ସାହିତ୍ୟ ରଚିତ। ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଆୟୋଜିତ ‘ଜଗଦୀଶ ଜୟନ୍ତୀ’ ଅବସରରେ ଯୋଗଦେଇ ଅତିଥିଗଣ ଏପରି ମତ ଦେଇଛନ୍ତି। ଓଡ଼ିଆ କଥାସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସୃଜନକୃତି ଓ ଜୀବନଚର୍ଯ୍ୟା ଉପରେ ସବିଶେଷ ଆଲୋଚନା କରିଥିଲେ।

ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ସୁପ୍ରିୟା ପଣ୍ଡାଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଜଗଦୀଶ କଥା ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା। ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ୫ ହଜାର ଟଙ୍କା ଅର୍ଥରାଶି ସମ୍ବଳିତ ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକ ଶାନ୍ତନୁ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଉଭୟ ପୁରସ୍କୃତ ଲେଖକ ସେମାନଙ୍କ ଲେଖକୀୟ ବକ୍ତବ୍ୟରେ ଜଗଦୀଶ ମହାନ୍ତିଙ୍କ ଗଳ୍ପର ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଉତ୍ସବରେ ସଭାପତିତ୍ୱ କରିଥିଲେ କଥାକାର ଡକ୍ଟର ସରୋଜିନୀ ସାହୁ। ‘ଟ୍ରଷ୍ଟ୍‍’ର ସଂପାଦକ ତଥା ଲେଖକ ସରୋଜ ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ଉତ୍ସବ ସଂଚାଳନ କରିଥିଲେ। ଉତ୍ସବ ଆରମ୍ଭରେ ଯୁବକବି ଶିବଚରଣ ମହାପାତ୍ର ଜଗଦୀଶ ମହାନ୍ତିଙ୍କର ଏକ ଗଳ୍ପ ଉପସ୍ଥାପନ କରିଥିଲେ।

ଉତ୍ସବ ପରିଚାଳନାରେ ତିଳୋତ୍ତମା ଦାସ, ପ୍ରଜ୍ଞା ପାରମିତା ରଥ, ଅନ୍ତର୍ଯ୍ୟାମୀ ମିଶ୍ର, ଜଗନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବାବେଳେ ବହୁ ଜଗଦୀଶପ୍ରେମୀ ପାଠକପାଠିକା, ଲେଖକ, ସଂପାଦକ, ପ୍ରକାଶକ ଓ ସାହିତ୍ୟାନୁରାଗୀ ଏଥିରେ ଯୋଗ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button