Naxal: ମାଓନେତା ଶୁକୁରୁର ଆତ୍ମସମର୍ପଣ: ମୁଣ୍ଡ ପାଇଁ ଥିଲା ୫୫ ଲକ୍ଷ ଟଙ୍କା ପୁରସ୍କାର, କନ୍ଧମାଳ ଜଙ୍ଗଲରେ ଏବେ ବି ଅଛନ୍ତି ୧୦ ମାଓବାଦୀ
କେକେବିଏନ୍ ମାଓ ଡିଭିଜନ୍ର ରାଜ୍ୟ କମିଟି ସଦସ୍ୟ ତଥା ଟପ୍ ମାଓନେତା ଶୁକୁରୁ ଆଜି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଶୁକୁରୁ ସହ ଆଉ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା କନ୍ଧମାଳ ଏସ୍ପି ହରୀଶ ବିସି ସୂଚନା ଦେଇଛନ୍ତି।

ଫୁଲବାଣୀ: କେକେବିଏନ୍ ମାଓ ଡିଭିଜନ୍ର ରାଜ୍ୟ କମିଟି ସଦସ୍ୟ ତଥା ଟପ୍ ମାଓନେତା ଶୁକୁରୁ ଆଜି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଶୁକୁରୁ ସହ ଆଉ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା କନ୍ଧମାଳ ଏସ୍ପି ହରୀଶ ବିସି ସୂଚନା ଦେଇଛନ୍ତି। ଆତ୍ମସମର୍ପଣ ପ୍ରକ୍ରିୟା ଜାରି ରହିଛି ଏବଂ ଆସନ୍ତାକାଲି ଏନେଇ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଜଙ୍ଗଲରେ ଶୁକୁରୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ତାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଅଣାଯାଇଥିଲା। ତା’ଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ ହୋଇଛି। ଶୁକୁରୁର ଆତ୍ମସମର୍ପଣ ପରେ ମାଓ ସଂଗଠନ ଦୁର୍ବଳ ହୋଇଯାଇଛି ବୋଲି ପୁଲିସ ଏଡିଜି (ଆଣ୍ଟି ନକ୍ସଲ୍ ଅପରେସନ୍) ସଞ୍ଜୀବ ପଣ୍ଡା କହିଛନ୍ତି। ଶୁକୁରୁର ଘର ମାଲକାନଗିରି ଜିଲ୍ଲା ଖଇରପୁଟରେ। ଶୁକୁରୁର ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ବର୍ତ୍ତମାନ କନ୍ଧମାଳ ଜଙ୍ଗଲରେ ସର୍ବାଧିକ ୧୦ ଜଣ ଭିତରେ ମାଓବାଦୀ ସକ୍ରିୟ ଅଛନ୍ତି। କିନ୍ତୁ ସଂଗଠନ ଏବେ ନେତୃତ୍ବବିହୀନ ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି।
ଆଉ ୪ ଜଣଙ୍କ ଆତ୍ମସମର୍ପଣ
କେକେବିଏନ୍ ମାଓ ଡିଭିଜନ୍ ରାଜ୍ୟ କମିଟି ସଦସ୍ୟ ଶୁକୁରୁ
କନ୍ଧମାଳ ଜଙ୍ଗଲରେ ଏବେ ବି ଅଛନ୍ତି ୧୦ ମାଓବାଦୀ
ସୂଚନାଯୋଗ୍ୟ, ଗତ କିଛିବର୍ଷ ମଧ୍ୟରେ କେକେବିଏନ୍ ମାଓ ଡିଭିଜନ୍ର ଅନେକ ଶୀର୍ଷ ନେତା ପୁଲିସ ଗୁଳିରେ ନିହତ ହୋଇସାରିଲେଣି। ୨୦୨୪ ଫେବ୍ରୁଆରି ୪ରେ ରାଜ୍ୟ କମିଟି ସଦସ୍ୟ ତଥା ଶୀର୍ଷ ନେତା ଦସୁରୁ ନିହତ ହେବା ପରେ ସଂଗଠନ ସାମାନ୍ୟ ଦୁର୍ବଳ ହୋଇପଡ଼ିଥିଲା। ପରବର୍ତ୍ତୀ ସମୟରେ ଗଣେଶ ଉଇକେ ଏହାର ନେତୃତ୍ବ ନେଇଥିଲା। ଗତବର୍ଷ ଡିସେମ୍ବର ୨୩ରେ ପୁଲିସ ଗୁଳିରେ ଗଣେଶ ନିହତ ହୋଇଥିଲା। ଏହାପରେ ଶୁକୁରୁ କେକେବିଏନ୍ ମାଓ ଡିଭିଜନ୍ର ନେତୃତ୍ବ ନେଉଥିଲା। କିନ୍ତୁ ସେ ଆତ୍ମସମର୍ପଣ କରିବା ପରେ ସଂଗଠନ ଦୁର୍ବଳ ହୋଇଯାଇଛି।
ସୌଜନ୍ୟ ସମ୍ବାଦ




