Sensex Falls: ୧୮୩୭ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ କ୍ଷତି ୧୪ ଲକ୍ଷ କୋଟି
ଭାରତର ସେୟାର ବଜାରକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରବଳ ମାତ୍ରାରେ କ୍ଷତି ପହଞ୍ଚାଇଛି। ଆଜି ସେନସେକ୍ସ ଓ ନିଫ୍ଟିରେ ୨ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ସେନସେକ୍ସ ୨.୪୬ ପ୍ରତିଶତ ବା ୧୮୩୬.୫୭ ପଏଣ୍ଟ ହ୍ରାସ ପାଇ ୭୨୬୯୬.୩୯ ପଏଣ୍ଟରେ ବନ୍ଦ ହୋଇଛି।

ମୁମ୍ବାଇ: ଭାରତର ସେୟାର ବଜାରକୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରବଳ ମାତ୍ରାରେ କ୍ଷତି ପହଞ୍ଚାଇଛି। ଆଜି ସେନସେକ୍ସ ଓ ନିଫ୍ଟିରେ ୨ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ସେନସେକ୍ସ ୨.୪୬ ପ୍ରତିଶତ ବା ୧୮୩୬.୫୭ ପଏଣ୍ଟ ହ୍ରାସ ପାଇ ୭୨୬୯୬.୩୯ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୬୦୧.୮୫ ପଏଣ୍ଟ ହ୍ରାସ ପାଇ ୨୨୫୧୨.୬୫ ପଏଣ୍ଟରେ ବନ୍ଦ ହୋଇଛି। ଏଥିଯୋଗୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକ ବଜାରପୁଞ୍ଜି ଆଜି ଗୋଟିଏ ଦିନରେ ୪୨୯ ଲକ୍ଷ କୋଟି ଟଙ୍କାରୁ ୪୧୫ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଅର୍ଥାତ୍ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ନିବେଶକମାନଙ୍କର ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଧୋଇଯାଇଛି। ଗତ ଗୁରୁବାର ସେନସେକ୍ସ ୨୪୯୭ ପଏଣ୍ଟ୍ ଓ ନିଫ୍ଟି ୭୭୬ ପଏଣ୍ଟ୍ ଖସିଥିଲା।
ମଧ୍ୟପ୍ରାଚ୍ୟ ଯୁଦ୍ଧ କମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଜଟିଳ ହେବା ଷ୍ଟକ ବଜାରକୁ କ୍ଷତି ପହଞ୍ଚାଇଛି। ଏଥିସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସାଂଘାତିକ ଭାବେ କମୁଛି। ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ସୋମବାର ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୨୬ ପଇସା ହ୍ରାସ ପାଇ ରେକର୍ଡ ୯୩ ଟଙ୍କା ୯୭ ପଇସାରେ ପହଞ୍ଚିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରଠାରୁ ଭାରତୀୟ ଟଙ୍କା ମୂଲ୍ୟ ପାଖାପାଖି ୩ ପ୍ରତିଶତ ଖସିଗଲାଣି। ଟଙ୍କା ଦୁର୍ବଳ ହେବା ଫଳରେ ଭାରତରେ ଦରଦାମ ବଢ଼ିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୦ ଡଲାର ଉପରେ ସଂପ୍ରତି ରହିଛି। ଭାରତୀୟ ଅର୍ଥନୀତି, ବିଶେଷକରି ଚଳନ୍ତି ଖାତା ନିଅଣ୍ଟ ଏବଂ ବିତ୍ତୀୟ ନିଅଣ୍ଟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।
ଭାରତୀୟ ଅର୍ଥନୀତି
ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦ ଡଲାର ବଢ଼ିଲେ ଭାରତର ଜିଡିପି ଅଭିବୃଦ୍ଧି ୦.୩ରୁ ୦.୪ ପ୍ରତିଶତ ହ୍ରାସ ପାଇବା ନେଇ ଆକଳନ କରାଯାଉଛି। ଏସବୁ କାରଣରୁ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ୨୦ ତାରିଖ ସୁଦ୍ଧା ସେମାନେ ଭାରତୀୟ ବଜାରରୁ ୧,୦୩,୯୬୭ କୋଟି ଟଙ୍କା ଉଠାଇ ନେଲେଣି। ଏଥିସହିତ ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ସେୟାର ବଜାର ନିମ୍ନମୁଖୀ ହେଉଛି। ଏସବୁ କାରଣରୁ ଭାରତୀୟ ଷ୍ଟକ୍ ବଜାର ତଳକୁ ଖସୁଛି।
ସୌଜନ୍ୟ ସମ୍ବାଦ




