ଜିଲ୍ଲା

Ambulance hits divider: ଡିଭାଇଡର୍‌କୁ ଧକ୍କା ଦେଲା ଆମ୍ବୁଲାନ୍‌ସ: ଲିଭିଗଲା ୩ ଜୀବନ

ଆଲୋକର ପର୍ବ ଦୀପାବଳି ପାଳନକୁ ଫିକା କରିଦେଲା ଖୋରଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଅଧୀନ ଶାଳଭଙ୍ଗା ଜଙ୍ଗଲରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା।

ଦଶପଲ୍ଲା/ଦେଓଗାଁ: ଆଲୋକର ପର୍ବ ଦୀପାବଳି ପାଳନକୁ ଫିକା କରିଦେଲା ଖୋରଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣିଗୋଛା ଥାନା ଅଧୀନ ଶାଳଭଙ୍ଗା ଜଙ୍ଗଲରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା। ଶବ ନେଇ ଯାଉଥିବା ଏକ ଆମ୍ବୁଲାନ୍‌ସ ଡିଭାଇଡର୍‌କୁ ଧକ୍କା ଦେବାରୁ ୩ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଧୀନ ମୁରସିଙ୍ଗ ଗ୍ରାମର ଚିନୁ ବାଗଙ୍କ ପୁଅ ପ୍ରତାପ ବାଗ୍(୬୫), ପ୍ରତାପ ବାଗଙ୍କ ପୁଅ ତୀର୍ଥରାଜ ବାଗ୍ (୪୬) ଓ ଆମ୍ବୁଲାନ୍‌ସ ଡ୍ରାଇଭର୍‌ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଚକ୍ରଧରପ୍ରସାଦ ଗ୍ରାମର ଅର୍ଜୁନ ନାୟକଙ୍କ ପୁଅ ଛବୀନ୍ଦ୍ର ନାୟକ (୨୯)। ଗୁରୁତର ଜଣଙ୍କ ମୁରସିଙ୍ଗ ଗ୍ରାମର ଈଶ୍ବର ସାହୁଙ୍କ ପୁଅ ନେତ୍ରଭାନୁ ସାହୁ ଓରଫ ରାଜୁ(୪୩)।

ସୂଚନା ଅନୁଯାୟୀ ୫ ତାରିଖ ଦିନ ନେତ୍ରଭାନୁ ବାପା ଈଶ୍ବର ସାହୁ (୬୫)ଙ୍କୁ ଏବଂ ତୀର୍ଥରାଜ ବାପା ପ୍ରତାପଙ୍କୁ ଚିକିତ୍ସା କରାଇବା ନିମନ୍ତେ ଭୁବନେଶ୍ବର ଆସିଥିଲେ। ଦୁଇଦିନ ରହି ଭୁବନେଶ୍ବର ଏମ୍‌ସରେ ଚିକିତ୍ସା କରିବା ପରେ ୮ ତାରିଖ ପୂର୍ବାହ୍ଣରେ ଟ୍ରେନ୍‌ ଯୋଗେ ଗାଁକୁ ଫେରିବାକୁ ବାହାରିଥିଲେ। ସମସ୍ତେ ଭୁବନେଶ୍ବର ଷ୍ଟେସନ୍‌ ଆସି ଟ୍ରେନ୍‌ରେ ବସିଥିଲେ। ଏହି ସମୟରେ ଈଶ୍ବର ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତେ ଟ୍ରେନ୍‌ରୁ ଓହ୍ଲାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗାଁକୁ ଶବ ନେଇ ଯିବାକୁ ଏକ ଆମ୍ବୁଲାନ୍‌ସ ଠିକ୍ କରିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଘର ଲୋକଙ୍କ ସହ ଯୋଗାଯୋଗ ଠିକ୍‌ ଥିଲା। ହେଲେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଖବରପାଇଥିଲେ ଯେ ଆସୁଥିବା ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୀପାବଳି ଉତ୍ସବ ବନ୍ଦ ହୋଇ ଯାଇଛି। ଆଜି ପରିବାର ଲୋକ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୧ଟା ସମୟରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button