ସମ୍ବଲପୁର: ଶିଳ୍ପବହୁଳ ସମ୍ବଲପୁର ଜିଲ୍ଲାରେ ଅବାଧ ଗଛକଟା ଚାଲିଥିବା ବେଳେ ଶିଳ୍ପ ପ୍ରଦୂଷଣ ଚିନ୍ତା ବଢ଼ାଇଲାଣି। ବାୟୁ ଓ ଜଳ ସବୁ ପ୍ରଦୂଷିତ ହେଉଛି। ଗୋଟିଏ ପଟେ କାରଖାନାରେ ବ୍ୟବହୃତ କୋଇଲା, କୋଇଲା ଜଳିବା ପରେ ବାହାରୁଥିବା ପାଉଁଶ (ଫ୍ଲାଏଆସ୍) ତ ଅନ୍ୟ ପଟେ କୋଇଲା ଓ ପାଉଁଶ ପରିବହନ କାର୍ଯ୍ୟରେ ନିୟୋଜିତ ହଜାର ହଜାର ଗାଡ଼ି ଯୋଗୁଁ ପ୍ରଦୂଷଣ ବଢ଼ୁଛି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ୧୧ଟି କାରଖାନାରୁ ଦୈନିକ ୧୪,୪୧୫ ମେଟ୍ରିକ୍ ଟନ୍ ପାଉଁଶ (ଫ୍ଲାଏଆସ୍), ଚାରକୋଲ, ଡୋଲାଚାର ଆଦି ବର୍ଜବ୍ୟସ୍ତୁ ବାହାରୁଛି। ୩ଟି ବଡ଼ କାରଖାନାରୁ କେବଳ ଦୈନିକ ସାଢ଼େ ୧୨ ହଜାର ମେଟ୍ରିକ୍ ଟନ୍ ପାଉଁଶ ବାହାରିଥାଏ। ବର୍ଷରଯେଉଁ ସମୟରେ ରାଇସ୍ ମିଲ୍ ଚାଲେ, ୪୪ଟି ମିଲ୍ରୁ ଦୈନିକ ୨୬.୪ ମେଟ୍ରିକ ଟନ୍ ପାଉଁଶ ବାହାରେ। କାରଖାନାରୁ ଯେତିକି ପାଉଁଶ (ଫ୍ଲାଏଆସ୍) ବାହାରିଥାଏ, ତାହାର ୨ ଗୁଣ କୋଇଲା ଜଳିଥାଏ।

