ଅପରାଧ

ବାଂଲାଦେଶ ଉଷ୍ମାନ ହାଦୀ ହତ୍ୟାକାରୀ ପଶ୍ଚିମବଙ୍ଗର ବନଗାଓଁରୁ ଗିରଫ, ମେଘାଳୟ ସୀମା ଦେଇ ଆସିଥିଲେ ଭାରତ

ବାଂଲାଦେଶରେ ଛାତ୍ର ନେତା ଉଷ୍ମାନ ହାଦୀଙ୍କ ହତ୍ୟାକାରୀଙ୍କୁ ଭାରତରୁ ଗିରଫ କରାଯାଇଛି। ଏସଟିଏଫର ତଲାସୀ ଅଭିଯାନ କାଳରେ ରାହୁଲ ଓରଫ ଫୈସଲ କରୀମ ମସୂଦ (୩୭) ଓ ଆଲମଗିର ହୁସୈନ (୩୭)କୁ ଗିରଫ ହୋଇଛନ୍ତି।

କୋଲକାତା ୮।୩: ବାଂଲାଦେଶରେ ଛାତ୍ର ନେତା ଉଷ୍ମାନ ହାଦୀଙ୍କ ହତ୍ୟାକାରୀଙ୍କୁ ଭାରତରୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଉତ୍ତର ୨୪ ପ୍ରଗଣା ଜିଲ୍ଲା ବନଗାଓଁ ଅଞ୍ଚଳରୁ ଦୁଇ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ପୋଲିସ ଅନୁସାରେ ଦୁଇ ଅଭିଯୁକ୍ତ ବେଆଇନ ଭାବେ ଭାରତକୁ ଅନୁପ୍ରବେଶ କରି ସୀମା କ୍ଷେତ୍ରରେ ଲୁଚିଥିଲେ। ଏସଟିଏଫକୁ ସେମାନଙ୍କ ଭାରତ ଅନୁପ୍ରବେଶ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ୭ ଓ ୮ ମାର୍ଚ୍ଚ ରାତିରେ ଚଢଉ କରି ସେମାନଙ୍କୁ ଗିରଫ କରାଯାଇଛି।

ଏସଟିଏଫର ତଲାସୀ ଅଭିଯାନ କାଳରେ ରାହୁଲ ଓରଫ ଫୈସଲ କରୀମ ମସୂଦ (୩୭) ଓ ଆଲମଗିର ହୁସୈନ (୩୭)କୁ ଗିରଫ ହୋଇଛନ୍ତି। ଏଥିରେ ଫୈସଲ ପଟୁଆଖାଲି ବାଂଲାଦେଶର ବାସିନ୍ଦା ହୋଇଥିବା ବେଳେ ଆଲମଗିର ରାଜଧାନୀ ଢାକାର ବାସିନ୍ଦା ବୋଲି ଜଣାପଡିଛି। ବାଂଲାଦେଶରେ ହତ୍ୟା ଓ ଚାନ୍ଦା ଆଦାୟ ଅଭିଯୋଗରେ ଫେରାର ୨ ବାଂଲାଦେଶ ନାଗରିକ ଭାରତ ସୀମାବର୍ତ୍ତି ଅଞ୍ଚଳରେ ଆତ୍ମଗୋପନ କରିଥିବାର ସୂଚନା ମିଳିଥିଲା। ପ୍ରାରମ୍ଭିକ ପଚରା ଉଚରାରେ ଅଭିଯୁକ୍ତମାନେ ବାଂଲାଦେଶରେ ଏକ ରାଜନୈତିକ ହତ୍ୟା (ଉଷ୍ମାନ ହାଦୀ ହତ୍ୟାକାଣ୍ଡ)ରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି।

ଏହି ହତ୍ୟାକାଣ୍ଡ ପରେ ଦୁଇ ଅପରାଧୀ ମେଘାଳୟ ସୀମା ରାସ୍ତାରେ ଅବୈଧ ଭାବେ ଭାରତ ଅନୁପ୍ରବେଶ କରିଥିଲେ। ପରେ ସେମାନେ ଅଲଗା ଅଲଗା ସ୍ଥାନରେ ଲୁଚିବା ପରେ ପଶ୍ଚିମବଙ୍ଗର ବନଗାଓଁକୁ ଆସିଥିଲେ। ସେମାନେ ସମୟ ଓ ସୁବିଧା ଦେଖି ପୁଣି ବାଂଲାଦେଶ ଚାଲିଯିବାକୁ ଚାହୁଁଥିଲେ। ତେବେ ସେମାନେ ଖସି ପଳାଇବା ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ହାତରେ ଧରାପଡି ଯାଇଛନ୍ତି। ପୋଲିସ ଅନୁସାରେ ଏ ନେଇ ଏସଟିଏଫ ମୁଖ୍ୟାଳୟ ଥାନାରେ ଏତଲା ରୁଜୁ ହୋଇଛି। ପରେ ସେମାନଙ୍କୁ ରବିବାର କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ପୋଲିସ ହାଜତକୁ ପଠାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶ ନିର୍ବାଚନ ପ୍ରଚାର କାଳରେ ଛାତ୍ରନେତା ଉଷ୍ମାନ ହାଦୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ବାଂଲାଦେଶରେ ଉତ୍ତେଜନା ଦେଖା ଯାଇଥିବା ବେଳେ ବ୍ୟାପକ ଜନ ଆନ୍ଦୋଳନ ହୋଇଥିଲା। ତେବେ ହତ୍ୟାକାରୀ ଖସି ଭାରତ ପଳାଇଥିବା ଢାକା ଅଭିଯୋଗ କରିଥିଲେ ମଧ୍ୟ ଭାରତରେ ସେତେବେଳେ ସେମାନଙ୍କ ସନ୍ଧାନ ନିଆଯାଇ ପାରିନଥିଲା। ତେବେ ଗତକାଲି ବିଳମ୍ବିତ ରାତ୍ରି ଚଢଉ କାଳରେ ଏସଟିଏଫ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button