IPL 2026: ସୁପର କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସର ସହଜ ବିଜୟ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ
ଆଇପିଏଲ୍ର ୧୯ତମ ସଂସ୍କରଣର ତୃତୀୟ ମ୍ୟାଚ୍କୁ ରାଜସ୍ଥାନ ରୟାଲ୍ସ ସହଜରେ ବିଜୟ ହାସଲ କରିଛି। ଆସାମର ଗୁଆହାଟୀସ୍ଥିତ ବାରସପରା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ୮ ୱିକେଟ୍ରେ ଜିତିଛି।

ଗୁଆହାଟୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣର ତୃତୀୟ ମ୍ୟାଚ୍କୁ ରାଜସ୍ଥାନ ରୟାଲ୍ସ ସହଜରେ ବିଜୟ ହାସଲ କରିଛି। ଆସାମର ଗୁଆହାଟୀସ୍ଥିତ ବାରସପରା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ୮ ୱିକେଟ୍ରେ ଜିତିଛି। ରିୟାନ ପରାଗଙ୍କ ନେତୃତ୍ବରେ ରାଜସ୍ଥାନ ଟିମ୍ ୧୨.୧ ଓଭରରେ ୨ ୱିକେଟ୍ ହରାଇ ୧୨୮ ରନ୍ କରିଛି।
ଏହି ମ୍ୟାଚ୍ରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୩୦୫.୮୮ ହାରରେ ବ୍ୟାଟିଂ କରିଛନ୍ତି। ୧୭ଟି ବଲ୍ ଖେଳି ୪ଟି ଚୌକା ଏବଂ ୫ଟି ଛକା ବଳରେ ବୈଭବ ୫୨ ରନ୍ ସଂଗ୍ରହ କରିଛନ୍ତି। ଦଳର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ( ଅପରାଜିତ ୩୮ ରନ୍) ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ୱିକେଟ୍କିପର ବ୍ୟାଟର ଧ୍ରୁବ ଜୁରେଲ (୧୮ ରନ୍)ଙ୍କ ବ୍ୟାଟିଂରେ ଦର୍ଶକ ଉତ୍ସାହିତ ହୋଇଛନ୍ତି। ରିୟାନ ପରାଗ ଅପରାଜିତ ୧୪ ରନ୍ କରିଥିଲେ।
ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳ ସଫଳ ରଣନୀତି କରି ଚେନ୍ନାଇ ଟିମ୍କୁ ୧୨୭ ରନ୍ରେ ଅଟକାଇଥିଲା। ଅଧିନାୟକ ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବରେ ଚେନ୍ନାଇ ୧୯.୪ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୨୮ ରନ୍ର ଲକ୍ଷ୍ୟ ମିଳିଥିଲା।
ସୌଜନ୍ୟ ସମ୍ବାଦ




