
ନୂଆଦିଲ୍ଲୀ: ସାଧାରଣତଃ ଏଟିଏମରୁ ଛୋଟ ନୋଟ୍ ବାହାରେ ନାହିଁ । ଅର୍ଥାତ ଏଟିଏମରୁ ୧୦, ୨୦ କିମ୍ବା ୫୦ ଟଙ୍କିଆ ନୋଟ୍ ମିଳିପାରେ ନାହିଁ । ଏଥିରୁ ୧୦୦, ୨୦୦, ୫୦୦ ଟଙ୍କିଆ ନୋଟ୍ ମିଳିପାରେ । ଯଦି ଛୋଟ ନୋଟ୍ ଏଟିଏମରୁ ମିଳିପାରନ୍ତା, ତେବେ ଚେଞ୍ଜ୍ (ଭଙ୍ଗେଇବା) କରିବାର ଅସୁବିଧା ରୁହନ୍ତାନି । କିଛି କିଣାକିଣି କଲା ବେଳେ, ଯଦି ଜଣେ ବ୍ୟକ୍ତି ଦୋକାନୀଙ୍କୁ ୫୦୦ ଟଙ୍କିଆ ନୋଟ ଦିଅନ୍ତି, ତେବେ ଚେଞ୍ଜ ପାଇଁ ଅସୁବିଧା ହୁଏ । ଏହା ସାଧାରଣ କଥା । ଥରେ ଚିନ୍ତା କଲେ, ଯଦି ଏଟିଏମରୁ ହିଁ ଆମକୁ ୧୦ରୁ ୫୦ ଟଙ୍କିଆ ନୋଟ ମିଳିଯାଆନ୍ତା, ତେବେ ସମସ୍ୟାର ସମାଧାନ ହୋଇଯାଆନ୍ତା । ତେବେ ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତା କରିଛନ୍ତି ।
ବଜାରରେ ଛୋଟ ନୋଟ୍ ଅଭାବ ଅଛି କି ? ₹10, ₹20 ଏବଂ ₹50 ନୋଟ୍ ଉପଲବ୍ଧ ନାହିଁ କି ? ବଜାରରୁ ଛୋଟ ନୋଟ୍ ଗାଏବ ହୋଇଗଲାଣି କି ? ଗତ କିଛି ଦିନ ଧରି ଜାରି ରହିଥିବା ଏଭଳି ଚର୍ଚ୍ଚାରେ ବିରାମ ଟାଣିଛନ୍ତି ସରକାର । କେନ୍ଦ୍ର ସରକାର ମଙ୍ଗଳବାର ସଂସଦକୁ ସୂଚନା ଦେଇଛନ୍ତି ଯେ, ଛୋଟ ନୋଟର ଅଭାବ ନାହିଁ। ଏକ ପ୍ରଶ୍ନର ଉତ୍ତରରେ, କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପରିସ୍ଥିତି ସ୍ପଷ୍ଟ କରିଛନ୍ତି।
ସ୍ୱତନ୍ତ୍ର ଏଟିଏମରୁ ମିଳିବ ଛୋଟ ନୋଟ୍ !
ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, RBI ଅନୁଯାୟୀ ଛୋଟ ମୂଲ୍ୟର ନୋଟ୍ ବର୍ତ୍ତମାନ ପ୍ରଚଳିତ ATMରୁ ମିଳିପାରେ ନାହିଁ । କିନ୍ତୁ ଏଭଳି ଏଟିଏମକୁ ନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଅର୍ଥାତ୍ ଏକ ବିଶେଷ ପ୍ରକାରର ଏଟିଏମ୍ ଦ୍ବାରା ୧୦,୨୦ ଏବଂ ୫୦ ଟଙ୍କିଆ ନୋଟ୍ ବାହାର କରିବା ଲାଗି ପ୍ରୟାସ ଚାଲିଛି ।
ଛୋଟ ନୋଟର ସମ୍ପୂର୍ଣ୍ଣ ହିସାବ
ସରକାରଙ୍କ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ (ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ) କେନ୍ଦ୍ରୀୟ ବ୍ୟାଙ୍କ ୧୦ ଟଙ୍କିଆ ୪୩୯.୪୦ କୋଟି ନୋଟ୍, ୨୦ ଟଙ୍କିଆ ୧୯୩.୭୦ କୋଟି ନୋଟ୍ ଏବଂ ୧୩୦.୩୦ କୋଟି ୫୦ ଟଙ୍କିଆ ନୋଟ୍ ଯୋଗାଇଛି। ପୂର୍ବ ଆର୍ଥିକ ବର୍ଷ (ଆର୍ଥିକ ବର୍ଷ ୨୫)ରେ ୧୦ ଟଙ୍କିଆ ୧୮୦ କୋଟି ନୋଟ୍, ୧୫୦ କୋଟି ୨୦ ଟଙ୍କିଆ ନୋଟ୍ ଏବଂ ୩୦୦ କୋଟି ୫୦ ଟଙ୍କିଆ କୋଟି ନୋଟ୍ ବଜାରକୁ ଆସିଥିଲା ।
ଡିଜିଟାଲ୍ ପେମେଣ୍ଟର ଚାହିଦା ବଢ଼ୁଛି
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିୟମିତ ଭାବରେ ବିଭିନ୍ନ ମୂଲ୍ୟର ନୋଟର ଚାହିଦା ସମୀକ୍ଷା କରେ ଏବଂ କେତେ ନୋଟ୍ ମୁଦ୍ରଣ କରାଯିବା ଉଚିତ ତାହା ସୁପାରିଶ କରେ। ସରକାରଙ୍କ ଅନୁଯାୟୀ, କ୍ଷୁଦ୍ର ମୂଲ୍ୟର ନଗଦର ଚାହିଦା ନୋଟ୍ ଏବଂ ମୁଦ୍ରାର ମିଶ୍ରଣ ମାଧ୍ୟମରେ ପୂରଣ କରାଯାଏ। ସେହିଭଳି, ଡିଜିଟାଲ୍ ପେମେଣ୍ଟ ବର୍ତ୍ତମାନ କାରବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯେଉଁଥିରେ କମ୍ ମୂଲ୍ୟର ପେମେଣ୍ଟ ମଧ୍ୟ ଅନ୍ତର୍ଭୁକ୍ତ।
ସୌଜନ୍ୟ Prameya News7




