
ରାୟଗଡା: ସବୁ ରଣନୀତି ବିଫଳ ହେଲା। ପଦ ହରାଇଲେ ରାୟଗଡ଼ା ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା। ଏହାକୁ ନେଇ ବିଜେଡି ଶିବିରରେ ନିରାଶା ଛାଇ ଯାଇଥିବାବେଳେ ବିରୋଧୀ ଗୋଷ୍ଠୀ ଆଜି ବିଜୟ ଉତ୍ସବ ପାଳନ କରିଛନ୍ତି। ଜିଲ୍ଲା ସଭାପତି ଚୟନ ପରେ ରାୟଗଡ଼ା ଜିଲ୍ଲା ବିଜେଡିରେ ରହିଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେଇଥିଲା। ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା ଦଳ ଛାଡ଼ିଥିଲେ। ସେହିପରି ଅନେକ ବ୍ଲକ୍ ଅଧ୍ୟକ୍ଷ ଏବଂ ରାୟଗଡ଼ା ପୌରପାଳିକାର ୧୯ଜଣ କାଉନସିଲର ଦଳ ଛାଡ଼ିଥିଲେ। ଏହାପରେ ଦଳ ଛାଡ଼ିଥିବା ନେତା ଶକ୍ତି ପ୍ରଦର୍ଶନ କରି ରାୟଗଡ଼ା ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ତେବେ ପୌର ଉପାଧ୍ୟକ୍ଷାଙ୍କ ଚୌକିର ସୁରକ୍ଷା ପାଇଁ ବିଜେଡି ପୂରା ଜୋର୍ ଲଗାଇଥିଲା।
/filters:format(webp)/sambad/media/media_files/2026/03/12/sfsfxcdd-2026-03-12-02-54-03.jpg)
ବିଜେଡି ପକ୍ଷରୁ ଦଳୀୟ କାଉନସିଲରଙ୍କୁ ଚେତାବନୀ ସହ ହ୍ବିପ୍ ଜାରି ହୋଇଥିଲା। ୨୦୨୫ ଅକ୍ଟୋବର ୯ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲା। ତେବେ ଭୋଟ ଗଣତି ପୂର୍ବରୁ ହାଇକୋର୍ଟ ରୋକ ଲଗାଇଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରଶାସନକୁ ଭୋଟ ଗଣତି କରି ଫଳାଫଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତବର୍ଷ ଫେବ୍ରୁଆରି ୨୩ରେ କୋର୍ଟ ସ୍ଥଗିତାଦେଶ ହଟାଇବା ସହ ଫଳ ଘୋଷଣା କରିବାକୁ ରାୟ ଦେଇଥିଲେ। ଉକ୍ତ ରାୟ ଆଧାରରେ ଆଜି ରାୟଗଡ଼ା ପୌର କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା ହୋଇଛି। ପୌରପରିଷଦର ମୋଟ ୨୪ କାଉନସିଲରଙ୍କ ମଧ୍ୟରୁ ୨୧ଜଣ ଭୋଟ ଦେଇଥିଲା ବେଳେ ୧୯ଜଣ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ଜଣାପଡ଼ିଛି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶୁଭ୍ରା ପଣ୍ଡା ପଦ ହରାଇବା ପରେ ୧୯ଜଣ କାଉନସିଲର ବିଜୟ ଉତ୍ସବ ପାଳନ କରିଥିଲେ। ଆଜି ଧର୍ମର ଜୟ ହୋଇଛି ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ସ୍ବାଭିମାନ ମଞ୍ଚ ଆବାହକ ଏନ୍. ଭାସ୍କର ରାଓ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୌଜନ୍ୟ ସମ୍ବାଦ




