Breaking News

ଓଡ଼ିଶା ଜିତିଛି ୫ ପଦକ: ସର୍ବଭାରତୀୟ ପୁଲିସ ହକିରେ ଓଡ଼ିଶା ‘ଆଶା’

ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଅନୁଷ୍ଠିତ ହେବ ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା। ଏହା ପୂର୍ବରୁ ଓଡ଼ିଶାର ଦୁଇଟି ‘ଆଶା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ ଆଶା ହେଉଛି ଘରୋଇ ମାଟିରେ ଓଡ଼ିଶା ଦଳର ଉନ୍ନତ ପ୍ରଦର୍ଶନର ଆଶା।

ଭୁବନେଶ୍ବର: ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଅନୁଷ୍ଠିତ ହେବ ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା। ଏହା ପୂର୍ବରୁ ଓଡ଼ିଶାର ଦୁଇଟି ‘ଆଶା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ ଆଶା ହେଉଛି ଘରୋଇ ମାଟିରେ ଓଡ଼ିଶା ଦଳର ଉନ୍ନତ ପ୍ରଦର୍ଶନର ଆଶା। ଦ୍ବିତୀୟଟି ହେଉଛି ଗଜ ଶାବକ ‘ଆଶା’ର ସଂଘର୍ଷମୟ କାହାଣୀ, ଯାହାକୁ ଏହି ସର୍ବଭାରତୀୟ ପ୍ରତିଯୋଗିତାର ମାସ୍କଟ୍ କରାଯାଇଛି। କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ହାତୀ ଛୁଆଟିକୁ ରାଜ୍ୟ ଜଙ୍ଗଲ କର୍ମଚାରୀମାନେ ଉଦ୍ଧାର କରିବା ପରେ ନନ୍ଦନକାନନକୁ ହସ୍ତାନ୍ତର କରିଥିଲେ। ଏହି ହାତୀ ଶାବକ ଏବେ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଜୀବନ ଜିଉଁଛି। ଏହାର ନାମ ‘ଆଶା’ ରଖାଯାଇଥିବାରୁ ମାସ୍କଟ୍‌କୁ ତା ପ୍ରତି ସମର୍ପିତ କରାଯାଇଛି। ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ‘ଆଶା’ ପ୍ରତିନିଧିତ୍ୱ କରୁଛି।

ସୋମବାର ପୋଲିସ ଭବନରେ ଅନୁଷ୍ଠିତ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତାର ପ୍ରାକ୍‌ ‌ପ୍ରସ୍ତୁତି ଉତ୍ସବରେ ଓଡ଼ିଶାର ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମାସ୍କଟ୍ ‘ଆଶା’ର ଉନ୍ମୋଚନ କରିବା ଅବସରରେ ଏଭଳି ଯୁଗଳ ଆଶା ସଂଚାର ହୋଇଛି। ଓଡ଼ିଶା ପୋଲିସ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାକୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଶ୍ରୀ ଖୁରାନିଆ ଖୁସି ବ୍ୟକ୍ତ କରିବା ସହ ସର୍ବଭାରତୀୟ ପୁଲିସ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡକୁ କୃତଜ୍ଞତା ଜଣାଇଥିଲେ। ସୋମବାରଠାରୁ ଏହି ପ୍ରତିଯୋଗିତା କଳିଙ୍ଗ ହକି କଂପ୍ଲେକ୍ସରେ ସପ୍ତାହେବ୍ୟାପୀ ଚାଲିବ।

ଏହି ବୃତ୍ତିଗତ ପ୍ରତିଯୋଗିତାରେ ୨୬ ପୁରୁଷ ଦଳ, ୯ ମହିଳା ଦଳ ଅଂଶଗ୍ରହଣ କରିବେ ଏବଂ ୬ ଦିନ ଭିତରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବେ। ସିଆଇଏସ୍‌ଏଫ୍‌, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ରାଜେଶ କୁମାର, ଆୟୋଜନ କମିଟି ସମ୍ପାଦକ ତଥା ଆଇଜି (ତାଲିମ) ଅନୁପ କୁମାର ସାହୁ, ସବୁ ଦଳର ଅଧିନାୟକ ଓ ପ୍ରବନ୍ଧକ, ପ୍ରଶିକ୍ଷକ ପ୍ରମୁଖ ଫଟୋ ସେସନ୍‌ରେ ସାମିଲ ହୋଇଥିଲେ।

