ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲାପାଳ, ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇ…

ବଞ୍ଚୋ,୧୩ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ନୂତନ ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବଲୋକନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସାଇଟ ଭିଜିଟ କରାଯାଇଥିଲା। ଏହି ଅବସରରେ କେନ୍ଦୁଝର ଜିଲାପାଳ ଓ କେଭି ଆନନ୍ଦପୁରର ଅଧ୍ୟକ୍ଷ ବିଶାଳ ସିଂହଙ୍କ ନେତୃତ୍ୱରେ ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରି କାର୍ଯ୍ୟର ପ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ସାଇଟ ଭିଜିଟ ସମୟରେ ଉପ-ଜିଲାପାଳ ଆନନ୍ଦପୁର ଓ କେଭି ଆନନ୍ଦପୁରର ନମିନୀ ଅଧ୍ୟକ୍ଷ ନୀଳମାଧବ ସୁନା, ତହସିଲଦାର ଆନନ୍ଦପୁର ଡା. ପଲ୍ଲବୀ ପ୍ରିୟଦର୍ଶିନୀ, କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବେଶ୍ୱର ସାହୁ, ଆର୍ ଆଣ୍ଡ୍ ଡିଏମ୍ ବିଭାଗର ଅଧିକାରୀମାନେ ଓ ସିପିଡବ୍ଲ୍ୟୁଡିର ଜୁନିଅର ଇଞ୍ଜିନିୟର ଉପସ୍ଥିତ ଥିଲେ।
ଏହି ଅବସରରେ ସିପିଡବ୍ଲ୍ୟୁଡି ଜୁନିଅର ଇଞ୍ଜିନିୟର ନୂତନ ଭବନ ନିର୍ମାଣ କାର୍ଯ୍ୟର ବର୍ତ୍ତମାନ ଅବସ୍ଥା ଓ ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାସହ ବିଦ୍ୟାଳୟ ଭବନ ନିର୍ମାଣ, ବିଦ୍ୟୁତ ସଂଯୋଗ ଓ ସଂଯୋଗ ସଡ଼କ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ବିଷୟରେ ଆଲୋଚନା ହୋଇଥିଲା।
ଜିଲାପାଳ ବିଶାଳ ସିଂହ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଅବଲୋକନ କରି ସମ୍ପୃକ୍ତ ସମସ୍ତ ବିଭାଗକୁ କାମକୁ ତ୍ୱରାନ୍ବିତ କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରକଳ୍ପକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଭବନ ନିର୍ମାଣ ସମାପ୍ତ ହେଲେ ଛାତ୍ରୀଛାତ୍ର ଉନ୍ନତ ଶିକ୍ଷା ପରିବେଶ ଓ ସୁବିଧା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
|
ସୌଜନ୍ୟ ଧରିତ୍ରୀ




