Breaking News

ସରକାରୀ ଚାକିରି ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ: ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ୫ ବିଭାଗରେ ଆଜି ୮୧୨ଜଣ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଓ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ....

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫ ବିଭାଗରେ ଆଜି ୮୧୨ଜଣ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଓ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଶକ୍ତି ବିଭାଗରେ ୪୮ଜଣ ମ୍ୟାନେଜମେଣ୍ଟ ଟ୍ରେନି, ଜଳ ସମ୍ପଦ ବିଭାଗରେ ୧୨ଜଣ କନିଷ୍ଠ ସହାୟକ ଓ ୧୪ ଜଣ ଅମିନ, ଇସ୍ପାତ ଓ ଖଣି ବିଭାଗରେ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ ଓ ୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କୃଷି ଶିକ୍ଷା ସଦନରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ଚାକିରି ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ। ଜନସାଧାରଣଙ୍କର ସେବକ ଭାବେ ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ଓ ସେମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ନୂଆ ସରକାର ଦାୟିତ୍ୱ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବି ଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି। ପ୍ରଥମ ଦୁଇ ବର୍ଷରେ ସରକାର ୬୫ ହଜାର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତିବଦ୍ଧ। କେବଳ ସରକାରୀ କ୍ଷେତ୍ରରେ ୫ବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୮ଟି ନିଯୁକ୍ତି ମେଳା ଜରିଆରେ ୨୫ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି।

୫ ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଯୋଗ ଓ ଆୟୁର୍ବେଦର ପ୍ରସାର ପାଇଁ ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାଦ୍ୱାରା ଓଡ଼ିଶାରେ ପ୍ରାକୃତିକ ଚିକିତ୍ସା ଓ ଯୋଗର ପ୍ରସାର ହେବ। ଜାତୀୟ ଆୟୁଷ ମିସନ ଦ୍ୱାରା ୫୦ ଶଯ୍ୟା ବିଶିଷ୍ଟ ୩ଟି ସମନ୍ବିତ ଆୟୁଷ ଚିକତ୍ସାଳୟ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରଠାରେ ଖୁବ୍‌ଶୀଘ୍ର ସ୍ଥାପନ କରାଯିବ। କେନ୍ଦ୍ର ସରକାର ଓଡ଼ିଶାରେ ଏକ ଜାତୀୟ ଫାର୍ମାସ୍ୟୁଟିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓ ସର୍ବଭାରତୀୟ ଶ୍ରବଣ ଓ ବାକ୍‌ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ କରିବାରେ ସହାୟକ ହେବ।

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ରାଜ୍ୟରେ ଆୟୁଷ କ୍ଷେତ୍ର କିଭଳି ଆଗକୁ ଯିବ ତାହାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେଉଛି। ଗାଁ ଗାଁରେ ଆୟୁଷ ଚିକିତ୍ସା ପହଞ୍ଚାଇବା ପାଇଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯିବ। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ, ଲଘୁ ଖଣିଜ ଚୋରାଚାଲାଣ ଧରପଗଡ଼ରେ ଗତବର୍ଷ ୧୦କୋଟିର ଜରିମାନା ଆଦାୟ ହୋଇଥିଲା। ଏବର୍ଷ ଜରିମାନା ଆଦାୟ ସଂଖ୍ୟା ୪୦କୋଟି ଟପିଛି। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ କୃଷି ସଚିବ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଓ ସ୍ବାସ୍ଥ୍ୟ ସଚିବ ଆଶ୍ୱତୀ ଏସ୍‌ ଧନ୍ୟବାଦ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.