ଓଡ଼ିଶା ପୁରୁଷ ଦଳ
ସୁଶାନ୍ତ ସିଂହ, ଆକାଶ ଏକ୍କା, ଉପେନ୍ଦ୍ର ମାଝୀ, ସୁମନ ମିଞ୍ଜ୍‌, ଫ୍ରାନ୍‌ସିସ୍‌ କୁଲୁ, ବୀରେନ୍ଦ୍ର ଲାକ୍ରା (ଅଧିନାୟକ), ବିଜୟ ଲାକ୍ରା (ଉପଅଧିନାୟକ), ରୋଶନ ବାହାଲା, ସିମନ ବାର୍ଲା, ଜେନେରିୟସ୍‌ ତିର୍କି, ଅଶୋକ ଲାକ୍ରା, ଅରୁଣ ମହାନ୍ତ, ଅନିଲ କୁଲୁ, ଆଶିଷ ଖାଲକୋ, ବିକାଶ ବାର୍ଲା, ହରିଭଜନ ବାର୍ଲା, ସରୋଜ ଖେସ୍‌, ଉମେଶ କିଶନ। ପ୍ରଶିକ୍ଷକ: ବର୍ଣ୍ଣାଡ଼ ଲାକ୍ରା, ପ୍ରବନ୍ଧକ: ସଂଜୀବ କୁମାର ଲାକ୍ରା।

ଓଡ଼ିଶା ଜିତିଛି ୫ ପଦକ

ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାର ୭୩ତମ ସଂସ୍କରଣ ଭୁବନେଶ୍ବରରେ ଦ୍ବିତୀୟ ଥର ହେଉଛି। ପ୍ରଥମ ଓ ଶେଷ ଥର ପାଇଁ ୨୦୧୯ରେ ଓଡ଼ିଶାରେ ଏହା ଖେଳାଯାଇଥିବା ବେଳେ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଥିଲା। ଏହା ପରେ ଓଡ଼ିଶା ପୁରୁଷ ଦଳ ୨୦୨୧-୨୨ରେ ବେଙ୍ଗାଲୁରୁଠାରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। କିନ୍ତୁ ଏହା ପରଠାରୁ ଦଳ ପଦକ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଏଥର ଦଳ ଉନ୍ନତ ପଦକ ଆଶା ରଖିଛି ବୋଲି କହିଛନ୍ତି, ଅଧିନାୟକ ତଥା ଟୋକିଓ ଅଲିମ୍ପିକ୍ କାଂସ୍ୟ ବିଜେତା ବୀରେନ୍ଦ୍ର ଲାକ୍ରା। ମହିଳା ଦଳ କିନ୍ତୁ ପଦାର୍ପଣ ପରଠାରୁ କ୍ରମାଗତ ଚତୁର୍ଥ ପଦକ ଜିତିବା ଆଶାରେ ରହିଛି। ସେହି ବେଙ୍ଗାଲୁରୁ ସଂସ୍କରଣରେ ପଦାର୍ପଣ କରିଥିବା ଓଡ଼ିଶା ମହିଳା ଦଳ ହ୍ୟାଟ୍ରିକ୍ କାଂସ୍ୟ ପଦକ ଜିତିଛି। ଏଥର ଦଳ ମଧ୍ୟ ପଦକ ରଙ୍ଗ ବଦଳାଇବା ଆଶାରେ ରହିଛି ବୋଲି କହିଛନ୍ତି, ଅଧିନାୟିକା ରେଶ୍ମା ଲାକ୍ରା। ୭ ଦଶନ୍ଧିରୁ ଊର୍ଧ୍ବ ଇତିହାସ ରଖିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ‌ମୋଟ ୫ ପଦକ ଜିତିବା ତା’ପୁଣି କାଂସ୍ୟରେ ସୀମିତ ରହିଛି।

ଓଡ଼ିଶା ମହିଳା ଦଳ
ଆରତି ରେଶ୍ମା ଟୋପ୍ପୋ, ପ୍ରିୟଙ୍କା ଏକ୍କା, ରୀମା ତିର୍କି, ଏଲିମା ମିଞ୍ଜ୍‌, ତର୍ସିଲା ବେକ୍‌, ଭାରତୀ ଏକ୍କା, ରେଶ୍ମା ଲାକ୍ରା (ଅଧିନାୟିକା), ସଂଗୀତା ଖାଖା, ପ୍ରମିତା ଟୋପ୍ପୋ, ଅସିମ କାଞ୍ଚନ ବାର୍ଲା, ସ୍ବପ୍ନା ହେମ୍ବ୍ରମ, ରାଜକୁମାରୀ ଏକ୍କା, ସରିତା କେରକେଟା, ବେର୍ଥା ଲାକ୍ରା, କୁସୁମକାନ୍ତି ବାର୍ଲା, ଅମ୍ବିକା ଟୋପ୍ପୋ, ଗାୟତ୍ରୀ କିଶାନ, ଅସିମା ମିଞ୍ଜ୍। ପ୍ରଶିକ୍ଷକ: ଲିଲିମା ମିଞ୍ଜ୍‌, ପ୍ରବନ୍ଧକ: ଅଞ୍ଜିଲା ବେକ୍‌।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.