Monthly menstrual leave: ମାସିକ ଋତୁସ୍ରାବ ଛୁଟି ଦେଲେ ମହିଳାଙ୍କୁ କେହି ଚାକିରି ଦେବେନି; ଏଭଳି କହି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ସାରା ଦେଶରେ ମାସିକ ଋତୁସ୍ରାବ ଜନିତ ଛୁଟି ନିୟମ ଆଣିବା ପାଇଁ ହୋଇଥିବା ଆବେଦନକୁ ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମାସିକ ଋତୁସ୍ରାବ ଛୁଟି ଦେଲେ ମହିଳାଙ୍କୁ କେହି ଚାକିରି ଦେବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନୂଆଦିଲ୍ଲୀ: ସାରା ଦେଶରେ ମାସିକ ଋତୁସ୍ରାବ ଜନିତ ଛୁଟି ନିୟମ ଆଣିବା ପାଇଁ ହୋଇଥିବା ଆବେଦନକୁ ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରି କହିଥିଲେ ଯେ, ଆଇନଗତ ଭାବରେ ଏପରି ଛୁଟିକୁ ବାଧ୍ୟତାମୂଳକ କରିବା ଦ୍ୱାରା ନିଯୁକ୍ତିଦାତାମାନେ ମହିଳାଙ୍କୁ ନିଯୁକ୍ତି ଦେବାରୁ ନିବୃତ ହେବେ ଏବଂ ଏହାଦ୍ବାରା ଅଜାଣତରେ ଲିଙ୍ଗଗତ ଧାରଣା ଆହୁରି ଦୃଢ଼ ହେବ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ବାରା ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ବିଚାର କରି ଏହା କହିଛନ୍ତି।
ଏପରି ଆବେଦନ ମହିଳାଙ୍କୁ ଛୋଟ ଦେଖାଇବାକୁ କରାଯାଇଥାଏ
ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ଯେ, ଏପରି ଆବେଦନ ଭୟ ସୃଷ୍ଟି କରିବା ଓ ମହିଳାଙ୍କୁ ଛୋଟ ଦେଖାଇବାକୁ କରାଯାଇଥାଏ। ଏହାକୁ ଆଇନରେ ବାଧ୍ୟତାମୂଳକ କରିଦିଆଯିବ ମହିଳାଙ୍କୁ କେହି ଚାକିରି ଦେବେ ନାହିଁ। ସେମାନଙ୍କୁ ନ୍ୟାୟିକ କିମ୍ବା ସରକାରୀ ଚାକିରିରେ କେହି ନେବେ ନାହିଁ। ମହିଳାଙ୍କ କ୍ୟାରିୟର ଶେଷ ହୋଇଯିବ। ଋତୁସ୍ରାବ ଜନିତ ଛୁଟି ଏକ ସକାରାତ୍ମକ ଅଧିକାର କିନ୍ତୁ, ଏହାକୁ ଆଇନରେ ପରିଣତ କରିବା ଭିନ୍ନ କଥା ହେବ। ବରିଷ୍ଠ ଓକିଲ ଏମ୍ ଆର୍ ସାମସାଦ ଆବେଦନକାରୀଙ୍କ ପକ୍ଷରୁ କେରଳ ସ୍କୁଲ ଓ ଘରୋଇ କମ୍ପାନିରେ ଦିଆଯାଉଥିବା ଛୁଟି ସମ୍ପର୍କରେ ଉଦାହରଣ ଦେଇଥଲେ। ତେବେ ଖଣ୍ଡପୀଠ ଏହି ଉଦାହରଣ ପ୍ରଶଂସା କରିଥିଲେ, କିନ୍ତୁ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନଥିଲେ। ସୂଚନାଯୋଗ୍ୟ, ତ୍ରିପାଠୀ ଏହି ଆଇନ ଉପରେ ତିନିଥର ଆବେଦନ କରିସାରିଲେଣି।
ସୌଜନ୍ୟ ସମ୍ବାଦ




